ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଯେଉଁ ଯୋଜନା ଆରମ୍ଭ ହେବ ତା’ର ନାମ ହେବ ସାର୍ବଜନୀନ ସାମାଜିକ ସୁରକ୍ଷା ଯୋଜନା ବା ସେଭଳି କିଛି। ଏହି ଯୋଜନା ସେହି ଲକ୍ଷ୍ୟର ଅଂଶବିଶେଷ ଯେଉଁଥିରେ କି ଦେଶର ସମସ୍ତ ନାଗରିକଙ୍କୁ ବ୍ୟାପକ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏ ଦିଗରେ ଜୋରସୋର କାମ ଚାଲିଥିବା ଜଣାପଡିଛି। ଖୁବ୍ ଶୀଘ୍ର ଏହି ନିରାପତ୍ତା ଯୋଜନା ସଂକ୍ରାନ୍ତୀୟ ପ୍ରସ୍ତାବ ଅର୍ଥ ମନ୍ତ୍ରାଳୟକୁ ପଠାଯିବ।
ଆସନ୍ତୁ ଜାଣିବା କ’ଣ ଏହି ଯୋଜନା:
ଗରିବଙ୍କ ୩ ଶ୍ରେଣୀ
ଏହି ଯୋଜନାରେ ୩ଟି ଶ୍ରେଣୀର ହିତାଧିକାରୀ ରହିବେ। ପ୍ରଥମ ଶ୍ରେଣୀ ଯେଉଁମାନେ ଅତ୍ୟନ୍ତ ଦୁଃଖୀ। ଏହି ସର୍ବାଧିକ ଗରିବଙ୍କ ପାଇଁ ସରକାର ନିଜେ ପ୍ରିମିୟମ୍ ଭରିବେ। ଦ୍ୱିତୀୟ ଶ୍ରେଣୀର ଗରିବ ଯେଉଁମାନେ ଟିକିଏ ସ୍ୱଚ୍ଛଳ। ଏମାନେ ଯୋଜନାର ପୂରା ଅର୍ଥ  ଦେବେ। ତୃତୀୟ ସ୍ଥାନରେ ଅଛନ୍ତି ଚାକିରିଆ ଗୋଷ୍ଠୀ ଯେଉଁମାନେ ନିଜ ଦରମାରୁ ପ୍ରିମିଅମ୍ ଦେବେ।
କ’ଣ ସୁବିଧା ମିଳିବ?
ଏହି ଯୋଜନା ଦୁଇ ପ୍ରକାରର ହେବ। ପ୍ରଥମ, ଅନିର୍ବାଯ୍ୟ ପେନ୍‌ସନ (ମୃତ୍ୟୁ, ବିକଳାଙ୍ଗତା ଓ ମାତୃତ୍ୱ) ଏବଂ ଦ୍ୱିତୀୟଟି ସ୍ଵଇଚ୍ଛିକ ଚିକିତ୍ସା, ବେମାରି ଓ ବେରୋଜଗାର।
ରଙ୍ଗ ଭରିବ ଏହି ଯୋଜନା?
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାର୍ବଜନୀନ ସାମାଜିକ ସୁରକ୍ଷା ଯୋଜନା ପାଇଁ ଯେତିକି ଅର୍ଥ ଯୋଗାଡ଼ ହେବ ତାକୁ ସବୁ କ୍ଷେତ୍ର ପାଇଁ ବଣ୍ଟାଯିବ। ସରକାର ଆଶାବାଦୀ ଯେ ଏହି ଯୋଜନାରେ ସାମିଲ ହେବା ପାଇଁ ବହୁସଂଖ୍ୟକ ଲୋକ ଆଗେଇ ଆସିବେ। ଯେଉଁମାନେ ଚାକିରୀ କରନ୍ତି ସେମାନଙ୍କ ଯୋଗଦାନ ଉପରେ ବିଶେଷ ଭାବେ ନିର୍ଭର କରୁଛନ୍ତି ସରକାର।
୨୦୧୯ ନିର୍ବାଚନ ପାଇଁ ଚିନ୍ତା
ତେବେ ଏହି ଯୋଜନା ପାଇଁ ଅର୍ଥ ଯୋଗାଡ଼ କରିବା କଷ୍ଟକର ବ୍ୟାପାର ହୋଇପାରେ କାରଣ ବଜେଟର ଏକ ବଡ଼ ଅଂଶ ପୂର୍ବରୁ ସରକାର ଖର୍ଚ୍ଚ କରି ଦେଇଛନ୍ତି। ହେଲେ ୨୦୧୯ ନିର୍ବାଚନ ଆଗରୁ ଏହି ଯୋଜନା ଆରମ୍ଭ କଲେ ସରକାରଙ୍କୁ ଭୋଟରେ ଅଧିକ ଫାଇଦା ହେବ ବୋଲି କୁହାଯାଉଛି।
ଅସଙ୍ଗଠିତ କ୍ଷେତ୍ର ଉପରେ ନଜର
ଦେଶରେ ବର୍ତ୍ତମାନ ୪୫ କୋଟି ଶ୍ରମଶକ୍ତି ଅଛି। ଏଥିମଧ୍ୟରୁ ମାତ୍ର ୫ କୋଟି ଲୋକ ସଂଗଠିତ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଏହି ୧୦ ପ୍ରତିଶତ ସଂଗଠିତ ଲୋକ କୌଣସି ନା କୌଣସି ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏଣେ ପ୍ରତିବର୍ଷ କୋଟିଏ ଲୋକ ଶ୍ରମ ଶକ୍ତିରେ ସାମିଲ ହେଉଥିଲେ ମଧ୍ୟ ଏମାନଙ୍କୁ ନ୍ୟୁନତମ ରୋଜଗାର ମିଳିବା ସମ୍ଭବ ହେଉନାହିଁ। ତା’ଛଡ଼ା ଅଣ-ସଂଗଠିତ କ୍ଷେତ୍ରରେ ରହୁଥିବା ଯୋଗୁଁ ଏମାନଙ୍କୁ କୌଣସି ପ୍ରକାର ସାମାଜିକ ସୁରକ୍ଷା ବା ସହାୟତା ବି ମିଳୁନାହିଁ।
ଲକ୍ଷେ କୋଟି ଟଙ୍କାର ଯୋଜନା
ଖବର ଅନୁସାରେ ଏହି ଉଚ୍ଚ-ଅଭିଳାଷ ଯୋଜନା ପାଇଁ ବାର୍ଷିକ ୧.୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। SECC ୪ ବର୍ଗର ସବୁଠୁ ବେଶି ଗରିବ ଲୋକ (ଏମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତ)ମାନଙ୍କୁ ମୋଦୀ ସରକାର ଟାର୍ଗେଟ କରୁଥିବା ଜଣାପଡ଼ିଛି।

Comment