ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାଣି ନଥିବାରୁ ସେ ଇସ୍ତଫା ଦିଅନ୍ତୁ। ଏଭଳି ଆହ୍ୱାନ ଦେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ଶ୍ରୀ ପରିଡ଼ା ନିଜ ଦଳର ସୁପ୍ରିମୋଙ୍କ ବିରୋଧରେ ଏମିତି ମନ୍ତବ୍ୟ କାହିଁକି ଦେଲେ ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ କହିଛନ୍ତି –

ରାଜନୀତିରେ ପ୍ରବେଶ କେମିତି?
ଯୁବକ ଅବସ୍ଥାରେ ମୁଁ ରାଜନୀତିରେ ପ୍ରବେଶ କରିଥିଲି। ସେତେବେଳେ ଆମ ଗାଁ ବହୁତ ଅନୁନ୍ନତ ଥିଲା। ଆଖପାଖ ଅଞ୍ଚଳକୁ ନେଇ ଗୋଟିଏ ସ୍କୁଲ୍ ରହିଥିଲା। ତାହା ମହତାବଙ୍କ ନାଁରେ ନାମିତ ହୋଇଥିଲା। ହେଲେ ସେ ସ୍କୁଲଟି ସ୍ୱୀକୃତି ପାଉନଥିଲା। ତେଣୁ ସ୍କୁଲକୁ ସ୍ୱୀକୃତି ଦେବାପାଇଁ ସେତେବେଳେ ଛାତ୍ରମାନଙ୍କୁ ନେଇ ମୁଁ ଘରେ ଘରେ ଚାନ୍ଦା ମାଗି ସେ ସ୍କୁଲ ପରିଚାଳନାରେ କରିବାରେ ସହାୟକ ହୋଇଥିଲି। ଏହାସହ ସ୍କୁଲ୍ ପରିଚାଳନା କମିଟିରେ ଅବ୍ୟବସ୍ଥା ରହିଥିଲା। ତେଣୁ ମୁଁ ଦଶମ ଶ୍ରେଣୀରେ ପଢ଼ିଲା ବେଳେ ପିଲାମାନଙ୍କୁ ନେଇ ଧର୍ମଘଟ କରିଥିଲି। ପରିଚାଳନା କମିଟିରେ ପରିବର୍ତ୍ତନ ଆଣିବା ପାଇଁ ସାତଦିନ ଧରି ଆନ୍ଦୋଳନ ଚାଲିଥିଲା। ଆଉ ଏହା ସଫଳ ହୋଇଥିଲା। ଏହି ଆନ୍ଦୋଳନ ହିଁ ମୋତେ ସକ୍ରିୟ ରାଜନୀତିରେ ସାମିଲ୍‌ ହେବା ପାଇଁ ବାଟ ଦେଖାଇଥିଲା।
ଆପଣ ଏବେ ବିଜେଡିରେ ଅଛନ୍ତି ନା ଦଳ ଛାଡ଼ି ଦେଇଛନ୍ତି?
ମୁଁ ଅଛି କି ନାହିଁ ତାହା ଦଳର ସର୍ବୋଚ୍ଚ ନେତା ଜାଣିଛନ୍ତି। ସେ ତ କହୁଛନ୍ତି ମୁଁ ଦଳରେ ଅଛି। ତେଣୁ ମୁଁ ଅଛି। ପାର୍ଟି ବିରୋଧରେ କିମ୍ବା ସରକାରଙ୍କ ବିରୋଧରେ ମୁଁ ଲଢ଼େଇ କରୁନାହିଁ।
ବିଜେଡିରେ ରହି ଆପଣ ଦଳର ସୁପ୍ରିମୋଙ୍କ ଉପରେ ବିଶୋଦଗାର କରିବାର କାରଣ କଣ?
ଭାଷା ଆନ୍ଦୋଳନ ଆରମ୍ଭ କଲି ୨୦୧୨ ମସିହାରେ। ସେତେବେଳେ ମୁଁ ଆମ ଦଳର ସୁପ୍ରିମୋଙ୍କ ବିରୁଦ୍ଧରେ କହିନଥିଲି। ୧୯୫୪ ମସିହାରେ ଯେଉଁ ଭାଷା ଆଇନ ପ୍ରଣୟନ ହୋଇଛି ତାହାକୁ କାର୍ଯ୍ୟକାରୀ କରିବାକୁ ଆମେ ଦାବି କରୁଛୁ। ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟ  ଓଡ଼ିଆ ଭାଷାରେ ହେଉ ବୋଲି ମୁଁ କହିଥିଲି। ସରକାରଙ୍କୁ ବାରମ୍ବାର ଅବଗତ କରିବା ପରେ ଭାଷା ଆଇନ୍ କାର୍ଯ୍ୟକାରୀ ହେଲା ନାହିଁ। ଏଣୁ ସମାଲୋଚନା କରିବାକୁ ବାଧ୍ୟ ହେଲି।
ଏଭଳି ଆଚରଣ ବିଶୃଙ୍ଖଳିତ ନୁହେଁ କି?
ଦଳ ଭିତରେ ରହି ମୁଁ ବିଶୃଙ୍ଖଳା କରୁନି। ଆଜି ମୁଁ ଯେଉଁ ଆନ୍ଦୋଳନ କରୁଛି ସେଥିରେ ମନ୍ତ୍ରିମଣ୍ଡଳରେ ବହୁ ସଦସ୍ୟ ଅଛନ୍ତି ଏବଂ ୯୦ ଭାଗ ଲୋକ ବିଜେଡିରେ ଅଛନ୍ତି। ସେମାନେ ମୋତେ କହିଛନ୍ତି ବୈଷ୍ଣବ ବାବୁ ଆପଣ ଭଲ କାମ କରୁଛନ୍ତି। ଆମେ ଚାହୁଁଛୁ ଓଡ଼ିଆରେ ଶାସନ ହେଉ।
ଓଡ଼ିଆ ନ ଜାଣିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ କହିବା କେତେ ଦୂର ଠିକ୍?
ଯିଏ ଶାସକ ହେବେ ସେ ଲୋକଙ୍କ ଭାଷା ବୁଝିବା ଦରକାର, ନହେଲେ ସେ ଲୋକଙ୍କ ସମସ୍ୟାକୁ ବୁଝିପାରିବେ ନାହିଁ। ସେ ଯଦି ଓଡ଼ିଆ ଟିଭି ବା ଖବରକାଗଜ ପଢ଼ି ନପାରିବେ ରାଜ୍ୟରେ କଣ ହେଉଛି କେମିତି ବୁଝିବେ?
ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍‌ ପାସ୍ କଲେ ଏଥିରେ ଆପଣ ଖୁସି ନୁହଁନ୍ତି କି?
ଓଡ଼ିଶାରେ ଯେତେ ବିଶ୍ୱବିଦ୍ୟାଳୟ ଅଛି ତାହା ରୁଗ୍‌ଣ ଅବସ୍ଥାରେ। ଓଡ଼ିଆ ବିଭାଗରେ ୪୫-୫୦ ଭାଗ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ଚେୟାରଟିଏ ନାହିଁ। ସରକାର ଓଡ଼ିଆ ଭାଷାକୁ ମାରିଦେଉଛନ୍ତି। ଓଡ଼ିଶାରେ ଅଧିକାଂଶ ସ୍କୁଲରେ ଓଡ଼ିଆ ପଢ଼େଇବା ପାଇଁ ଭଲ ଶିକ୍ଷକ ନାହାନ୍ତି। ୮ମ ଶ୍ରେଣୀ ଛାତ୍ରକୁ ଓଡ଼ିଆରେ ପ୍ରଶ୍ନ କଲେ ସେ ଠିକ୍‌ରେ ଉତ୍ତର ଦେଇପାରୁନି। ତେଣୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଲେ ଲାଭ କ’ଣ ହେବ? ଅପରପକ୍ଷରେ ଯେଉଁମାନେ ଉଦ୍ୟମ କରି ଓଡ଼ିଆ ବିଶ୍ୱବିଦ୍ୟାଳୟ କରୁଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।
ଯେଉଁ ଦଳର ସୁପ୍ରିମୋ ଓଡ଼ିଆ ଜାଣିନାହାନ୍ତି ସେ ଦଳକୁ ଆସି ଆପଣ ଅନୁତପ୍ତ କି?
ଗର୍ବ କରୁଛି ଯେ, ମୁଁ ଏଭଳି ଏକ ଦଳକୁ ଆସିଛି। ବିଜେଡିରେ ରହି ୨୦୧୨ ମସିହାଠାରୁ ଏ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନକୁ ବଞ୍ଚାଇ ରଖିପାରିଛି। ଆନ୍ଦୋଳନକୁ ଓଡ଼ିଶାର ଗାଁଗଣ୍ଡାକୁ ନେଇପାରିଛି। ଓଡ଼ିଆଙ୍କ ଭିତରେ ଭାଷାପ୍ରେମ ମରିଯାଇଥିଲା। ଏହାକୁ ମୁଁ ଉଦ୍ରେକ କରିବାକୁ ପ୍ରୟାସ କରୁଛି।
ଭାଷା ନାହିଁ ତ ଭୋଟ୍ ନାହିଁ ସୋଗ୍ଲାନ କେତେଦୂର ସଫଳ ହେବ?
୨୦୧୪ ନିର୍ବାଚନ ସମୟରେ ଆମେ ସବୁ ରାଜନୈତିକ ଦଳକୁ ଚିଠି ଲେଖି ଅନୁରୋଧ କରିଥିଲୁ ଯେ ନିର୍ବାଚନୀ ଇସ୍ତାହାରରେ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଜେଣ୍ଡା ରଖନ୍ତୁ। ପ୍ରାୟ ସମସ୍ତ ଦଳ ଆମ ଅନୁରୋଧ ରକ୍ଷା କଲେ, କିନ୍ତୁ ବିଜେଡି ତାହାକୁ ରଖିଲା ନାହିଁ। ତେଣୁ ଆମେ ବାଧ୍ୟ ହୋଇ କହୁଛୁ ଭାଷା ନାହିଁ ତ ଭୋଟ୍ ନାହିଁ।
୧୭ ବର୍ଷର ବିଜେଡି ଶାସନରେ ଓଡ଼ିଶାରେ କ’ଣ ବିକାଶ ହୋଇଛି?
ଅନେକ ପରିବର୍ତ୍ତନ ହୋଇଛି। ଓଡ଼ିଶାର ବିକାଶ ହୋଇଛି। ଆଉ କିଛି ବିକାଶ ଅଧାରେ ଅଟକି ରହିଛି। ଦାଦନ ଶ୍ରମିକ, ଗରିବୀ, ମରୁଡ଼ିର ଅବସ୍ଥା ନ କହିବା ଭଲ। ଦାରିଦ୍ର୍ୟ ଚିତ୍ରକୁ ବଦଳାଇବା ପାଇଁ ଅନେକ କିଛି କରିବାକୁ ବାକି ରହିଛି। ଦାନ ମାଝି ଭଳି ଚରିତ୍ର ଆଗକୁ ନଆସିବା ଦରକାର। ଏହାସହ ନବୀନବାବୁଙ୍କ ସରକାରରେ ଅର୍ଥନୈତିକ ବିକାଶ ଏବଂ ଅନେକ ଜନ ମଙ୍ଗଳକାରୀ କାର୍ଯ୍ୟ ହୋଇଥିବା ମୁଁ ସ୍ୱୀକାର କରୁଛି।
କମ୍ୟୁନିଷ୍ଟ ଆଦର୍ଶକୁ ଛାଡ଼ି ଆପଣ ବିଜେଡି ଆଦର୍ଶକୁ ଗ୍ରହଣ କଲେ କିପରି?
ସାମାଜିକ ନ୍ୟାୟ ପାଇଁ ଓଡ଼ିଶାରେ ସଚେତନତାର ଅଭାବ ରହିଥିବା ମୁଁ ଅନୁଭବ କଲି। ଲୋକମାନେ ସାମାଜିକ ନ୍ୟାୟ କ’ଣ ବୁଝୁନାହାନ୍ତି। ଗାନ୍ଧିଙ୍କ କଥା ଭୁଲିଗଲେଣି। ପ୍ରାୟ ୨/୩ ବର୍ଷ ଓଡ଼ିଶା ସାରା ବୁଲି ମୁଁ ଏବଂ ମୋର କିଛି ବନ୍ଧୁ ଏ ନେଇ ଲୋକଙ୍କ ଭିତରେ ସଚେତନତା ଆରମ୍ଭ କଲୁ। ୯ ବର୍ଷ ଧରି ଏଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ୨୦୦୫ ମସିହାରେ ମୁଁ ସମାଜବାଦୀ ପାର୍ଟିରେ ଥିବା ବେଳେ କହିଥିଲି ନବୀନବାବୁ ଆପଣ ୬ ମାସରେ ଓଡ଼ିଆ ଶିଖନ୍ତୁ, ନହେଲେ ଓଡ଼ିଶାରେ ଶାସନ କରିବାରେ ଆପଣଙ୍କର ଅଧିକାର ନାହିଁ । ଏହାପରେ ପ୍ୟାରୀବାବୁ ମୋତେ ବିଜେଡିକୁ ଆମନ୍ତ୍ରଣ କରିଥିଲେ। ସେ ମଧ୍ୟ ଛାତ୍ର ଅବସ୍ଥାରେ କମ୍ୟୁନିଷ୍ଟ୍ ଚିନ୍ତାଧାରାରେ ବଢ଼ିଥିଲେ। ତେଣୁ ମୋତେ ସେ କହିଲେ ଯେ, ବିଜେଡିକୁ ମୁଁ ଗୋଟିଏ କ୍ୟାଡର ଦଳ ଭାବରେ ତିଆରି କରିବାକୁ ଚାହୁଁଛି। ମୋତେ ଆପଣ ସହଯୋଗ କରନ୍ତୁ। ତେଣୁ ମୁଁ ବିଜେଡିରେ ଯୋଗ ଦେଇଥିଲି।
ପ୍ୟାରୀବାବୁ ବିଜେଡିରୁ ଯିବା ପରେ ଆପଣ ଦଳରେ ଅଲୋଡା ହୋଇଯାଇଥିଲେ କି?
ବିଜେଡିକୁ ମୁଁ ଆସିବା ପଛରେ ପ୍ୟାରୀବାବୁଙ୍କ ଅବଦାନ ରହିଛି। ହେଲେ ସେ ଦଳରୁ ଯିବା ପରେ ମୁଁ ଅଲୋଡ଼ା ମନେ କରିନି। ଛାତ୍ର ଅବସ୍ଥାରୁ ମୁଁ ଲଢ଼େଇ କରି ରାଜନୀତିକୁ ଆସିଛି। ସେତେବେଳେ ପ୍ୟାରୀବାବୁ ନଥିଲେ।
କେଉଁ ଦଳରେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିଛି?
ଯେତେବେଳେ ସମାଜବାଦୀ ପାର୍ଟିରେ ଥିଲି ଲୋକଙ୍କ ପାଇଁ ଲଢ଼ୁଥିଲି। ଦଳିତ ନିଷ୍ପେସିତ ଲୋକଙ୍କ ପାଇଁ ଲଢ଼େଇ କରିଛି। ଭାଷା ପାଇଁ ଆନ୍ଦୋଳନ କରୁଛି। ମୋତେ କେହି ବାଧା ଦେଇନାହାନ୍ତି। ମୁଁ ସବୁଠୁ ଏହି ଆନ୍ଦୋଳନ ସମୟରେ ହିଁ ଆନନ୍ଦ ପାଇଛି। ସଂଗ୍ରାମ ଭିତରେ ମୁଁ ଆନନ୍ଦ ପାଏ। ମୋ ଉପରେ ସେତେବେଳେ ବିରୋଧୀମାନଙ୍କ ପକ୍ଷରୁ ବହୁତ ଆକ୍ରମଣ ହୋଇଛି। କଲିକତାରେ ମୁଁ ଅନେକ ଥର ଜେଲ୍ ଯାଇଛି। କିନ୍ତୁ ମୁଁ ବହୁତ ଖୁସି ଅନୁଭବ କରିଛି। କାରଣ ଏ ଲଢ଼େଇ ସାଧାରଣ ଲୋକ, ଗରିବ ଓ ଖଟିଖିଆ ଲୋକଙ୍କ ପାଇଁ ଥିଲା।
(ସାକ୍ଷାତକାର: ସତ୍ୟବ୍ରତ ପାଢ଼ୀ)

Comment