ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ଥିଲା କିନ୍ନରମାନଙ୍କୁ ଆମ ସମାଜ ଭିନ୍ନ ଚକ୍ଷୁରେ ଦେଖୁଥିଲା। ହେଲେ ଏବେ ସମୟ ବଦଳିଛି। କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ଆସନ୍ତୁ ଏମିତି କିଛି କିନ୍ନରଙ୍କ ସମ୍ପର୍କରେ ଜାଣିବା, ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଭାରତ ପାଇଁ ଗୌରବ ଆଣିଛନ୍ତି।

୨୦୧୧ର ଜନଗଣନା ରିପୋର୍ଟ କହୁଛି ଭାରତରେ ଅଛନ୍ତି ୪ ଲକ୍ଷ ୯୦ ହଜାର କିନ୍ନର। ତେବେ ସୁପ୍ରିମକୋର୍ଟ ଐତିହାସିକ ରାୟ ପରେ କିନ୍ନରମାନଙ୍କୁ ମିଳିଛି ତୃତୀୟଲିଙ୍ଗିର ସମ୍ମାନ। ତେବେ ଏହି କିନ୍ନରମାନଙ୍କ ମଧ୍ୟରେ ଏମିତି କିଛି ଅଛନ୍ତି ଯେଉଁମାନେ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ଏବେ ଆସନ୍ତୁ ଜାଣିବା ଭାରତର ଟପ୍‌ ୬ ସଫଳ କିନ୍ନରମାନଙ୍କ ବିଷୟରେ।

କଲ୍‌କି ସୁବ୍ରମଣ୍ୟମ୍

ଇଣ୍ଟେଲେକ୍‌ଚଆଲ ରିଲେସନ୍‌, ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ କଲ୍‌କି ସୁବ୍ରମଣ୍ୟମ ଦୁଇ ଦୁଇଟି ଡିଗ୍ରୀ ହାସଲ କରିଛନ୍ତି। ପାଠପଢ଼ା ଶେଷ କରିବା ପରେ କଲ୍‌କି ସାମ୍ବାଦିକତା ବୃତ୍ତିକୁ ଆପଣାଇ ନେଇଥିଲେ। ଏହାସହ ସେ ଜଣେ ଭଲ ଲେଖିକା ଏବଂ ସମାଜସେବୀ ଭାବେ ସୁନାମ ଅର୍ଜନ କରିଛନ୍ତି। କିନ୍ନର ସମ୍ପ୍ରଦାୟ ପାଇଁ ସେ ସହୋଦରି ଫାଉଣ୍ଡେସନ୍ ଗଠନ କରିଛନ୍ତି। ଏହାସହ କଲ୍‌କି ମଧ୍ୟ ଅଭିନୟ ଜଗତରେ ପାଦ ରଖିଛନ୍ତି।

ପଦ୍ମିନୀ ପ୍ରକାଶ

ଭାରତର ପ୍ରଥମ କିନ୍ନର ନ୍ୟୁଜ୍ ଆଙ୍କର ଭାବେ ଜଣାଶୁଣା ପଦ୍ନିନୀ ପ୍ରକାଶ ନିଷ୍ଠାପର ଉଦ୍ୟମ ଯୋଗୁ ବହୁ ସଫଳତା ହାସଲ କରିଛନ୍ତି। ସେ ଜଣେ କଣ୍ଠଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିବା ବେଳେ କଥକ ନୃତ୍ୟର ପ୍ରଶିକ୍ଷକ ଭାବେ ବେଶ୍ ଜଣାଶୁଣା। ଏହାସହ ସେ ମିସ୍‌ ଟ୍ରାନ୍ସଜେଣ୍ଡର ଅଫ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି। ପଦ୍ମିନୀ ଟିଭି ସିରିଏଲରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପରେ ସେ ଟିଭି ଚ୍ୟାନେଲର ଆଗଧାଡ଼ିର ନ୍ୟୁଜ ଆଙ୍କର ଭାବେ ସଫଳତା ସାଉଁଟିଥିଲେ।

ମଧୁବାଈ କିନ୍ନର

କେବଳ ସମାଜସେବା କି ନ୍ୟୁଜ ଆଙ୍କର ନୁହେଁ, ରାଜନୀତିରେ ବି କମାଲ୍ ଦେଖାଇଛନ୍ତି କିନ୍ନର। ଛତିଶଗଡ଼ର ରାଇଗଡ଼ ଜିଲ୍ଲାର ମେୟର ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମଧୁବାଈ କିନ୍ନର। ସହରର ଗଳି କନ୍ଦି ବୁଲି ପଥପ୍ରାନ୍ତ ନାଟକରେ ଅଭିନୟ କରୁଥିବା ମଧୁବାଈ ନିଜ ହାତମୁଠାରେ କ୍ଷମତାକୁ ଜାବୁଡ଼ି ଧରିବାର ସୌଭାଗ୍ୟ ଅର୍ଜନ କରିଥିଲେ।

ମାନବୀ ବନ୍ଦୋପାଧ୍ୟାୟ

ପଶ୍ଚିମବଙ୍ଗର ବିବେକାନନ୍ଦ ଶତବାର୍ଷିକୀ ମହାବିଦ୍ୟାଳୟରେ ଆସୋସିଏଟ ପ୍ରଫେସର ଭାବେ ଚାକିରି ଆରମ୍ଭ କରି ମାନବୀ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ପରେ ସେ କ୍ରିଷ୍ଣାନଗର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ହୋଇ ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିଛନ୍ତି। ସେ ‘ଏଣ୍ଡଲେସ୍‌ ବଣ୍ଡେଜ’ ଉପନ୍ୟାସର ଲେଖିକା ମଧ୍ୟ।

ଜୋୟିତା ମଣ୍ଡଲ

ପଶ୍ଚିମବଙ୍ଗର ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜୋୟିତା ମଣ୍ଡଲ ଏବେ ପ୍ରଥମ କିନ୍ନର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଲିଙ୍ଗଗତ ପାର୍ଥକ୍ୟ ଯୋଗୁ ସେ ପିଲାବେଳେ ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲେ। ଏପରିକି ତାଙ୍କୁ ସ୍କୁଲରୁ ମଧ୍ୟ  ବିତାଡିତ କରାଯାଇଥିଲା। ପରେ ସେ ନିଜ ଭାଗ୍ୟକୁ ଆଦରି ବସ୍‌ ଷ୍ଟାଣ୍ଡରେ ରାତ୍ରିଯାପନ କରିଥିଲେ। ଭୋକ ମେଣ୍ଟାଇବା ସେ ପର ପାଖରେ ହାତ ପାତୁଥିଲେ। ହେଲେ ଏଥିରେ ସେ ଧୈର୍ଯ୍ୟହରା ନହୋଇ ପରିସ୍ଥିତିକୁ ମୁକାବିଲା କରିଥିଲେ। ପରିଶ୍ରମ ବଳରେ ସେ ପ୍ରଥମ କିନ୍ନର ବିଚାରପତି ହୋଇପାରିଛନ୍ତି।

 

 

Comment