ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାଦୀୟ ମନ୍ତବ୍ୟ ଏବଂ ନିବନ୍ଧକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ଭର୍ତ୍ତୃହହରି ମହତାବ ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ ନାହାନ୍ତି କହିବା ପରେ ଭର୍ତ୍ତୃହରି ସମାଲୋଚିତ ହୋଇଛନ୍ତି।

ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ନିଜ ଖବରକାଗଜରେ ନିବନ୍ଧ ଲେଖି ବିବାଦରେ ରହୁଥିବା ଭର୍ତ୍ତୃହରି ଏବେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସାଂସଦଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯିବା ପରେ ଭର୍ତ୍ତୃହରି ସଫେଇ ଦେଇଛନ୍ତି।

କଟକ ଶ୍ରୀରାମଚନ୍ଦ୍ର ଭବନରେ ଫ୍ରି ଥିଙ୍କର ପକ୍ଷରୁ ଆୟୋଜିତ ଏକ ସଭାରେ ଭର୍ତ୍ତୃହରି ମହତାବ ରବିବାର ଅତିଥି ଭାବେ ଯୋଗଦେଇଥିଲେ। କହିଥିଲେ, ଯୀଶୁଖ୍ରଷ୍ଟଙ୍କ ଜନ୍ମ ଡିସେମ୍ବର ୨୫ ତାରିଖରେ ହୋଇନାହିଁ। ଯିଏ ବାଇବେଲ୍ ପଢ଼ିବ ସେ ଏ ସମ୍ପର୍କରେ ଜାଣି ପାରିବ। ଏହି ମନ୍ତବ୍ୟ ଦେବା ବେଳେ ସାଂସଦ ଶ୍ରୀ ମହତାବ କେରଳରେ ବସବାସ କରୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଉଦାହରଣ ଦେଇଥିଲେ। କେରଳରେ ଯେଉଁ ଖ୍ରୀଷ୍ଟଧର୍ମୀ ଅଛନ୍ତି ସେମାନେ ଡିସେମ୍ବର ୨୫ରେ ଜନ୍ମଦିନ ପାଳନ କରନ୍ତି ନାହିଁ।

ଏହି ମନ୍ତବ୍ୟ ଦେବା ପରେ ବିଭିନ୍ନ ଖ୍ରୀଷ୍ଟ ଧର୍ମ ଗୁରୁ ମୁହଁ ଖୋଲିଛନ୍ତି। ଭର୍ତ୍ତୃହରିଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି।

“ଯୀଶୁଖ୍ରୀଷ୍ଟଙ୍କ ଜନ୍ମକୁ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମତ ଥାଇପାରେ। କିନ୍ତୁ ସେମାନଙ୍କ ମନ୍ତବ୍ୟକୁ ନେଇ କିଛି କହିବାର ନାହିଁ। ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମଦିନ ଭାବେ ସମସ୍ତେ ପାଳନ କରି ଆସୁଛନ୍ତି”, କହିଛନ୍ତି କଟକସ୍ଥିତ ଓଡ଼ିଶା ବାପିଷ୍ଟ ଚର୍ଚ୍ଚର ମୁଖ୍ୟ ନିହାର କୁମାର ଦାସ।

କଟକ ଚର୍ଚ୍ଚ ଅଫ୍ ନର୍ଥ ଇଣ୍ଡିଆ ସମ୍ପାଦକ ବିଭୁଦତ୍ତ ଦାସ କହିଛନ୍ତି, “ସାଂସଦଙ୍କ ଏହି ମନ୍ତବ୍ୟକୁ ମୁଁ ବିରୋଧ କରୁଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍ ହୋଇନାହିଁ।”

ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସାଂସଦ ସଫେଇ ଦେଇଛନ୍ତି। କହିଛନ୍ତି, ୨୦୦୦ ବର୍ଷ ତଳର ଇତିହାସକୁ ନେଇ ଚର୍ଚ୍ଚା ହେଉଛି। ଏହାର କିଛି ନିଦର୍ଶନ ହାଜିଆ ସୋଫିଆରେ ଦେଖିବାକୁ ମିଳିଛି। ଯୀଶୁଙ୍କ ପ୍ରକୃତ ସ୍ବରୂପକୁ ନେଇ ହାଜିଆ ସୋଫିଆ ଓ ଅନ୍ୟ ଚର୍ଚ୍ଚରେ ଫରକ୍ ଦେଖିବାକୁ ମିଳିଛି।

କେବଳ ଭର୍ତ୍ତୃହରି ନୁହନ୍ତି, ଗତ କିଛିଦିନ ତଳେ ବିଜେଡିର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପାଇକ ବିଦ୍ରୋହକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନଥିଲେ କହି ବିବାଦୀୟ ହୋଇ ଯାଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଏପରିକି ଦାମଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଭିନ୍ନ ଅନୁଷ୍ଠାନ।

ଏବେ ବିଜେଡିର ଅନ୍ୟତମ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ପୂର୍ବରୁ ଭର୍ତ୍ତୃହରି ବିବାଦୀୟ ବୟାନ ଦେଇ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ।

Comment