ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରାହ୍ମଣୀ ସେତୁ ପରେ ମହାନଦୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର। ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିବନି କହି କେନ୍ଦ୍ର ସରକାର ଓଡ଼ିଶା ଉପରେ ଦୋଷ ଲଦିଥିବାରୁ ବିବାଦ ତେଜିଛି।

ଓଡ଼ିଶାକୁ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର ସରକାର। ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିବା ଏବେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ତେଜିଛି। ଓଡ଼ିଶା ସରକାର ସବିଶେଷ ତଥ୍ୟ ଦେଇ ନଥିବାରୁ ଟ୍ରିବ୍ୟୁନାଲର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାକୁ ନେଇ ବିଜେଡି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି।

କେନ୍ଦ୍ର ସରକାରଙ୍କ ଓକିଲ ଓ୍ବାସିମ୍ ଏ କାଦ୍ରି କହିଛନ୍ତି, “ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆବଶ୍ୟକ ହେଉଥିବା ତଥ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ  ସରକାର ଦେଉ ନାହାନ୍ତି। ଏଣୁ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ।”

“ଟ୍ରିବ୍ୟୁନାଲ ଗଠନ ନେଇ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ବୋଲି ପୂର୍ବରୁ ସଂସଦରେ କେନ୍ଦ୍ର ସରକାର କହିଥିଲେ। ଏମିତିକି ନଭେମ୍ବର ୧୯ ସୁଦ୍ଧା ପଦକ୍ଷେପ ନିଆଯିବ ବୋଲି ସୁପ୍ରିମକୋର୍ଟକୁ ଜଣାଇଥିଲେ। ତେବେ ଏଭଳି କଥା କେନ୍ଦ୍ର ସରକାର କାହିଁକି କହିଥିଲେ”, ଏହି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପକେଶରୀ ଦେବ।

ମହାନଦୀର ଉପରମଣ୍ଡରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ପ୍ରକଳ୍ପ ବନ୍ଦ କରିବାକୁ ଓଡ଼ିଶା ଦାବି କରି ଆସୁଛି। ହେଲେ ପ୍ରକଳ୍ପ ବନ୍ଦ ହେବାର ନାଁ ଧରୁନି। ଏହାକୁ ନେଇ ବିଜେଡି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଜଳ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଥିଲା। ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା।

ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ହେଲେ ବର୍ଷକ ପରେ ବି କେନ୍ଦ୍ର ଏ ଦିଗରେ ପଦକ୍ଷେପ ନେଲାନି। ଶେଷରେ ଟ୍ରିବ୍ୟୁନାଲ ଗଠନକୁ ମନା କରି ଦେଇଛନ୍ତି କେନ୍ଦ୍ର ସରକାର।

Comment