ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ଓଡ଼ିଶା ଉଠୁଛି ପଡ଼ୁଛି। ଏହି ଗିରଫଦାରୀରେ ବିଜେପି ସରକାରର ହାତ ରହିଛି ବୋଲି ବିଜେଡି ଅଭିଯୋଗ କରୁଛି। ହେଲେ ବିଜେପି ଭିନ୍ନ ଯୁକ୍ତି କରୁଛି। ଶ୍ରୀ ବିଶ୍ୱାଳ ଚିଟଫଣ୍ଡ ସଂସ୍ଥା ସହ ଜଡ଼ିତ ଥିଲେ କି ନାହିଁ ତାହା ବିଜେଡି ନେତା ଏବଂ ମୁଖ୍ୟମନ୍ତ୍ରୀ ପ୍ରମାଣ କରନ୍ତୁ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ‘ଓଡ଼ିଶାଲାଇଭ୍‍‍’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଦାବି କରିଛନ୍ତି।

ଚିଟଫଣ୍ଡ ଦୁର୍ନୀତିକୁ ନେଇ ସିବିଆଇ ପୁଣି ତନାଘନା କରିବା ପଛରେ ବିଜେପିର ହାତ ଅଛି କି ?
ପ୍ରାୟ ୧୦ ଲକ୍ଷ ଓଡିଆ ଗରୀବ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ଚିଟଫଣ୍ଡ କେଳେଙ୍କାରୀରେ ସେମାନଙ୍କ ଜମା ରଖିଥିବା ଟଙ୍କା ହରାଇଛନ୍ତି। ଏକଥା ମିଛ ବୋଲି ପ୍ରଥମେ ବିଜେଡ଼ି ନେତା ସ୍ୱୀକାର କରନ୍ତୁ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଶାସନକୁ ଆସିବା ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓଡ଼ିଶା ସରକାର ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ସୁପ୍ରିମକୋର୍ଟ ଯାଇଥିଲେ ଏବଂ କହିଥିଲେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କ୍ରାଇମବ୍ରାଞ୍ଚ ଏବଂ କମିଶନରେଟ୍‍ ପୋଲିସ ଠିକ୍‍ ଢଙ୍ଗରେ କରୁଛନ୍ତି। ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସେତେବେଳେ ବିଜେଡି ନେତା ଯୁକ୍ତି ବାଢ଼ିଥିଲେ। ଏଭଳି ଯୁକ୍ତି ପଛର କାରଣ କ’ଣ ଏବଂ କିଏ ରାଜନୀତି କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।
ବାରମ୍ବାର ଜେରା କରିବା ପରେ ଅଚାନକ୍‍ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କଲାଏଥିରେ ରାଜନୀତି ନାହିଁ କି?
ବିଜେଡି ନେତାମାନେ କେବଳ ଗୋଟିଏ ଶବ୍ଦ ବ୍ୟବହାର କରୁଛନ୍ତି। ତାହା ହେଉଛି ‘ବିଳମ୍ବ ହୋଇଗଲା’। ହେଲେ ବିଜେଡି ନେତା କାହିଁକି ସ୍ପଷ୍ଟ କରୁ ନାହାନ୍ତି ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ସଂସ୍ଥା ସହ ଜଡ଼ିତ ଥିଲେ କି ନାହିଁ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ସେ ପ୍ରମାଣ କରନ୍ତୁ ଯେ, ପ୍ରଭାତ ବିଶ୍ୱାଳ ନିର୍ଦ୍ଦୋଷ ଏବଂ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଛି। ଯେଉଁଦିନ ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ ପ୍ରମାଣ ଦେବେ ସେଦିନ ବିଜେପି ପ୍ରଭାତ ବିଶ୍ୱାଳଙ୍କ ପଛରେ ଛିଡା ହେବ। ହେଲେ ବିଜେଡି ନେତା କିମ୍ବା ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ସାହସ କରିପାରୁ ନାହାନ୍ତି।
ସିବିଆଇ ଅଫିସ୍‍ ସମ୍ମୁଖରେ ବିଜେଡିର ବିକ୍ଷୋଭକୁ କ’ଣ କହିବେ?
ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ବିଜେଡି ନେତାମାନେ ଭୟଭୀତ ହୋଇଯାଇଛନ୍ତି। ଏହାପରେ ଆଉ କେଉଁ ନେତାଙ୍କ ପାଳି ପଡିବ ତାକୁ ନେଇ ବିଜେଡି ଶିବିରରେ ଭାଳେଣି ପଡିଛି। ଏଣୁ ସିବିଆଇ ତଦନ୍ତକୁ ପ୍ରଭାବିତ କରିବା ପାଇଁ ବିଜେଡି ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ କରୁଛି ।
ସିବିଆଇକୁ କଂଗ୍ରେସ ଇନଭେଷ୍ଟିଗେସନ୍‍ ବ୍ୟୁରୋ ବୋଲି ବିଜେପି କହୁଥିଲାହେଲେ ଏବେ ସିବିଆଇ ବିଜେପିର ହାତବାରିସି ସାଜିଛି କି?
କଂଗ୍ରେସ ସରକାର ଅମଳରେ ବଡ ବଡ ଘୋଟାଲା ହୋଇଥିଲା। ଏହି ଘୋଟାଲାରେ କଂଗ୍ରେସର ବଡ ନେତାମାନେ ଜଡ଼ିତ ଥିଲେ। ଏମାନଙ୍କୁ ସୁରକ୍ଷା ଦେବାରେ ସିବିଆଇ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏଣୁ ସିବିଆଇ କଂଗ୍ରେସର ହାତବାରିସି ସାଜିଛି ବୋଲି କୁହାଯାଉଥିଲା। କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏସବୁ କାମ ବନ୍ଦ ହୋଇଯାଇଛି। ମୋଦି ସବୁବେଳେ ସ୍ୱଚ୍ଛତା ଗୁରୁତ୍ୱ ଦେଉଛନ୍ତି। ସାଢେ ୩ ବର୍ଷର ସରକାରରେ କୌଣସି ମନ୍ତ୍ରୀଙ୍କ ଦେହରେ ଦୁର୍ନୀତିର ଛିଟା ବାଜିନି  ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟାପମ୍‍ ସ୍କାମ୍‍ରେ ଜଡ଼ିତ ବୋଲି କାହିଁକି ଅଭିଯୋଗ ଆସିଲା?
ବ୍ୟାପମ୍‍ ସ୍କାମ୍‌ରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ସେ ଦେଶବାସୀଙ୍କ ସମ୍ମୁଖରେ କହି ସାରିଛନ୍ତି। କେବଳ ଟିକେଟ କାଟିବାକୁ ନେଇ ବିରୋଧୀ ଟାର୍ଗେଟ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ବିରୋଧୀ ଏହାକୁ ପ୍ରମାଣିତ କରିପାରିଲେ ନାହିଁ।
ଅମିତ ଶାହା ଭୁବନେଶ୍ୱରରେ କହିଥିଲେ ‘ଏକ୍‍ ଏକ୍‍ କୋ ଜେଲ୍‍ ଭେଜେଙ୍ଗେ’। ଏହାର ଅୟମାରମ୍ଭ ହୋଇଗଲା କି?
ଅମିତ୍‍ ଶାହା ୧୨୦ ମିଶନର ଲକ୍ଷ୍ୟ ନେଇ ଓଡ଼ିଶା ଗସ୍ତରେ ଆସିଥିଲେ। ଏଥିରେ ସିବିଆଇ ତଦନ୍ତ ସହ କୌଣସି ସଂପୃକ୍ତି ନାହିଁ। ଶାହା କହିଥିଲେ ଯେ ଯଦି ଓଡ଼ିଶାରେ ସରକାର ଆମର ହେବ ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କୁ ଜେଲ୍‍ ପଠାଯିବ।
ପ୍ରତିପକ୍ଷଙ୍କୁ ଭୟଭୀତ ଏବଂ ଦମନ କରି ବିଜେପି ୧୨୦ ଆସନ ପାଇବ ବୋଲି ରଣନୀତି କରୁଛି କି?
ପ୍ରତିପକ୍ଷଙ୍କୁ ଦମନ କରି ଭୋଟ ହାତେଇବା ବିଜେପିର ଏଜେଣ୍ଡା ନୁହେଁ। ଆମେ ଜନମତ ଉପରେ ବିଶ୍ୱାସ କରୁ। ଓଡ଼ିଶାର ଜନମତ ଏବେ ବିଜେପି ସପକ୍ଷରେ ରହିଛି। ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି। ବିଜେପି ନିଜକୁ ବିକଳ୍ପ ଭାବେ ନିଜକୁ ଠିଆ କରି ଆସିଛି। ଜନମତ ସଂଗ୍ରହ କରି ବିଜେପି କ୍ଷମତାକୁ ଆସିବ।
ତୃଣମୂଳ ସ୍ତରରେ ବିଜେପିର କର୍ମୀ ନାହାନ୍ତିକେଉଁ ଆଧାରରେ ବିଜେପି ୧୨୦ ଆସନ ପାଇବ?
ଆମର ନୂଆ ବୁଥ୍‍ କମିଟିରେ ୬୦ ଲକ୍ଷ ସଭ୍ୟ ସଂଗ୍ରହ କରାଯାଇଛି। ମଣ୍ଡଳ କମିଟି ମଧ୍ୟ ସୁଦୃଢ଼ କରାଯାଉଛି। ଅମିତ୍‍ ଶାହା ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ଅସ୍ତ୍ର କରି ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ କରୁଛୁ। ଏଣୁ ତୃରମୂଳ ସ୍ତରର ଲୋକଙ୍କୁ ନେଇ ଆମେ ୧୨୦ ଆସନ ପାଇବୁ ବୋଲି ଆଶାବାଦୀ ଅଛୁ  ।
ଅଣ-ବିଜେପି ଶାସିତ ରାଜ୍ୟରେ ବିଜେପି କୂଟନୀତି ପ୍ରୟୋଗ କରି ଆଞ୍ଚଳିକ ଦଳକୁ ଭାଙ୍ଗୁଛି କି?
ଏହା ହେଉଛି ବିରୋଧୀଙ୍କ ଅଭିଯୋଗ। ବିହାରରେ ନୀତିଶ କୁମାର ଓ ଲାଲୁ ଯାଦବଙ୍କ ମଧ୍ୟରେ ବିବାଦ ହେବାରୁ ନୀତିଶ ବିଜେପି ସହ ପୁଣି ମେଣ୍ଟ କଲେ। ତାମିଲନାଡ଼ୁରେ ଏଆଇଏଡିଏମ୍‍୍‍କେରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଛି। ସେହିପରି ଓଡ଼ିଶାରେ ଆମେ ବିଜେଡ଼ିକୁ ବିଭାଜନ କରି କ୍ଷମତା ଦଖଲ କରିବାର ପରିକଳ୍ପନା କରିନାହୁଁ। ଆମେ ଜନମତ ସଂଗ୍ରହ କରି ଶାସନକୁ ଆସିବୁ  ।
ବିଜେପୁର ଉପ-ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜ ହେବ କି?
ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ସବୁ ରାଜନୈତିକ ଦଳ ପାଇଁ ଏହା ଚ୍ୟାଲେଞ୍ଜ ହୋଇଥାଏ। ଏଣୁ ବିଜେପୁର ମଧ୍ୟ ବିଜେପି ପାଇଁ ଚ୍ୟାଲେଞ୍ଜ ହେବ।
ବିଜେପି ବିଜେପୁରରେ ସଫଳ ହେବ କି?
ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ସାମିଲ୍‍ ହେଲେ ମଧ୍ୟ ବିଜେପୁରବାସୀ ଏହାକୁ ଗ୍ରହଣ କରିବେ ନାହିଁ। କାରଣ ସ୍ୱର୍ଗତ ସାହୁ ଭିନ୍ନ ବିଚାରଧାରାର ବ୍ୟକ୍ତି ଥିଲେ। ବିଜେଡି ସହ ସେ ଅହରହ ସଂଗ୍ରାମ କରୁଥିଲେ। ତେବେ କେଉଁ କାରଣ ପାଇଁ ତାଙ୍କ ପରିବାର ବିଜେଡିରେ ସାମିଲ ହେଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବରଗଡ ଜିଲ୍ଲାରେ ବିଜେଡିର ଦୁଇ ଦୁଇ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ନେତା ଅଛନ୍ତିବିଜେପି ଲଢେଇ କରିପାରିବ ତ?
ନିଶ୍ଚିତ ଭାବେ ବିଜେପି ଲଢେଇ କରିବ। କୌରବ ଶହେ ଭାଇଙ୍କ ସହ ପାଣ୍ଡବ ପାଞ୍ଚ ଭାଇ ଯେମିତି ଲମେଇ କରିଥିଲେ ବିଜେପି ସେମିତି ବିଜେଡି ସହ ଲଢେଇ କରିବ। ଉପ-ନିର୍ବାଚନ ପୂର୍ବରୁ ବିଜେଡି ଭୟଭୀତ ହୋଇଯାଇଛି, ଯେଉଁଥିପାଇଁ ସେ ଅନୁକମ୍ପା ଭୋଟ ପାଇଁ ସୁବଳ ସାହୁଙ୍କ ପରିବାରଙ୍କୁ ଦଳରେ ସାମିଲ କରିଛନ୍ତି।
(ପ୍ରସ୍ତୁତି: ସରୋଜ ମହାପାତ୍ର)

Comment