ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ
  • ସାହିତ୍ୟ ସାଧକଙ୍କୁ ଦିଆଗଲା ରାଷ୍ଟୀୟ ମର୍ଯ୍ୟାଦା
  • ବହୁ ବିଶିଷ୍ଟ କଲେ ଶେଷ ଦର୍ଶନ

ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ମରଶରୀର। ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଶେଷକୃତ୍ୟ ସମ୍ପନ୍ନ ବେଳେ ପୁରୀ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ସାହିତ୍ୟ ସାଧକ ଚନ୍ଦ୍ରଶେଖରଙ୍କର ଶେଷ ଦର୍ଶନ କରିଥିଲେ। ଚନ୍ଦ୍ରଶେଖରଙ୍କ ବଡ଼ ପୁଅ ଶଶୀଭୂଷଣ ରଥା ମୁଖାଗ୍ନି ଦେଇଥିଲେ।

ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଚନ୍ଦ୍ରଶେଖରଙ୍କର ଦେହାନ୍ତ ହୋଇଥିଲା। ଚଳିତ ବର୍ଷ ସେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଥିଲେ। ହେଲେ ଏହି ସମ୍ମାନ ପାଇବା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଛନ୍ତି।

ଗଳ୍ପ ଏବଂ ଉପନ୍ୟାସ ଜଗତକୁ ଚନ୍ଦ୍ରଶେଖରଙ୍କର ଥିଲା ଉଲ୍ଲେଖନୀୟ ଅବଦାନ। ସେ ଅନେକ କାଳଜୟୀ ନିବନ୍ଧ ଏବଂ କବିତା ମଧ୍ୟ ଲେଖିଛନ୍ତି।

ଚନ୍ଦ୍ରଶେଖରଙ୍କ ଦେହାନ୍ତରେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଭୁବନେଶ୍ବର ବାସଭବନକୁ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଜଣାଶୁଣା ତଥା ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ଔପନ୍ୟାସିକ ଚନ୍ଦ୍ରଶେଖର ରଥ ୧୭ ଅକ୍ଟୋବର ୧୯୨୯ ମସିହାରେ ପବିତ୍ର କୁମାର ପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମଗ୍ରହଣ କରିଥିଲେ।

‘ଯନ୍ତ୍ରାରୂଢ଼’,‘ନବଜାତକ’ ଏବଂ ‘ଅସୂର୍ଯ୍ୟ ଉପନିବେଶ’ ଭଳି ଉପନ୍ୟାସ ଲେଖି ଶ୍ରୀ ରଥ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଏହା ବ୍ୟତୀତ ୧୪ଟି ଗଳ୍ପ ସଂକଳନ, ୧୨ଟି ନିବନ୍ଧ ଗ୍ରନ୍ଥ ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଚନ୍ଦ୍ରଶେଖର ରଥ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟରୁ ଇଂରାଜୀ ଏବଂ ଆଇନ୍‌ରେ ସ୍ନାତକୋତ୍ତର ହାସଲ କରିବା ସହ ଲକ୍ଷ୍ନୌ ଓ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡିଲିଟ୍ ଉପାଧି ପାଇଛନ୍ତି।

କେବଳ ସାହିତ୍ୟ କିମ୍ବା ପ୍ରବନ୍ଧ ଜଗତରେ ନୁହେଁ, ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଶ୍ରୀ ରଥ ସୁନାମ ଅର୍ଜନ କରିଛନ୍ତି। ୧୯୫୨ରୁ ୧୯୮୬ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରି ବହୁ ଛାତ୍ରଛାତ୍ରୀଙ୍କୁ ମଣିଷ କରିଛନ୍ତି। ପରେ ସେ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ରହିଥିଲେ। ୧୯୮୭ରେ ସେ ଏହି ପଦବୀରୁ ଅବସର ନେଇଥିଲେ। ଅବସର ନେବା ପରେ ବି ସେ ଘରେ ବସି ଯାଇ ନଥିଲେ। ୧୯୮୭ରୁ ୧୯୯୫ ପର୍ଯ୍ୟନ୍ତ ସେ ‘ସନ୍‌ ଟାଇମ୍ସ’ର ସମ୍ପାଦକ ଏବଂ ‘ସମ୍ବାଦ’ ସମ୍ପାଦକ ପୃଷ୍ଠାର ସମ୍ପାଦନା ଦାୟିତ୍ଵ ତୁଲାଇଥିଲେ।‘ଆସ୍ପୃହା’ ଏବଂ ‘ଶତଭିଷା’ ଭଳି ପତ୍ରିକାର ପ୍ରତିଷ୍ଠାତା ଉପଦେଷ୍ଟା ରହିଥିଲେ ଚନ୍ଦ୍ରଶେଖର ରଥ।

ସାହିତ୍ୟ, ପ୍ରବନ୍ଧ, କବିତା ଏବଂ ଉପନ୍ୟାସ ଜଗତକୁ ରୁଦ୍ଧିମନ୍ତ କରିଥିବା ଶ୍ରୀ ରଥ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ୧୯୭୨ ଓ ୧୯୭୪ରେ ‘ପ୍ରଜାତନ୍ତ୍ର ବିଷୁବ ସମ୍ମାନ’, ୧୯୭୯ରେ ‘ଧରିତ୍ରୀ ସମ୍ମାନ’, ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ପାଇଁ ୧୯୭୩ରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, ଗଳ୍ପ ସଂକଳନ ‘ସମ୍ରାଟ’ପାଇଁ ୧୯୮୨ରେ ସାରଳା ପୁରସ୍କାର, ସମ୍ବଲପୁର ବିଶ୍ଵବିଦ୍ୟାଳୟ ତରଫରୁ ‘ଭରତ ଚନ୍ଦ୍ର ସ୍ମାରକୀ’ ସମ୍ମାନ, ଗଳ୍ପ ସଂକଳନ ‘ସବୁଠାରୁ ଦୀର୍ଘ ରାତି’ ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏହାସହ ୨୦୧୦ରେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୧ରେ ସାହିତ୍ୟ ଭାରତୀ ସମ୍ମାନ ଏବଂ ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ବରେଣ୍ୟ ସଦସ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ। ଚଳିତବର୍ଷ ସେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ହୋଇଥିଲେ।

Comment