ଓଡ଼ିଶାଲାଇଭ୍ ବ୍ୟୁରୋ

ମୁସଲମାନ ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଏବଂ ସମାନତା ଦେବା କ୍ଷେତ୍ରରେ ସୁପ୍ରିମକୋର୍ଟ ଦ୍ୱାରା ତିନି ତଲାକ୍ ଏକ ଐତିହାସିକ ରାୟ। ଏହି ରାୟ ପ୍ରକାଶ ପାଇବା ପରେ ପରେ ସାରା ଦେଶର ନଜର ଅଟକିଛି ୫ଟି ଅଲଗା ଅଲଗା ଧର୍ମ ଓ ସମ୍ପ୍ରଦାୟର ସେହି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଉପରେ।

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟର ଶୁଣାଣି କରୁଥିଲେ ୫ ଜଣ ଜଜ୍। ସେମାନେ ହେଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ ଏସ୍. କେହର ଯେ କି ଧାର୍ମିକ ଧାରାରେ ଶିଖ୍ ସମ୍ପ୍ରଦାୟର। ସେହିପରି  ଅନ୍ୟ ୪ ଜଣ ବିଚାରପତି ଯଥାକ୍ରମେ ଜଷ୍ଟିସ୍ କୁରିଅନ୍ ଜୋସେଫ୍ ଜଣେ ଖ୍ରୀଷ୍ଟିଆନ୍, ଜଷ୍ଟିସ୍ ରୋହିନତନ ଫଲି ନରିମନ୍ ଜଣେ ପାର୍ସି, ଜଷ୍ଟିସ୍ ଉଦୟ ଉମେଶ ଲଲିତ୍‌ ଜଣେ ହିନ୍ଦୁ ଏବଂ ଜଷ୍ଟିସ୍ ଅବଦୁଲ୍ ନଜିର୍ ମୁସଲିମ୍ ସମ୍ପ୍ରଦାୟର। ପାଞ୍ଚୋଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର ବିଚାରପତି ତିନି ତଲାକ୍ ପରି ଏକ ସ୍ପର୍ଶକାତର ବିଷୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିବା ଘଟଣା ଆଜି ସାରା ଦେଶରେ ଗଣମାଧ୍ୟମରେ ଛାଇ ଯାଇଛି।

ଆସନ୍ତୁ ଏକ ସଂକ୍ଷିପ୍ତ ନଜର ପକାଇବା ଏହି ବିଚାରପତିମାନଙ୍କ କ୍ୟାରିଅରଗ୍ରାଫ୍ ଉପରେ।

ଜଷ୍ଟିସ୍ ଜେ ଏସ୍ କେହର: ଶିଖ୍ ସମ୍ପ୍ରଦାୟରୁ ଆସି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ଆସନ ଅଳଙ୍କୃତ କରିଥିବା ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ତା’ ମଧ୍ୟରେ ରହିଛି ଟୁଜି ସ୍କାମ୍ ଏବଂ ସାହାର ମୁଖ୍ୟ ସୁବ୍ରତ ରୟଙ୍କ ବିରୁଦ୍ଧରେ ଚାଲିଥିବା ମାମଲା। ଜଷ୍ଟିସ୍ କେହର ଗତ ଜାନୁଆରୀ ମାସରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଉଛନ୍ତି। ପୂର୍ବରୁ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାମ କରିଛନ୍ତି।

ତିନି ତଲାକ୍ ମାମଲାରେ ସେ କହିଥିଲେ ଯେ ଏହି ଘଟଣା ସମ୍ବିଧାନର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁନାହିଁ। ଏହି ପ୍ରଥା ସୁନ୍ନି ସମ୍ପ୍ରଦାୟର ଅବିଛେଦ୍ୟ ଅଙ୍ଗ ଓ ହଜାର ବର୍ଷ ଧରି ଚାଲିଆସିଛି। ସେ ଆହୁରି କହିଥିଲେ ଯେ ରାଜନୈତିକ ଦଳମାନେ ଏହାକୁ ରାଜନୀତିଠାରୁ ଅଲଗା କରି ଦେଖିବା ଦରକାର।

ଜଷ୍ଟିସ୍ ଅବଦୁଲ୍ ନଜିର୍: ମୁସଲମାନ ସମ୍ପ୍ରଦାୟର ଏହି ବିଚାରପତି ତାଙ୍କ ରାୟରେ କହିଥିଲେ ଯେ ତିନି ତଲାକ ଏକ ଧାର୍ମିକ ପରାମ୍ପରା। ତେଣୁ କୋର୍ଟ ଏଥିରେ କୌଣସି ପ୍ରକାର ଦଖଲ ଦେବା ଠିକ୍ ନୁହେଁ। ବିଚାରପତି ନଜିର୍ ମୂଳତଃ କର୍ଣ୍ଣାଟକର ବାସିନ୍ଦା। ୧୯୮୩ ମସିହାରୁ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୩ ମସିହାରେ ଜଷ୍ଟିସ୍ ନଜିର୍ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ ଏବଂ ୨୦୦୪ ମସିହାରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୭ ଫେବୃଆରୀରେ ସେ ସୁପ୍ରିମକୋର୍ଟରେ ଯୋଗ ଦେଇଥିଲେ।

ଜଷ୍ଟିସ୍ ରୋହିନତନ ଫଲି ନରିମନ୍: ପାର୍ସି ସମ୍ପ୍ରଦାୟର ଜଷ୍ଟିସ୍ ନରିମନ୍ ତିନି ତଲାକ୍ ପ୍ରଥାକୁ ବିରୋଧ କରି ରାୟ ଦେଇଛନ୍ତି। ୨୦୧୪ ମସିହାରେ ସୁପ୍ରିମକୋର୍ଟରେ ସେ ବିଚାରପତି ଭାବେ ଯୋଗ ଦେଇଥିଲେ। ତା’ ପୂର୍ବରୁ ସେ ଜଣେ ବରିଷ୍ଠ ଆଇନଜୀବୀ ଭାବରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ନିୟୋଜିତ ଥିଲେ। ୨୦୧୧ ଜୁଲାଇ ୨୭ରୁ ୨୦୧୩ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ସେ ଦେଶର ସଲିସିଟର ଜେନେରାଲ୍ ଭାବରେ ଦାୟିତ୍ବ ତୁଲାଇଛନ୍ତି। ୬୦ ବର୍ଷୀୟ ଏହି ବିଚାରପତି ୧୯୭୯ ମସିହାରେ ଓକିଲାତି ଜୀବନ ଆରମ୍ଭ କରିଥିଲେ।

ଜଷ୍ଟିସ୍ ଉଦୟ ଉମେଶ ଲଲିତ୍‌: ହିନ୍ଦୁ ଧର୍ମାବଲମ୍ବୀ ଜଷ୍ଟିସ୍  ଲଲିତ୍ ତିନି ତଲାକ ମାମଲାରେ ଜଷ୍ଟିସ୍ ନରିମନଙ୍କ ଭଳି ତାଙ୍କର ରାୟ ଦେଇଥିଲେ। ଏହି ପ୍ରଥା ବିରୋଧରେ ତାଙ୍କର ମତ ରହିଥିଲା। ମହାରାଷ୍ଟ୍ରର ମୂଳ ବାସିନ୍ଦା ଏହି ବିଚାରପତି ୨୦୧୪ ମସିହାରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଯୋଗ ଦେଇଥିଲେ। ପୂର୍ବରୁ ତୁଳସୀ ପ୍ରଜାପତି ଏନକାଉଣ୍ଟର ଘଟଣାରେ ସେ ସୁପ୍ରିମକୋର୍ଟରେ ଅମିତ ଶାହାଙ୍କ ପକ୍ଷରୁ ଲଢ଼ୁଥିଲେ। ସେହିପରି ୨ଜି ସ୍ପେକ୍ଟ୍ରମ୍ ମଞ୍ଜୁରୀ ମାମଲାରେ ସେ ସ୍ବତନ୍ତ୍ର ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲା ଏବଂ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଆସିଥିବା ହତ୍ୟା ମାମଲାରେ କେସ୍ ପରିଚାଳନା କରି ସେ ଜଣାଶୁଣା ହୋଇଥିଲେ।

ଜଷ୍ଟିସ୍ କୁରିଅନ୍ ଜୋସେଫ୍: ଜଷ୍ଟିସ୍ ଜୋସେଫ୍ ୧୯୭୯ ମସିହାରେ କେରଳ ହାଇକୋର୍ଟରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ୧୯୮୭ ବେଳକୁ ସେ ସରକାରୀ ଓକିଲ ଭାବେ କାମ କରିବାର ସୁଯୋଗ ପାଇଥିଲେ। ସେହିପରି ୧୯୯୪ ମସିହାରେ ତାଙ୍କୁ କେରଳ ସରକାର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ ଦେଇଥିଲେ। ୨୦୦୦ ମସିହାରେ ଜଷ୍ଟିସ୍ ଜୋସେଫ୍ କେରଳ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ। ସେହିପରି ପରବର୍ତ୍ତୀ ସମୟରେ ୨୦୧୦ ମସିହାରେ ସେ ହିମାଚଳପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇ ୨୦୧୩ ପର୍ଯ୍ୟନ୍ତ ସେହି ପଦବୀରେ ରହିଥିଲେ। ଜଷ୍ଟିସ୍ କୁରିଅନ୍ ୨୦୧୩ ମସିହା ମାର୍ଚ୍ଚ ୮ ତାରିଖରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି।

ଏହି ପାଞ୍ଚ ଜଣକୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମଧ୍ୟରୁ ତିନି ଜଣ ବିଚାରପତି ତିନି ତଲାକ୍‌କୁ ଅସିଦ୍ଧ ଘୋଷଣା କରିଥିବାରୁ ଏହି ମାମଲାର ନିଷ୍ପତ୍ତି ଏହି ପ୍ରଥା ବିରୋଧରେ ଯାଇଛି। ଆଜିଠାରୁ ବସ୍ତୁତଃ ଏହା ବେଆଇନ ବୋଲି ବିଚାର କରିବାକୁ ହେବ। ଆଗାମୀ ୬ ମାସ ମଧ୍ୟରେ ମୁସଲମାନ ସମ୍ପ୍ରଦାୟରେ ଯଦି ଏଭଳି କୌଣସି ତଲାକ ଘଟଣା ଘଟେ ତେବେ ତା’କୁ ଅପରାଧ ଭାବେ ବିଚାର କରି ଦଣ୍ଡବିଧାନ ପାଇଁ ଯେଉଁ ଆଇନ ଆବଶ୍ୟକ ତାହା ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ ସଂସଦକୁ ପରାମର୍ଶ ଦେଇଛନ୍ତି।

Tags: Supreme Court, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Supreme Court, Talaq, Tini Talaaq, Top Stories, Triple Talaaq

2 COMMENTS

Comment