ଡକ୍ଟର ହରପ୍ରସନ୍ନ ଦାସ

(ଚତୁର୍ଥ ଭାଗ)

ଆସନ୍ତୁ ଆମେ ଜାଣିବା ସମ୍ବେଦନଶୀଳ ମନୋଭାବ ଦ୍ୱାରା ଆମର କେଉଁ ପ୍ରକାର ଉପକାର ହୋଇଥାଏ:

ଗୋଷ୍ଠୀଗତ କାମରେ ସଫଳତା

ଆମେ ଯେତେ ଜ୍ଞାନୀ ହୋଇଥାଉ ଅବା ଯେକୌଣସି ପଦବୀରେ ଥାଉନା କାହିଁକି ଆମକୁ ଅନ୍ୟମାନଙ୍କ ସହିତ ମିଳିମିଶି କାମ କରିବାକୁ ପଡ଼ିବ। ଯାହାକୁ କୁହନ୍ତି ଟିମ୍ ଓ୍ୱାର୍କ ବା ଗୋଷ୍ଠୀଗତ କାମ। ଗୋଟିଏ ଗୋଷ୍ଠୀ ବା ଦଳରେ ଭିନ୍ନ ମନୋଭାବର ବିଭିନ୍ନ ପ୍ରକାର ଲୋକ ରହିଥା’ନ୍ତି ଆଉ ପ୍ରତ୍ୟେକ ବ୍ୟକ୍ତି ଅନ୍ୟଠାରୁ ଅଧିକାଂଶ କ୍ଷେତ୍ରରେ ଭିନ୍ନ।  କିନ୍ତୁ ସମସ୍ତଙ୍କର ନିଜସ୍ୱ ବିଶେଷତ୍ୱ ରହିଛି। ଆମେ କାହାକୁ ନିମ୍ନ ଚକ୍ଷୁରେ ଦେଖିବା ଆଦୌ ଉଚିତ୍ ନୁହେଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଯେ ଗୋଷ୍ଠୀରେ ନିଜ ନିଜ ଭିତରେ ମତାନ୍ତର ଯୋଗୁଁ ମନାନ୍ତର ହୋଇଥାଏ। ଯାହାଦ୍ୱାରା କାମରେ ବାଧା ଆସିଥାଏ।

ଏଣୁ ଯଦି ଗୋଷ୍ଠୀରେ ଥିବା ଲୋକମାନେ ପରସ୍ପର ପ୍ରତି ସମ୍ବେଦନଶୀଳ ହେବେ ତେବେ ମତାନ୍ତର ହେଲେ ବି ମନାନ୍ତର ହେବନାହିଁ। ପରସ୍ପରର ଦୋଷ କାଢ଼ିବା ପରିବର୍ତ୍ତେ ଆମେ ପରସ୍ପରର ଅବସ୍ଥାକୁ ବୁଝି ସମବେଦନା ଜଣାଇଲେ ପରସ୍ପର ପ୍ରତି ସମ୍ମାନବୋଧ ଓ ସାହାଯ୍ୟକାରୀ ମନୋଭାବ ସୃଷ୍ଟି ହେବ। ଏହାର ସୁପ୍ରଭାବ କାମରେ ଦେଖାଯିବ। ଏଣୁ ଗୋଷ୍ଠୀଗତ କାମର ସଫଳତା ଠିକ୍ ରୂପେ ମିଳିପାରିବ। ଗୋଷ୍ଠୀ ହିଁ ଜୀବନ। ସମ୍ବେଦନଶୀଳ ମନୋଭାବରେ ପରିବାରରେ ମଧ୍ୟ ସୁଖ, ଶାନ୍ତି ଓ ସମୃଦ୍ଧି ଆସିପାରିବ।

ସଠିକ୍ ବୁଝାମଣା

ଆମ ଜୀବନରେ ସବୁ ଅଶାନ୍ତି, ଅଘଟଣ, କଳହ ଇତ୍ୟାଦି ଭୁଲ୍ ବୁଝାମଣାରୁ ସୃଷ୍ଟି ହୋଇଥାଏ। ଏହା ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ରରେ ସବୁଠି ଦେଖା ଦେଇଥାଏ। କେବଳ ଆମ ସହରରେ ବା ଆମ ଦେଶରେ ନୁହେଁ ସାରା ବିଶ୍ୱରେ ଭୁଲ୍ ବୁଝାମଣା ହିଁ ସବୁ ବିନାଶର ମୂଳ କାରଣ। ଅନେକ ସମୟରେ ଆମେ ଠିକ୍ କଥାକୁ ଭୁଲ୍ ବୁଝି ଅବାଟରେ ଯାଇଥାଉ।

ଏହାର ମୂଳକାରଣ ହେଲା ଆମେ ସବୁବେଳେ ନିଜ ଦୃଷ୍ଟିରେ ଅନ୍ୟମାନଙ୍କୁ ଦେଖିବାକୁ ଭଲପାଉ ଏବଂ ନିଜ ମାପକାଠିରେ ଅନ୍ୟକୁ ମୂଲ୍ୟାଙ୍କନ କରିଥାଉ। କିନ୍ତୁ ଆମେ ଯଦି ସମ୍ବେଦନଶୀଳ ମନୋଭାବ ରଖିବା ତେବେ ଭୁଲ୍ ବୁଝାମଣାର ପରିମାଣ ଅତି ମାତ୍ରାରେ କମିଯିବ।

ଏହାର ପ୍ରଥମ ପଦକ୍ଷେପ ହେଲା – ନିଜକୁ ଅନ୍ୟଲୋକର ସ୍ଥାନରେ ରଖିବା। ତାଙ୍କର କଥାକୁ ଧ୍ୟାନଦେଇ ଶୁଣିବା, ସଠିକ୍ ରୂପେ ବୁଝିବା ଏବଂ ତାଙ୍କର ଭାବପ୍ରବଣତାକୁ ଶ୍ରଦ୍ଧାର ସହିତ ଅନୁଭବ କରିବା। ଏଥିପାଇଁ  ଆମ ମନରେ ଅନ୍ୟ ପାଇଁ ସ୍ନେହ, ଶ୍ରଦ୍ଧା ଓ ସଦ୍‌ଭାବନା ରହିବା ଦରକାର। ମୁଣ୍ଡକୁ ଥଣ୍ଡା ରଖି ଧୈର୍ଯ୍ୟର ସହିତ ଅନ୍ୟର କଥା ଶୁଣିଲେ ଏବଂ ବୁଝିଲେ ହିଁ ମତାନ୍ତର ସତ୍ତ୍ୱେ ମନାନ୍ତର ହେବନାହିଁ।

ଦେଇଥିଲେ ପାଇ

ଆମେ ସବୁବେଳେ ଅନ୍ୟପାଖରୁ ସବୁକିଛି ଭଲ ପାଇବାକୁ ଚାହିଁଥାଉ। ଆମକୁ ଭଲ ଲାଗିଲା ଭଳି କଥା ବା କାମ ଅନ୍ୟଠାରୁ ଆଶା କରିଥାଉ। ସ୍ୱାର୍ଥପର ହୋଇ ଭୁଲିଯାଉ ଯେ ଅନ୍ୟମାନେ ବି ଆମଠାରୁ ସେହିପରି ପାଇବା ପାଇଁ ଆଗ୍ରହୀ। ପାଇବା ଓ ଦବାରେ କେଉଁ କାମଟି ଆଗ ଆମକୁ ସ୍ଥିର କରିବାକୁ ହେବ। ମୁଁ ଅନ୍ୟଠାରୁ ପାଇଲା ପରେ ଦେବି ବା ଅନ୍ୟକୁ ଦେଲାପରେ ପାଇବି ତାହା ଆମ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ। କିନ୍ତୁ ଏହାର ଉତ୍ତର ଅତି ସହଜ- ଦେଲେ ସିନା ପାଇବା।

ସମ୍ବେଦନଶୀଳ ମନୋଭାବଟି ଠିକ୍ ସେହିପରି। ଆମ୍ଭେମାନେ ସମସ୍ତେ ପରସ୍ପରଠାରୁ ସାମାନ୍ୟ ଟିକିଏ ସମବେଦନା ଚାହୁଁ। କୁହାଯାଇଥାଏ, ଯେ ତୁମେ କାହାର ଉପକାର ପଛେ ନକରିପାର କିନ୍ତୁ ଦୁଇପଦ ମିଠା କଥା ସ୍ନେହ, ଶ୍ରଦ୍ଧାର ସହିତ କହିବା ଦରକାର। ଅନ୍ୟର କଥାକୁ ସଠିକ୍ ଓଜନ ଦେବା ଦରକାର। ଯେ କୌଣସି ଲୋକ ହୁଅନ୍ତୁ ପଛେ କାହାକୁ ନ୍ୟୁନ ବୋଲି ଭାବିବା ଅନୁଚିତ୍।

ଆମେ ଯଦି ଅନ୍ୟଠାରୁ ସମବେଦନା ଚାହୁଁଛୁ ତେବେ ଅନ୍ୟକୁ ଦେବା ଦରକାର। ଏହା ଏକ ଦିଆନିଆ ବା ଲାଭକ୍ଷତି ହିସାବ ନୁହେଁ। ଆମେ ଯାହାପ୍ରତି ସମବେଦନଶୀଳ ହୋଇଥିବା ସେ ଯେ ଆମପ୍ରତି ଅନୁରୂପ ଭାବ ଦେଖାଇବ ତାହା କହିବା ଅସମ୍ଭବ। କିନ୍ତୁ କେହି ନା କେହି ଆମକୁ ଆବଶ୍ୟକସ୍ଥଳେ ସମବେଦନା ଜଣାଇବେ ଏହା ଚିରନ୍ତନ ସତ୍ୟ। ପାଇବାରେ ଯେତିକି ଆନନ୍ଦ ତାଠାରୁ ଅଧିକ ଆନନ୍ଦ ଦେବାରେ।

ଆସନ୍ତୁ ସବୁବେଳେ ଆମେ ସମବେଦନଶୀଳ ମନୋଭାବ ପୋଷଣ କରି ନିଜେ ଆନନ୍ଦ ପାଇବା ସହିତ ଅନ୍ୟମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିବା। ତାହାହିଁ ଆମ ଜୀବନର ସଫଳତା ହେବ କାରଣ କଥାରେ ଅଛି ଦେଇଥିଲେ ପାଇ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Tags: Counseling, Dr. Haraprasanna Das, Empathy, Life Coach & Counselor, Positive Attitude, Sambedanashilata, Self Motivation

 

Comment