(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଫସଲ ନପୋଡ଼ିବାକୁ ହାତଯୋଡ଼ି ନିବେଦନ କରିବା ପରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଫସଲ ପୋଡ଼ୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।

ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି କୃଷିମନ୍ତ୍ରୀ ଡାକ୍ତର ଦମୋଦର ରାଉତ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍। ଚାଷ ପୋଡ଼ୁଥିବା ଚାଷୀଙ୍କୁ ମିଳିବ ନାହିଁ କ୍ଷତିପୂରଣ। ୩୩ ପ୍ରତିଶତ ଚାଷ ନଷ୍ଟ ହୋଇଥିଲେ ସରକାର କ୍ଷତିପୂରଣ ଦେବେ। ଫସଲ ପୋଡ଼ୁଥିବା ଚାଷୀଙ୍କୁ କୌଣସି ସହାୟତା ମିଳିବ ନାହିଁ ବୋଲି ଡାକ୍ତର ରାଉତ ଆଜି ସଚିବାଳୟରେ ସ୍ପଷ୍ଟ କରିଛନ୍ତି।

ଚାଷୀ ଫସଲ ପୋଡ଼ିବାକୁ ନେଇ ଗି ୪ ଦିନ ହେଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଉପାନ୍ତରୁ ଉପକୂଳ ସବୁଠି ଚାଷୀ ଜମିରେ ନିଆଁ ଲଗାଇ ଫସଲ ପୋଡ଼ୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଆଶା କରାଯାଉଥିଲା ସରକାର ସେମାନଙ୍କୁ ସହାୟତାର ହାତ ବଢ଼ାଇବେ। କିନ୍ତୁ କୃଷି ବିଭାଗ ମନ୍ତ୍ରୀ ଡାକ୍ତର ରାଉତ ସହାୟତା ମିଳିବ ନାହିଁ ବୋଲି କହିବା ପରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବର୍ଷ ସାରା କେମିତି ଚଳିବେ ତାକୁ ନେଇ ଚିନ୍ତା ବଢ଼ିଛି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ବରଗଡ଼ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ରିପୋର୍ଟ ଚାଷୀ ଆତ୍ମହତ୍ୟା କଥା ଉଲ୍ଲେଖ କରାଯାଇନାହିଁ। ଫସଲହାନି କଥା ଉଲ୍ଲେଖ କରାଯାଇଛି। ଚାଷୀଋଣ ପାଇଁ ଆତ୍ମହତ୍ୟା କରିନାହିଁ।”

ଚକଡ଼ା ପୋକର ପ୍ରାଦୁର୍ଭାବ ପାଇଁ ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ପ୍ରଥମେ ତାଙ୍କ ସୁନାର ଫସଲରେ ନିଆଁ ଲଗାଇଦେଇଥିଲେ। ଏହାକୁନେଇ ଚର୍ଚ୍ଚା ନ ଥମୁଣୁ ବୃନ୍ଦା କୀଟନାଶକ ଖାଇ ଜୀବନ ହାରିଥିଲେ। ବୃନ୍ଦା ସାହୁ ଫସଲ ପୋଡ଼ିବା ପରେ ଏହା ସମ୍ବଲପୁର, ରାୟଗଡା, ଗଞ୍ଜାମ ଆଦି ଜିଲ୍ଲାକୁ ବ୍ୟାପିଥିଲା। ଚାରିଆଡେ ଚାଷୀ ଫସଲ ପୋଡ଼ିଥିଲେ।

ଫସଲ ନ ପୋଡ଼ିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ନିବେଦନ କରିଥିଲେ। ଏହାପରେ ବି ଚାଷୀ ଚଷରେ ନିଆଁ ଲଗାଇବା ବନ୍ଦ କରି ନଥିଲେ। ସମ୍ବଲପୁର ଜିଲ୍ଲାପାଳଙ୍କ ପରେ କୃଷିମନ୍ତ୍ରୀ ଡାକ୍ତର ରାଉତ ମଧ୍ୟ ଚାଷ ନ ପୋଡ଼ିବାକୁ ଚାଷୀଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ଧାନ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। ଲକ୍ଷ୍ମୀଙ୍କୁ ପୋଡ଼ିଲେ ଲକ୍ଷ୍ମୀଛଡ଼ା ହୋଇଯିବ ବୋଲି ଦାମ କହିଥିଲେ।

Comment