ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେ ସ୍ୱାଧୀନ, କିନ୍ତୁ ଆମେ ସ୍ୱେଚ୍ଛାଚାରୀ ନୋହୁଁ।… ଆମକୁ କାହାର ଦୟାର ଆବଶ୍ୟକତା ନାହିଁ।…  ‘ସଂରକ୍ଷଣ ଅଧିକାରନୁହେଁ ବରଂ ଆମକୁ ମିଳିବା ଦରକାରଆମ ଅଧିକାର୫୦୫୦ ପୃଥିବୀର ସ୍ୱପ୍ନ ଦେଖାଉଥିବା ସମାଜ ଏବେ ଜାଗ୍ରତ ହେବା ଦରକାର ।… ଏମିତି କିଛି ଦୃଢ଼ ବାର୍ତ୍ତା ନେଇ ଆସିଛି ୨୦୧୮ ବିଶ୍ୱ ମହିଳା ଦିବସ ଆସନ୍ତୁ ଶୁଣିବା ଆଜିର ଆଧୁନିକ ନାରୀଙ୍କ ମୁହଁରୁ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ। ଓଡ଼ିଶାଲାଇଭ୍‌ ଆଣିଥିବା ଏହି ପ୍ରତିଭାମାନେ ହେଲେ ଡିଜେ ମନିଷା ମଲ୍ଲିକ, ପାଇଲଟ ସେଲ୍‌ବି ମିଶ୍ର, ଟେନିସ୍ ସେନ୍‌ସେସନ୍ ଋତୁପର୍ଣ୍ଣା ଚୌଧୁରୀ ଏବଂ ଡେୟାର ଡେଭିଲ୍ ଯୋଡ଼ି ସୁବନ୍ତି-ସୁକମଣି।

ନିୟନ୍ ସେଡର ରାଣୀ ମନିଷା

ଯାହାଙ୍କ  ଡିଜେ ଧୂନରେ ମତୁଆଲା ହୁଅନ୍ତି ଯୁବପିଢ଼ି । ପାଦରେ ପାଦ ମିଶାଇ ନାଚନ୍ତି ବିଳମ୍ବିତ ରାତି ଯାଏଁ । ସେ ରଙ୍ଗବତୀ ହେଉ କି …ସାଥୀ ଆଜି ମିଳିଗଲା…ଅଥବା ଏ ଫୁଲ କହ ଥରେ… ହେଉ କି ଦୋ ବୋତଲ୍ ଭୋଡକା… । ସବୁଥିରେ ଥାଏ କିଛି ନା କିଛି ସ୍ୱତନ୍ତ୍ରତା । ପୁରୁଣା ଗୀତରେ ରିମିକ୍ସର ଏହି ଛିଟା ସଙ୍ଗୀତପ୍ରେମୀଙ୍କୁ ଆଲୋଡିତ କରେ ଆଉ ନେଇ ଯାଏଁ ଏକ ଅଜଣା ଦୁନିଆକୁ । ଶନିବାର ଓ ରବିବାର ହେଲେ ମନେପଡନ୍ତି ଏହି ସୁନ୍ଦରୀ ଆଉ ମନେପଡେ ତାଙ୍କ ଡିଜେର ଧୂନ୍ । ସେ ହେଲେ ମନିଷା ମଲ୍ଲିକ । ଡିସ୍କ ଜକି ଦୁନିଆରେ ଏକ ଜଣାଶୁଣା ନାଁ । ୨୭ ବର୍ଷୀୟା ମନିଷା ହେଉଛନ୍ତି ଓଡ଼ିଶାର ଦ ୱାନ ଆଣ୍ଡ ଓନ୍‌ଲି ଲେଡି ଡିସ୍କ ଜକି ।

ପୂରା ନା ମନିଷା ମଲ୍ଲିକ୍ । ବୟସ ପାଖାପାଖି ୨୭ ହେବ । ଘର କଲିକତାରେ । ଆଉ ପାଠପଢ଼ାବି ସେଇଠି । ବାପା ପ୍ରଦୀପ କୁମାର ଜଣେ ବ୍ୟବସାୟୀ ହୋଇଥିବାରୁ ମନିଷା ଅନେକ ସମୟରେ ଓଡ଼ିଶା ଆସନ୍ତି । ୨୦୦୯ ମସିହା କଥା । ଭୁବନେଶ୍ୱରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥାନ୍ତି ମନିଷା । ଜଣେ ବନ୍ଧୁଙ୍କ ସହଯୋଗରେ ଅଚାନକ ଭେଟ ହୁଏ ଡିଜେ ତୁଷାରଙ୍କ ସହ । ଅଳ୍ପ ସମୟର ଦେଖା କିନ୍ତୁ ଦୀର୍ଘ ଦିନର ବନ୍ଧୁତାକୁ ଡାକିଆଣେ । ଉଭୟେ ମିଶନ୍ତି । ଆଉ ଶେଷରେ ସଙ୍ଗୀତ ପ୍ରତି ଥିବା ଦୁର୍ବଳତା ପରସ୍ପରକୁ ଦିଏ ଏକ ନୂଆ ସମ୍ପର୍କ । ଉଭୟେ ୨୦୦୯ ସେପ୍ଟମ୍ବର ମାସରେ ବିହାହ କରନ୍ତି ।

ତା’ପରେ ବଦଳିଯାଏ ମନିଷାଙ୍କ ଜୀବନ । ବଦଳିଯାଏ ତାଙ୍କ ପରିବେଶ । ବସାଉଠା ହୁଏ ସ୍ୱାମୀ ଡିଜେ ତୁଷାରଙ୍କ ସହ । ବିଳମ୍ବିତ ରାତି ଯାଏଁ ସେ ସମୟ କଟାନ୍ତି ନାଇଟ୍ କ୍ଲୁବ୍‌ରେ ଗହଳି ଭିତରେ । ଧୀରେ ଧୀରେ ଭଲ ଲାଗେ ଝାପ୍ସା ଆଲୁଅ ଭିତରେ ନାଲି, ନୀଳର ସେ ନିଅନ୍ ସେଡ । ଭଲ ଲାଗେ ଲାଉଡ ମ୍ୟୁଜିକ୍ । ଲୋକଙ୍କ ଗହଳି ଭିତରେ ଭୁଲି ହୋଇଯାଏ ଅବସାଦ । ଏହି ସମୟ ଟିକକୁ ବାନ୍ଧି ରଖିବାକୁ ଚାହୁଁଥିବା ମନିଷା ଦିନେ ନିଷ୍ପତ୍ତି ନେଲେ ଡିଜେ ହେବେ । ପରିଶ୍ରମ କଲେ । ୟୁଟ୍ୟୁବର ସାହାଯ୍ୟ ନେଲେ । ନୟାପଲ୍ଲୀ ସ୍ଥିତ ଆର୍ଡିଜେ ଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ନାଁ ଲେଖାଇଲେ । ଆଉ ଶିଖିଲେ ଡିସ୍କ ଜକି ହେବାର ସମସ୍ତ କଳା କୌଶଳ । ଏମିତି ନୁହେଁ ଯେ ମୂଳରୁ ସେ ସବୁ ଶିଖିଯାଇଥିଲେ । କି ତାଙ୍କ ମୁଣ୍ଡରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ହାତ ଥିଲା । ଅନେକ ଝୁଣ୍ଟିଛନ୍ତି । ପୁଣି ଛିଡା ହୋଇ ଚାଲିବା ଶିଖିଛନ୍ତି ମନିଷା । ଡିସ୍କ ଜକି ଦୁନିଆରେ ନିଜକୁ ପରିଚିତ କରାଇବା ପାଇଁ ସ୍ୱାମୀ ତୁଷାରଙ୍କ ସହାୟତା ନେଇଛନ୍ତି ସତ ହେଲେ ଆଜି ଯେଉଁ ଟିକକ ନାଁ କମାଇଛନ୍ତି ତାହା ନିଜସ୍ୱ ଉଦ୍ୟମ ଓ ପରିବାର ଲୋକଙ୍କ ସହଯୋଗରେ ବୋଲି କହନ୍ତି ମନିଷା ।

୨୦୦୯ ମସିହାରୁ ହିଁ ମନିଷା ନିଜକୁ ଏହି ଏଣ୍ଟରଟେମେଣ୍ଟ ବ୍ୟବସାୟ ସହ ଯୋଡି ରଖିପାରିଛନ୍ତି । ପ୍ରଥମେ ମେ ଫେୟାର୍ କ୍ୟାରିୟର ଆରମ୍ଭ କରିଥିବା ମନିଷା ପରବର୍ତ୍ତୀ ସମୟରେ ଏଚ୍ଏଚ୍ଆଇରେ କାମ କରିବାର ସୁଯୋଗ ପାଇଥିଲେ । ଇତି ମଧ୍ୟରେ ସେ ୩୦୦ରୁ ଅଧିକ ସୋ’ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଭୁବନେଶ୍ୱର ବ୍ୟତୀତ ସେ କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଭାଇଜାଗ୍ ଭଳି ବଡ ବଡ ସହରରେ ନିଜର କାର୍ଯ୍ୟକ୍ରମ କରି ସାରିଛନ୍ତି । ଏହାଛଡା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ, ପ୍ରାଇଭେଟ୍ ପାର୍ଟି ଓ କର୍ପୋରେଟ ହାଉସ୍ ଉତ୍ସବରେ ନିଜର କାର୍ଯ୍ୟକ୍ରମ କରିଛନ୍ତି ।

ବିଜ୍ଞାନରେ ସ୍ନାତକ ଡିଗ୍ରୀ ଧାରିଥିଲେ ମଧ୍ୟ ମନିଷା ସଙ୍ଗୀତ ପ୍ରତି ଦୁର୍ବଳ । ଆଉ ଏହି ଦୁର୍ବଳତା ତାଙ୍କର ପିଲାଟି ବେଳୁ । ସେ କହନ୍ତି ଯେତେବେଳେ ମୋତେ ୧୯ ବର୍ଷ ସେବେଠାରୁ ସଙ୍ଗୀତ ପ୍ରତି ମୋର ଏ ଦୁର୍ବଳତା । କଲିକତାରେ ୬ ବର୍ଷର ରହଣି ସମୟରେ ମୁଁ ଅନେକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଛି । ସେଠାରେ ସଙ୍ଗୀତ ପ୍ରତି ଲୋକଙ୍କ ପାଗଳାମୀକୁ ଅନୁଭୂବ କରିଛି । ସେଠାରେ ଥିବା ବ୍ୟାଣ୍ଡ ଗ୍ରୁପ୍ ପ୍ରତି ଲୋକଙ୍କ ଭଲପାଇବାକୁ ଦେଖିଛି । ସଙ୍ଗୀତ ପ୍ରତି ସବୁ ବର୍ଗର ଲୋକଙ୍କ ମନରେ ଥିବା ଭଲ ପାଇବା ହିଁ ମୋତେ ଜଣେ ଡିଜେ ହେବାକୁ ବାଟ କଢ଼ାଇଛି ବୋଲି କହି ହେବ ।

ଯଦିଓ ରାଜଧାନୀରେ ନାଇଟ କ୍ଲବ୍ ମାର୍କେଟ ନାହିଁ ତଥାପି ଏହି ବୃତ୍ତିକୁ ଛାଡିନାହାଁନ୍ତି ମନିଷା । ସେ କହନ୍ତି ଭୁବନେଶ୍ୱରରେ ଲୋକେ ନାଇଟ ଲାଇଫ୍ ସହ ଏତେ ପରିଚିତ ନୁହଁନ୍ତି । ଏମାନେ ମଧ୍ୟ ଆମ ଟାର୍ଗେଟ ଅଡିଏନ୍ସ ନୁହଁନ୍ତି । ଜଣେ ମହିଳା ଜକି ଭାବେ ମୁମ୍ବାଇ, ପୁନେ ହେଉଛି ମୋର ମାର୍କେଟ । ତେବେ ରାଜଧାନୀ ମୁଁ ଛାଡିନି । କୌଣସି ପ୍ରାଇଭେଟ ପାଟି ଓ କର୍ପୋରେଟ ପାର୍ଟି ପାଇଁ ଡାକରା ଆସିଲେ ମୁଁ ଯାଏ । ଯଦିଓ ଏହା ଏକ ପୁରୁଷ କୈନ୍ଦ୍ରିକ ବୃତ୍ତି ତଥାପି ମୋ ଶ୍ୱଶୂର ଓ ଶାଶୂ ମୋତେ ଏଥିପାଇଁ କେବେ ବାରଣ କରିନାହାଁନ୍ତି । ଶ୍ୱଶୂର ହରେକୃଷ୍ଣ ମଲ୍ଲିକ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ଥିବା ବେଳେ ଶାଶୂ ସୌଦାମିନୀ ମଲ୍ଲିକ ଜଣେ ସୁଗୃହିଣୀ। ଉଭୟେ ପୁରୁଣା କାଳିଆ ଲୋକ ସତ ସେତେ ସେମାନଙ୍କର ମାନସିକତା ଆଧୁନିକ ସମାଜର ମାନସିକତାଠାରୁ ଢେ଼ର ଉଚ୍ଚରେ ।

ମନିଷାଙ୍କ ନାଁ ଆଘରେ ‘ଡିସ୍କ ଡିଜେର ଏହି ଟ୍ୟାଗ୍ ଲାଇନ୍ ଆଜି ତାଙ୍କୁ ସୋସିଆଲ୍ ମିଡିଆରେ ନୂଆ କରିଚୟ ଦେଇ ପାରିଛି । ଏବେ ସୋସିଆଲ୍ ମିଡିଆରେ ମନିଷାଙ୍କ୧୦ ହଜାରରୁ ଅଧିକ ଫଲୋଅର । ଡିସ୍କ ଡିଜେକୁ ନେଇ କ୍ୟାରିୟର କରିଥିବା ମନିଷା ଏବେ ନୟାପଲ୍ଲୀ ସ୍ଥିତ ଆର୍ଡିଜେର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତାଙ୍କ ଭଳି ଶହ ଶହ ଡିସ୍କ ଡିଜେ ସୃଷ୍ଟି କରୁଛନ୍ତି । ଆଉ ତାଙ୍କ ଭଳି ଯୁବ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି ।

ନୀଳ ଆକାଶକୁ ଭେଦିଛନ୍ତି ସେଲବି ମିଶ୍ର

କଳ୍ପନା ଚାଓଲାଙ୍କ ଭଳି ନୀଳ ଆକାଶର ନୀଳିମାକୁ ଭେଦିବାର ଆସ୍ପର୍ଦ୍ଧା ରହିଛି ତାଙ୍କ ଆତ୍ମବିଶ୍ୱାସରେ । ବୟସ ମାତ୍ର ୨୬ । ହେଲେ ବି କଥା ତାଙ୍କର ଆକାଶଚୁମ୍ଭୀ । ନିଜର ଦୃଢ଼ ଆତ୍ମପ୍ରତ୍ୟୟ ବଳରେ ଓଡ଼ିଶାର ନିପଟ ମଫସଲ ଗାଁରୁ ବାହାରି ସେ ଛୁଇଁ ପାରିଛନ୍ତି ମେଘକୁ । ଆଉ ମାପି ପାରିଛନ୍ତି ଆକାଶର ସୀମା । ଏମିତି ଜଣେ ମହିଳା ହେଲେ କେନ୍ଦୁଝର ଜିଲ୍ଲା, ପଦ୍ମପୁର ବ୍ଲକ୍, ରୁକୁଣାପୁରଶାସନର ସେଲବି ମିଶ୍ର ।

ସେଲବିଙ୍କ ଏ ସ୍ୱପ୍ନ ପିଲାବେଳର । ଯେତେବେଳେ ତାଙ୍କୁ ମାତ୍ର ୧୨ କି ୧୩ ବର୍ଷ ବୟସ ହୋଇଥାଏ । ବାପା ବିପିନ୍ ମିଶ୍ର ଜଣେ ନୌସେନା ଅଧିକାରୀ ହୋଇଥିବାରୁ ପିଲାବେଳୁ ଘରେ ଫାଇଜର ଜେଟ୍ ଓ ଏୟାରକ୍ରାଫ୍ଟ ବିଷୟରେ ଆଲୋଚନା ହୁଏ । ସେତେବେଳରୁ ହିଁ ସେଲବି ନିଜକୁ ଆକାଶରେ ଉଡିବାର ସ୍ୱପ୍ନ ଦେଖିବା ଆରମ୍ଭ କଲେ । ଆଉ ବାପା ବିପିନ୍ ମିଶ୍ର ଥିଲେ ଏ ଦିଗରେ ପ୍ରେରଣାର ଏକମାତ୍ର ଉତ୍ସ । ଅଭିଏସନ୍ ଭଳି  ଏକ ପୁରୁଷ ପ୍ରାଧାନ୍ୟ ବୃତ୍ତିକୁ ନିଜର କରିବାକୁ ଚାହିଁଥିବା ସେଲବି କହନ୍ତି ବର୍ତ୍ତମାନ ସମାଜରେ ସେଭଳି କୌଣସି ବୃତ୍ତି ନାହିଁ ଯାହାକି କେବଳ ପୁରୁଷଙ୍କ ପାଇଁ ପ୍ରଯୁଯ୍ୟ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କେବଳ ଆତ୍ମବିଶ୍ୱାସ ଦରକାର । ନିଜର ଦୃଢ଼ ମନବୃତ୍ତି ଆଜିର ମହିଳାକୁ ଆକାଶକୁ ନେଇ ପାରିବ । ଆମମାନଙ୍କ ପାଇଁ ଆକଶ ପରିବ୍ୟାପ୍ତ ନୁହେଁ । ବରଂ ଏହାର ଶେଷ ଅଛି ବୋଲି ଧରି ନେବାକୁ ହେବ । ମୁଁ ପିଲାବେଳୁ କଡା ଅନୁଶାସନ ଭିତରେ ବଢ଼ିଛି । ବାପା ଭାରତୀୟ ନୌସେନାରେ କାମ କରୁଥିବାରୁ ଘରଠୁ ଆରମ୍ଭ କରି ବାହାର ଯାଏଁ, ସବୁଠି ଶୃଙ୍ଖଳିତ ଜୀବନ ବିତାବାକୁ ପଡିଛି । ପିଲାବେଳୁ ଆମକୁ ପୁଅଙ୍କ ସହିତ ଲଢ଼ିବା ଶିଖାଯାଇଛି । ସବୁବେଳେ ମୁଁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଛି । ଯାହାର ଫଳ ସ୍ୱରୂପ ଆଜି ମୁଁ କ୍ୟାପଟେନ ସେଲବି ମିଶ୍ର ।

ମଧ୍ୟବିତ୍ତ ପରିବାରରୁ ଆସିଥିବା ସେଲବି ଇତି ମଧ୍ୟରେ ଏୟାର ଏସିଆର ପାଇଲଟ୍ । ୪୦୦ ଘଣ୍ଟାର କଷ୍ଟକର ତାଲିମ ଶେଷ କରି ଆଜି ସେ ନାଁ ରଖିଛନ୍ତି ଓଡିଶାବାସୀଙ୍କ । ଆଉ ପ୍ରଥମ ମହିଳା କମର୍ସିଆଲ ପାଇଲଟ ଭାବେ ଆଖ୍ୟା ପାଇ ପାରିଛନ୍ତି । ଏ ଯାତ୍ରା ଏତେ ସହଜ ନଥିଲା ସ୍କୁଲରେ ଦିବଂଗତ କଳ୍ପନା ଚାଉଲାଙ୍କ ବାବଦରେ ପାଠ୍ୟକ୍ରମ ଓ କିଛି ମୋଟିଭେସନାଲ୍ ଭିଡିଓ ତାଙ୍କ ମନ ଭିତରେ ଥିବା ଆକାଶକୁ ଛୁଇଁବାର ଜିଜ୍ଞାସାକୁ ଦ୍ୱିଗୁଣିତ କଲା । ମୁମ୍ବାଇରେ ଆଭିଏସନ୍ରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସେଲବି ଫ୍ଲାଇଙ୍ଗ ପାଇଁ ଆମେରିକାର ଟେକ୍ସାସଗଲେ । ଏଦିଗରେ ଅନେକ ଆର୍ଥିକ ପ୍ରତିବନ୍ଧକ ଆସିଛି । ହେଲେ କେବେ ପଛକୁ ଫେରି ନାହାଁନ୍ତି ସେଲବି ଓ ପରିବାର ଲୋକେ ।

ନିଜ ଗାଁ ଓ ରାଜ୍ୟ ବାବଦରେ ସେଲବି କହନ୍ତି ମୁଁ କେନ୍ଦୁଝର ଜିଲ୍ଲାର ପଦ୍ମପୁର ନାମକ ଏକ ଛୋଟ ଗାଁରୁ ଆସିଛି । ଓଡିଶାରେ ଯଦି ସୁନ୍ଦର ସ୍ଥାନର ତାଲିକା କରାଯାଏ ତେବେ ତା ଭିତରେ କେନ୍ଦୁଝରର ନାଁ ନିଶ୍ଚିତ ଆସିବ । ଯଦିଓ ଏହା ସମ୍ପୂର୍ଣ୍ଣ ବିକଶିତ ହୋଇନି ତେବେ ଧୀରେ ଧୀରେ ଏହା ବିକାଶ ପଥରେ ଗତି କରୁଛି । ଆଗରୁ ଗାଁରେ ଯଦି କେହି ହାଇସ୍କୁଲ ଶେଷ କରିଦେଲା ତେବେ ତାର ବାହାଘର କରି ଦିଆଯାଉଥିଲା ।

ମାତ୍ର ଏବେ ଏଥିରେ ଟିକେ ପରିବର୍ତ୍ତନ ଆସିଛି । ପାଠପଢ଼ାର ମହତ୍ୱ ଲୋକେ ବୁଝିଲେଣି । ଆଉ ଓଡ଼ିଶା ବାବଦରେ ଏତିକି କହିବି ଜଣେ ଓଡିଆ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରେ । ମୁଁ ଇତି ମଧ୍ୟରେ ୧୦ଟି ଦେଶ ବୁଲି ସାରିଲିଣି । ଯୁଆଡେ ଗଲେ ମୋତେ ସମସ୍ତେ ପଚାରନ୍ତି ଘର ବାବଦରେ । ଆଉ ଯେବେ ମୁଁ ଉତ୍ତର ଦିଏ ଓଡିଶା । ସମସ୍ତେ କହନ୍ତି ଜଗନ୍ନାଥ ଧାମ…. । ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ମୋର ପରିଚୟ ହୋଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରେ ।

ଶେଷରେ ମହିଳା ଦିବସ ଅବସରରେ ଓଡିଶାର ପ୍ରତ୍ୟେକ ପରିବାରର ପିତା ମାତାଙ୍କୁ ଅନୁରୋଧ କରିବି ଝିଅମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ଆଗଭର ହୁଅନ୍ତୁ । ବୁଢ଼ା ବୟସରେ ପୁଅ ସାହାରା ହେବ ଏହି ମାନସିକତାରେ ପରିବର୍ତ୍ତନ ଆଣନ୍ତୁ । ଯୁବପିଢ଼ିଙ୍କୁ କହିବାକୁ ଚାହିଁବି କି ସ୍ୱପ୍ନ ଦେଖ । ଯଦି କିଛି କରିବାର ଆତ୍ମବିଶ୍ୱାସ ଅଛି ତେବେ ଏ ପୃଥିବୀ… ଏ ସମାଜ ତୁମ ନିକଟରେ ମୁଣ୍ଡ ନୁଆଁଇବ ।

ଓଡ଼ିଶାର ସାନିଆ ଋତୁପର୍ଣ୍ଣା

ଟେନିସ ! ପୁଣି ଓଡ଼ିଶା ! ଏ ଦୁଇଟି ପରସ୍ପରଠାରୁ ପୃଥକ ନିଶ୍ଚିତ । ମହିଳା ଟେନିସକୁ ନେଇ କ୍ୟାରିୟର କରିବା ବି ଏତେଟା ସହଜ ନୁହେଁ । ଦେଶରେ ସାନିଆ ମିର୍ଜାଙ୍କ ପରେ ସେଭଳି କୌଣସି ମହିଳା ତାରକା ଏ ଦିଗରେ ନାଁ ବି କରି ପାରିନାହାଁନ୍ତି । ତଥିପି ସବୁଦିନ, ପ୍ରତି ମୁହୁର୍ତ୍ତରେ ସାନିଆ ହେବାର ସ୍ୱପ୍ନରେ ଦେଶର କୋଣ ଅନୁକୋଣରେ ଟେନିସ୍ କୋଟରେ ଅଭ୍ୟାସ କରୁଛନ୍ତି ଶହ ଶହ ସାନିଆ । ଏମିତି ଜଣେ ଓଡ଼ିଆ ଟେନିସ୍ ତାରକା ହେଲେ ଋତୁପର୍ଣ୍ଣା ଚୌଧୁରୀ। ଯିଏକି ଜାତୀୟ ଜୁନୀୟର ସ୍ତରରେ ଗୋଟିଏ ପରେ ଗୋଟିଏ ମେଡାଲ ପାଇ ଚାଲିଛନ୍ତି । ଆଉ ଟେନିସ୍ ପାହ୍ୟାରେ ନିଜର ଅସ୍ତିତ୍ୱ ପ୍ରମାଣିତ କରି ଚାଲିଛନ୍ତି ।

ଋତୁପର୍ଣ୍ଣା ଚୌଧୁରୀ । ବୟସ ପାଖାପାଖି ୧୬ ହେବ । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଋତୁପର୍ଣ୍ଣା ।  ଓଡ଼ିଶା ଜୁନିୟର ବାଳିକା ଟେନିସରେ ଏବେ ଏକ ନମ୍ବର ଖେଳାଳି ହେଉଛନ୍ତି ଋତୁପର୍ଣ୍ଣା । ଜାତୀୟସ୍ତରରେ ଜଣେ ସୁପରିଚିତ ନାଁ । ୨୦୧୫ ମସିହାରେ ରାଜୀବ ଗାନ୍ଧୀ ପୁରସ୍କାର ପାଇଥିବା ଋତୁପର୍ଣ୍ଣା ନିକଟରେ ନିଜର ଭଲ ପ୍ରଦର୍ଶନ ପାଇଁ ମୁଖମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଟେନିସ୍ ତାରକା ହେବାର ଲକ୍ଷ୍ୟ ରଖିଥିବା ଋତୁପର୍ଣ୍ଣା ମାଟ୍ରିକ ପରୀକ୍ଷା ପରେ ବିଧିବଦ୍ଧ ଭାବେ ଆନ୍ତର୍ଜାତୀୟ ସ୍ତରରେ କେଚିଂ ନେବେ । ଯାହାକି ତାଙ୍କୁ ଆନ୍ତର୍ଜାତିକ ସ୍ତରର ଟୁର୍ଣ୍ଣାମେଣ୍ଟ ଖେଳିବାରେ ସାହାଯ୍ୟ କରିବ । ଉଭୟ ଟେନିସ୍ ଓ ପାଠପଢ଼ାରେ ସନ୍ତୁଳନ ରଖି ଆଗକୁ ବଢ଼ୁଛନ୍ତି ଋତୁପର୍ଣ୍ଣା । ଏ ଦିଗରେ ପରିବାର ଲୋକଙ୍କ ଆଭିମୁଖ୍ୟ ବେଶୀ ସ୍ପଷ୍ଟ ବୋଲି କହନ୍ତି ଋତୁପର୍ଣ୍ଣା । ସେ କହନ୍ତି ପାଠ ପଢ଼ା, ଖାଦ୍ୟପେୟର ଯତ୍ନ ମା’ ଜ୍ୟୋତ୍ସା ନେଉଥିବା ବେଳେ ଅନ୍ୟ କଥା ବାପା ଚୌଧୁରୀ ବିନୟ କୁମାର ବୁଝିଥାନ୍ତି । ମାଟ୍ରିକ ପରୀକ୍ଷାର ଜଟିଳ ସମୟ ଭିତରେ ବି ମୁଁ ସମସ୍ତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖେଳାଳିଙ୍କ ଖେଳ ଦେଖେ। ଏହା ମୋତେ ମାନସିକ ସ୍ତରରେ ଖୁସି ଦିଏ । ମୋର ସଫଳତା ପଛରେ ମୋ କୋଚ ଅଲ୍ଲୀ ସାର୍ଙ୍କ ଅବଦାନ ଯଥେଷ୍ଟ ଅଧିକ । ତାଙ୍କ ପରିଶ୍ରମ ଓ ପ୍ରେରଣା ହିଁ ମୋତେ ଏ ଦିଗରେ ଅଧିକ ଅଗ୍ରସର ହେବାକୁ ଆତ୍ମବିଶ୍ୱାସ ଦେଇ ପାରିଛି ।

ମାତ୍ର ୬ ବର୍ଷ ବୟସରୁ ଟେନିସ୍ ଖେଳିବା ଆରମ୍ଭ କରିଛନ୍ତି ଋତୁପର୍ଣ୍ଣା । ଝିଅର ଏହି ଆଗ୍ରହ ଦେଖି ବାପା ଚୌଧୁରୀ ବିନୟ କୁମାର ଦାସଙ୍କୁ ପ୍ରଭାବିତ କଲା । ଝିଅର ଏହି ସଫଳତାରେ ଯେମିତି କୌଣସି ଅଭାବ ନ ରୁହେ ସେଥିପାଇଁ ଦିନରାତି ଏକାଠି କରିଛନ୍ତି ବିନୟ । ଆଉ ନିଜ ସ୍ତ୍ରୀ ଜ୍ୟୋତ୍ସାଙ୍କ ସହ ମିଶି ଆରମ୍ଭ କରିଛନ୍ତି ବ୍ୟବସାୟ । ସେଥିରୁ ବାହାରୁଥିବା ଲାଭାଂଶ ଖର୍ଚ୍ଚ ହୁଏ ଋତୁପର୍ଣ୍ଣାଙ୍କ କୋଚିଂରେ । ଏ ଦିଗରେ ଋତୁପର୍ଣ୍ଣାଙ୍କ କୋଚ ସୟଦ ଫରହାନ୍ ଅଲ୍ଲୀଙ୍କ ଭୂମିକା ମଧ୍ୟ କିଛି କମ୍ ନୁହେଁ । କୋଚ୍ ଶିଖାଉଥିବା ଟେନିସ୍ର ପ୍ରତିଟି କୌଶଳକୁ ଅତି ସହଜରେ ଗ୍ରହଣ କରିନିଅନ୍ତି ଋତୁପର୍ଣ୍ଣା । ଉଭୟ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେଲା ରେ ୨୦୧୩ ମସିହାରେ ସେ ବିଧିବଦ୍ଧ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଆରମ୍ଭ କଲେ ।  ୨୦୧୩ ଡିସେମ୍ବର ମାସରେ ୧୫ତମ ନାଲକୋ ଓପନ୍ ଅଲ୍ ଓଡ଼ିଶା ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଋତୁପର୍ଣ୍ଣା ବାଳିକା ସିଙ୍ଗଲସ୍ରେ ରନର୍ସଅପ୍ ହୋଇଥିଲେ । ଏହାପରେ ଆଉ ସେ କେବେ ପଛକୁ ଫେରି ଦେଖି  ନାହାଁନ୍ତି । ୨୦୧୪ରେ ପ୍ରଥମ କିଟ୍ ଅଲ୍ ଓଡ଼ିଶା ଟେନିସ ଚାମ୍ପିଅନ୍ସିପ୍ରେ ଚାମ୍ପିଅନ୍ ହେଲେ । ସେହିବର୍ଷ ନାଲକୋ କପ୍ରେ ସିଙ୍ଗଲ୍ ଟାଇଟଲ୍ ଆସଲ କଲେ । ମିକ୍ସଡ ଡବଲସ୍ରେ ମଧ୍ୟ ତାଙ୍କର କୃତିତ୍ୱ ରହିଛି । ୨୦୧୫ ଉକ୍ରଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଚାମ୍ପିଅନ୍ ହେବାର କୌରବ ଅର୍ଜନ କରିଛନ୍ତି ଋତୁପର୍ଣ୍ଣା ।

ଜାତୀୟ ସ୍ତରରେ ମଧ୍ୟ ତାଙ୍କ ସଫଳତାର ତାଲିକା ଖୁବ୍ ଳମ୍ବା । ୨୦୧୩ ମସିହାରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟେନିସ୍ ଟୁର୍ଣ୍ଣାମେଣ୍ଟର ୧୪ ବର୍ଷରୁ କମ୍ ବାଳିକା ଡବଲ୍ସରେ ଚାମ୍ପିଅନ୍ ହୋଇଥିଲେ । ୨୦୧୪ ଆଇଟା ଓଟିପିପିଏ ଚାମ୍ପିଅନ୍ସିପ୍ ସିରିଜ୍ରେ ଡବଲ୍ସ ଚାମ୍ପିଅନ୍, ବିଶାଖାରପାଟଣରେ ଅନୁଷ୍ଠିତ ଡକ୍ଟର ରମେଶ ସ୍ମାରକୀ ଅଲ୍ ଇଣ୍ଡିଆ ଚାମ୍ପିଅନ୍ସିପରେ ସିଙ୍ଗଲ୍ ଚାମ୍ପିଅନ୍ ହୋଇଥିବା ବେଳେ ନିକଟରେ କୋଲକାତାରେ ଅନୁଷ୍ଠିତ ଆଇଟା ସୁପର ସିରିଜରେ ସିଙ୍ଗଲ୍ସରେ ବିଜେତା ହୋଇଛନ୍ତି।

  ଷ୍ଟଣ୍ଟ  ୱିମେନ୍ ସୁବନ୍ତୀ ଓ ସୁକମଣି

ସମ୍ବଲପୁରର ମଫସଲ ଗାଁରୁ ଦିଲ୍ଲୀ ଦରବାର ଯାଏଁ …ଯାହାଙ୍କ ନାଁର ଚର୍ଚ୍ଚା । ଯାହାଙ୍କ ଷ୍ଟଣ୍ଟର ଜଲୱା ଦେଖିଲା ସାରା ବିଶ୍ୱ ସେମାନେ ହେଲେ ସୁବନ୍ତି ଓ ସୁକମଣୀ । ସମ୍ପର୍କରେ ଦୁଇଭଉଣୀ । ନାମ ସୁବନ୍ତୀ ଖଡିଆ ଓ ସୁକମଣି ଖଡିଆ । ୬୯ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୩କିମି ରାସ୍ତାରେ ଚାଲିଥିଲା ତାଙ୍କ ବୁଲେଟ୍ । କେତେବେଳେ ପଦ୍ମଫୁଲ ଫୁଟିଲା ତ ଆଉ କେତେବେଳେ ୩୬୦ ଡିଗ୍ରୀ ଘୁରି ପ୍ରଦର୍ଶନ କଲେ ଚିତ୍ତାକର୍ଷକ ଷ୍ଟଣ୍ଟ । ଓଡ଼ିଶାରୁ ୬ଜଣ ମହିଳା ଏହି ପ୍ୟାରେଡରେ ଯୋଗଦେଇଥିଲେ । ସେଥିରେ ଥିଲେ ଏହି ଦୁଇ ଭଉଣୀ ସୁବନ୍ତୀ ଓ ସୁକମଣି।

ପିଲାଟିବେଳୁ ତାଙ୍କ ଭାଇଙ୍କର ଇଚ୍ଛା ଥିଲା ଭଉଣୀ ସୈନିକ ହେବ । ଆଉ ନକ୍ସଲ ଅଞ୍ଚଳରେ ଘର ହୋଇଥିବାରୁ ଯବାନ୍ମାନଙ୍କୁ ଦେଖି ତାଙ୍କ ମନ ବି ଆନେ୍ଦାଳିତ ହୋଇଥିଲା। ନିଜ ଭିତରେ ଥିବା ଆତ୍ମବିଶ୍ୱାସ ୨୦୧୨ ମସିହାରେ ସୁବନ୍ତୀଙ୍କୁ ବିଏସ୍ଏଫ୍ରେ ଯୋଗ ଦେବାକୁ ସତସାହାସ ଦେଲା। ଭଉଣୀଙ୍କ ପଦାଙ୍କ ଅନୁକରଣ କଲେ ସାନଭଉଣୀ ସୁକମଣି । ଆଉ ୨୦୧୪ରେ ସେ ବି ସେନାରେ ଯୋଗ ଦେଲେ । ସେବେଠାରୁ ୨ଜଣ କମାଣ୍ଡ ଟ୍ରେନିଂ ନେଉଛନ୍ତି । ଆଉ ବାଙ୍ଗଲାଦେଶ ସୀମାରେ କାର୍ଯ୍ୟ କରୁଛନ୍ତି । ମାତ୍ର ୨୫ଦିନର ତାଲିମ ନେଇ ୨ଭଉଣୀ ଦେଖାଇ ପାରିଛନ୍ତି ସାହାସିକତାର ଅଦ୍ଭୁତ ସନ୍ତୁଳନ । ଯାହାକି ସାରା ବିଶ୍ୱକୁ ଆଚମ୍ବିତ କରିଛି ।

ଏ ବାବଦରେ ସୁକାନ୍ତି କହନ୍ତି ଘର ନକ୍ସଲ ଅଞ୍ଚଳ ହୋଇଥିବାରୁ ସିଆରପିଏଫ୍ ଯବାନଙ୍କ ୟୁନିଫର୍ମ ପ୍ରଥମ କରି ଦେଖି ମୋତେ ଉତ୍ସାହିତ କରିଥିଲା । ସେତେବେଳେ ସମ୍ବଲପୁରରେ କର୍ଫୁ ଜାରି ହୋଇଥାଏ । ଯାହାକି ମୋତେ ସେନାରେ ଯୋଗ ଦେବାକୁ ସାହାସ ଦେଇଥିଲା । ଆଉ ଯେବେ ମୁଁ ପ୍ରଥମକରି ଫୌଜ ପୋଷାକରେ ଛୁଟିରେ ଘରକୁ ଆସିଥିଲି, ଲୋକଙ୍କ ସ୍ନେହ, ଆଶୀର୍ବାଦ ମୋତେ ଖୁବ୍ ଖୁସି ଦେଇଥିଲା ।

ଷ୍ଟଣ୍ଟ ବାବଦରେ ଏତିକି କହିବି ୧୯୯୦ ମସିହାରୁ ଆରମ୍ଭ ହୋଇଥିଲା ଏହି ଷ୍ଟଣ୍ଟ୍ ଶୋ’। ପ୍ରଥମଥର ପାଇଁ ବିଏସ୍ଏଫ୍ ମହିଳାମାନେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏଥିରେ ଭାଗ ନେଇଥିଲେ । ପ୍ରତିଟି ମୂହୂର୍ତ୍ତରେ ଥିଲା ଚାଲେଞ୍ଜ୍ ।  ୩୫୦ସିସିର ରୟାଲ୍ ଏନ୍ଫିଲ୍ଡ ବାଇକ୍ରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିବାର ଟାସ୍କ ଥିଲା । ଯେଉଁମାନେ ଏଥିରେ ଭାଗ ନେଇଥିଲେ ସେମାନେ ଗୋଟିଏ ବର୍ଷ ହେବ ଅଭ୍ୟାସ କରିଥିଲେ । ଦଳରେ ୪୫ଜଣ ଝିଅ ଏକାଠି କାମ କରୁଥିଲେ । ସେମାନଙ୍କୁ ସହଯୋଗ ପାଇଁ ଅନ୍ୟ ଝିଅମାନଙ୍କର ଆବଶ୍ୟକତା ଥିଲା । ଆମେ ଦିଲ୍ଲୀରେ କମାଣ୍ଡୋ ଟିମରେ ଥିବାରୁ ଆମକୁ ଚୟନ କରାଗଲା । କିନ୍ତୁ ଚଳନ୍ତା ବାଇକ୍ ଉପରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ବହୁତ୍ ମୁସ୍କିଲ୍ ଥିଲା । ସେଥିପାଇଁ ଆମକୁ ମାତ୍ର ୨୫ଦିନ ସମୟ ମିଳିଥିଲା । ପ୍ରଥମେ ଅଭ୍ୟାସ ସମୟରେ ଡର ଲାଗୁଥିଲା । କିନ୍ତୁ ଦିନରାତି ଅଭ୍ୟାସ ପରେ ଏହା ଆମ ପାଇଁ ସହଜ ହୋଇ ଯାଇଥିଲା । ଏସିଆ ମହାଦେଶର ର ୧୦ଟି ଦେଶର ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତିଙ୍କ ସାମ୍ନାରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା । ଆମେ ପ୍ରଦର୍ଶନ କରୁଥିବା ସମୟରେ ସମସ୍ତେ ଠିଆ ହୋଇ ଆମକୁ ଉତ୍ସାହିତ କରୁଥିଲେ । ଯାହାକି ସବୁଦିନେ ମନେ ରହିବ । ଫୌଜରେ ସବୁବେଳେ ଗୋଟିଏ ଶବ୍ଦ ରହିଥାଏ ‘କମାଣ୍ଡ’ । ଜଣେ ସୈନିକ କ୍ଷେତ୍ରରେ କେବେ ହେଲେ ମହିଳା ଓ ପୁରୁଷର ପାର୍ଥକ୍ୟ ଦେଖାଯାଏ ନାହିଁ ।

ଏ କାହାଣୀ କିନ୍ତୁ ଏତେ ସହଜରେ ଆରମ୍ଭ ହୋଇନଥିଲା । ମଫସଲ ଗାଁରୁ  ପାଦ କାଢ଼ିଥିବାରୁ ଗାଁ ଲୋକଙ୍କ ଟାହି ଟାପରା ବି ଶୁଣିବାକୁ ପଡ଼ିଥିଲା। କିନ୍ତୁ ବାପା ମା’କେବେ ହତାଶ ହୋଇନଥିଲେ । କି ଆମ ହାତ ଛାଡିନଥିଲେ । ବାପାମା’ସବୁବେଳେ ଆମକୁ ସାହାସ ଦେଇଛନ୍ତି। ନହେଲେ ଏକ ଜଙ୍ଗଲ ଘେରା ନିପଟ ମଫସଲ ଗାଁରୁ ଯାଇ ଏତେ ଦୂର ପହଞ୍ଚିବା ସହଜ କଥା ନୁହେଁ ।  ବିଶ୍ୱ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଏତିକି କହିବି ନିର୍ଯାତନା କରୁଥିବା ଲୋକଠାରୁ ନିର୍ଯାତନା ସହୁଥିବା ମହିଳା ଅଧିକ ଦୋଷୀ । ମହିଳାମାନେ ଚାହିଁଲେ ସବୁ କିଛି ପରିବର୍ତ୍ତନ କରିପାରିବେ । ଯଦି କେହି କୌଣସି ମହିଳା ଆଗକୁ ବଢିବା ପାଇଁ ଚାହେଁ, ତେବେ ତାକୁ କେହି ରୋକି ପାରିବେ ନାହିଁ । ପ୍ରଥମେ ସମସ୍ତେ ମନକୁ ଦୃଢ କରିବା ଦରକାର । ଆତ୍ମବିଶ୍ୱାସ ଦୃଢ ହେଲେ ସବୁ ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇପାରିବ ।

ରିପୋର୍ଟ: ପ୍ରତିଭା

1 COMMENT

Comment