ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୬ ଦିନର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦୁଃଖ ଶୁଣିଛନ୍ତି। ଦରମା ବଢ଼ାଇ ସେମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

  • ଅଙ୍ଗନବାଡ଼ି କର୍ମୀ ପାଉଥିଲେ ୪ ହଜାର ଏବେ ପାଇବେ ୬ ହଜାର
  • ସହାୟିକା ପାଉଥିଲେ ୨୦୦୦ ଏଣିକି ପାଇବେ ୩ ହଜାର
  • ମିନି ଅଙ୍ଗନବାଡ଼ି କର୍ମୀ ପାଉଥିଲେ ୨୬୫୦ ଏବେ ପାଇବେ ୪,୧୨୫ ଟଙ୍କା
ଅଙ୍ଗନବାଡ଼ି କର୍ମୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଙ୍ଗନବାଡି କର୍ମୀ, ସହାୟିକାଙ୍କ ଦରମା ବୃଦ୍ଧି କରି  ନବୀନ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି।
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪୧୨୫ ଟଙ୍କା ଏବଂ ସହାୟିକାଙ୍କ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ସଚିବାଳୟରେ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ବର୍ଦ୍ଧିତ ଦରମା ଦିଆଯିବ।
ନବୀନ ପଟ୍ଟନାୟକ କହିଛନ୍ତି, “ଆମ ସରକାର ସବୁବେଳେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସିଛନ୍ତି। ମା’ ଓ ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁ୍ଁ ସେମାନଙ୍କୁ ଦୀପାବଳି ଓ୍ବିସ୍‌ କରୁଛି।”
ଦୀର୍ଘ ୩୫ ଦିନ ହେଲା ଅଙ୍ଗନବାଡ଼ି କର୍ମୀମାନେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ବନିମ୍ନ ମାସକୁ ୧୮ ହଜାର ଟଙ୍କା କର୍ମୀଙ୍କୁ ୯ ହଜାର ଟଙ୍କା ଲେଖାଏଁ ଦେବା ଲାଗି  ଦାବି କରୁଥିଲେ। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିଲେ। ବିଭାଗୀୟ ମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା। ଶେଷରେ ଅଙ୍ଗନବାଡ଼ି ସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟରେ ଭେଟି ଦାବି ଜଣାଇଥିଲେ। ଏହି ସମୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜେଡି ନେତା ସୁବାସ ସିଂହ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ଦାବି ଶୁଣିବା ପରେ ସନ୍ଧ୍ୟାରେ ଦରମା ବୃଦ୍ଧି କରିଥିବା ଘୋଷଣା କରିଛନ୍ତି।
ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ମାସକୁ ୪ ହଜାର ଏବଂ ସହାୟିକାମାନେ ୨ ହଜାର ଟଙ୍କା ଲେଖାଏଁ ଦରମା ପାଉଥିଲେ। ମିନି ଅଙ୍ଗନବାଡ଼ି କର୍ମୀମାନେ ୨୬ ୫୦ ଟଙ୍କା ପାଉଥିଲେ। ଏବେ ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ରାଜ୍ୟ ସରକାର ୨ ହଜାର ଟଙ୍କା ସହାୟିକାଙ୍କ ଦରମାରେ ୧ ହଜାର ଏବଂ ମିନିଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ୧୪୭୫ ଟଙ୍କା ବୃଦ୍ଧି କରିଛନ୍ତି।

 

Comment