(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ହ୍ୱାଟ୍‌ସ୍‌ ଆପ୍‌ ସର୍‌ଭର୍‌ ହୋଇଛି ଡାଉନ୍‌। ଫଳରେ ହ୍ୱାଟ୍‌ସ୍‌ ଆପ୍‌ ବ୍ୟବହାରକାରୀ ଭୋଗୁଛନ୍ତି ସମସ୍ୟା। କେବଳ ଭାରତୀୟ ନୁହେଁ, ବିଶ୍ୱର ପ୍ରାୟ ୧୦ରୁ ଅଧିକ ଦେଶରେ ଦେଖାଦେଇଛି ଏହି ସମସ୍ୟା। ହ୍ୱାଟ୍‌ସ୍‌ ଆପ୍‌ ଓପନ୍ ହେଉଛି, ହେଲେ କୌଣସି ମେସେଜ ଯାଉନଥବାରୁ ବ୍ୟବହାରକାରୀ ଅସୁବିଧାରେ ପଡ଼ିଛନ୍ତି। ଏହି ସମସ୍ୟା କିଛି ସମୟ ଧରି ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୱାଟ୍‌ସ ଆପ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଡାଉନ୍‌ ଡିଟେକ୍ଟର ୱେବସାଇଟ୍‌ର ସୂଚନା ଅନୁଯାୟୀ, ଭାରତ ସମେତ କାଜଖିସ୍ତାନ, ତୁର୍କୀ, ଲିବିଆ, ସୁଦାନ, ସାଉଦୀ ଆରବ, ମଙ୍ଗୋଲିଆ, ଚାଇନା, ମାଲେସିଆ, ଇଣ୍ଡୋନେସିଆ ପ୍ରଭୃତି ଦେଶର ହ୍ୱାଟ୍‌ସ୍‌ ଆପ୍‌ ବ୍ୟବହାରକାରୀମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଭାରତର କିଛି ହ୍ୱାଟ୍‌ସ୍‌ ଆପ୍‌ ବ୍ୟବହାରକାରୀଙ୍କ କହିବା ଅନୁଯାୟୀ, ସର୍‌ଭର୍‌ ଡାଉନ୍‌ ଯୋଗୁଁ ଆମେ କୌଣସି ମେସେଜ୍‌ ପାଇପାରୁନାହୁଁ କିମ୍ବା ମେସେଜ ପଠାଇ ପାରୁନାହୁଁ। ଭାରତୀୟ ସମୟ ଅପରାହ୍ନ ୧ଟା ପରଠାରୁ ହ୍ୱାଟ୍‌ସ୍‌ ଆପ୍‌ ଭାରତରେ କାମ କରୁନଥିବା କିଛି ବ୍ୟବହାରକାରୀ କହିଛନ୍ତି।

ସର୍ବାଧିକ ୟୁଜର୍ସ ବ୍ୟବହାର କରୁଥିବା ସୋସିଆଲ ମିଡିଆ ହେଉଛି ହ୍ୱାଟ୍‌ସ୍‌ ଆପ୍। ହେଲେ ଏହି ଏହି ସୋସିଆଲ୍‌ ମିଡିଆ ଠପ୍‌ ହୋଇଯାଇଥିବାରୁ ବ୍ୟବହାରକାରୀ ନାକେଦମ୍‌ ହୋଇଯାଇଛନ୍ତି।

ଚଳିତବର୍ଷ ହ୍ୱାଟ୍‌ସ୍‌ ଆପ୍‌ ତୃତୀୟ ଥର ପାଇଁ ଠପ୍‌ ହୋଇଯାଇଛି। ଗତ ଅଗଷ୍ଟ ମାସରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଇଥିଲା। ସେହିପରି ମେ ମାସରେ ମଧ୍ୟ ହ୍ୱାଟ୍‌ସ୍‌ ଆପ୍‌ରେ ସମସ୍ୟା ଦେଖାଦେଇଥିଲା।

Comment