ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା
  • ବକ୍ତୃତାର ଶୀର୍ଷକ ‘ପରିପୂର୍ଣ୍ଣତାରେ ପ୍ରତିଷ୍ଠା: ରାଜନୀତିରେ ମୂଲ୍ୟବୋଧ’
  • ରାଜକିଶୋର ନାୟକଙ୍କ ଜୀବନୀ ଉପରେ ପୁସ୍ତକ
  • ‘ସାୟାହ୍ନର ସ୍ମୃତି’ ଉନ୍ମୋଚିତ

“ଭାରତୀୟ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ରାଜନୀତିକ ଆନ୍ଦୋଳନ। ସେତେବେଳେ ଏହା ଏକ ଆଦର୍ଶବାଦ ଆନ୍ଦୋଳନରେ ପରିଣତ ହୋଇଥିଲା। ଯେଉଁମାନେ ଏହି ସଂଗ୍ରାମରେ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସ୍ୱାଧୀନ ଗରିଥିଲେ ଭାରତ ପାଇଁ ସେମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଥିଲା ଭିନ୍ନ। ଦେଶ ସ୍ୱାଧୀନ ହେବା ପରେ ଭାରତ ବିକଶିତ ହେବ ବୋଲି ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସ୍ୱାଧୀନତାର ୭୧ ବର୍ଷ ପରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବି ଦେଶର ଅଧିକାଂଶ ଲୋକ ଦିନକୁ ୨୫ ଟଙ୍କାରୁ କମ୍ ଟଙ୍କା ରୋଜଗାର କରୁଛନ୍ତି। ଫଳରେ ସେମାନେ ଆତ୍ମ ସମ୍ମାନର ସହ ସମାଜରେ ବଞ୍ଚିପାରୁ ନାହାନ୍ତି”, ତ୍ରିପୁରାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଏହା କହିଛନ୍ତି।

ଭୁବନେଶ୍ୱର ଜୟଦେବ ଭବନରେ ରବିବାର ଦିନ ଆୟୋଜିତ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର। ରାଜ କିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ସ୍ମାରକୀ ବକ୍ତୃତାର ବିଷୟ ଥିଲା ‘ପରିପୂର୍ଣ୍ଣତାରେ ପ୍ରତିଷ୍ଠା: ରାଜନୀତିରେ ମୂଲ୍ୟବୋଧ’। ଦେଶର ସ୍ୱାଧୀନତା ସଂଗ୍ରାମ, ପରବର୍ତ୍ତିୀ ସ୍ଥିତି ଏବଂ ସଂପ୍ରତିକ ରାଜନୀତି ଉପରେ ବକ୍ତବ୍ୟ ରଖିଥିଲେ ମାଣିକ ସରକାର।

ଏହି ଅବସରରେ ପାଟକୁରା ଗାନ୍ଧି ରାଜକିଶୋର ନାୟକଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ ‘ସାୟାହ୍ନର ସ୍ମୃତି’ ଉନ୍ମୋଚନ କରାଯାଇଥିଲା। ଏହାକୁ ଲେଖିଛନ୍ତି ନଳିନୀପ୍ରଭା ନାୟକ।

ମୌଳିକ ଆବଶ୍ୟକତାରୁ ବଞ୍ଚିତ ଅଧିକାଂଶ ଲୋକ

ସମାଜର ସବୁ ବର୍ଗର ଲୋକଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା। ହେଲେ ଆଜି ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଦେଶର ବହୁ ଲୋକ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। ସରକାରୀ ସୁବିଧା ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦେଶର ସିଂହଭାଗ ଲୋକ ପ୍ରତିଦିନ ଭଲ ରୋଜଗାର କରିପାରୁ ନାହାନ୍ତି। ବର୍ତ୍ତମାନ ଦିନକୁ ୨୫ ଟଙ୍କାରୁ କମ୍ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ। ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ବିକାଶ ପାଇଁ ସେତେବେଳେ ଯାହା ଚିନ୍ତା କରିଥିଲେ ତାହା ବର୍ତ୍ତମାନ ବାସ୍ତବତା ରୂପ ନେଇପାରିନି ବୋଲି କହିଛନ୍ତି ମାଣିକ ସରକାର।

ଯୁଗ୍ମ ତାଲିକାକୁ ହାଇଜାକ୍ କରାଯାଇଛି

ଭାରତୀୟ ସମ୍ବିଧାନରେ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ତାଲିକା ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ର ଭିତରେ କାର୍ଯ୍ୟ ଆବଣ୍ଟନ କରାଯାଇଛି। ହେଲେ ଏବେ ଯୁଗ୍ମ ତାଲିକାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ହାଇଜାକ୍ କରିନେଇଛନ୍ତି। କେନ୍ଦ୍ରରେ ଯେତେବେଳେ ଯେଉଁ ସରକାର କ୍ଷମତାକୁ ଆସିଛି ସେତେବେଳେ ଏହି ତାଲିକା ଅନୁସାରେ କାର୍ଯ୍ୟ ହେଉନାହିଁ। କେନ୍ଦ୍ର ସରକାରମାନେ ସେମାନଙ୍କ ସପକ୍ଷରେ ଯୁଗ୍ମ ତାଲିକାକୁ କାର୍ଯ୍ୟକାରୀ କରାଉଛନ୍ତି। ରାଜ୍ୟର ଆବଶ୍ୟକତାକୁ ଅଣଦେଖା କରାଯାଉଛି।

କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଲେ

କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର। ଶାସନକୁ ଆସିବା ପୂର୍ବରୁ ବିଜେପି ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ ୪ ବର୍ଷ ଭିତରେ ତାହା ପୂରଣ ହୋଇପାରି ନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା, ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ସ୍ୱତନ୍ତ୍ର କୃଷି ନୀତି ପ୍ରଣୟନ କରିବା, ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା, ଦେଶକୁ ଦୁର୍ନୀତିମୁକ୍ତ କରିବା, ପ୍ରତ୍ୟେକ ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ କରିବା, କଳାଟଙ୍କା ଫେରାଇ ଆଣିବା ଆଦି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ବର୍ଷ ଭିତରେ ସେସବୁ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ।

ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଚାକିରି ହରାଇଛନ୍ତି ଲୋକେ

ଦେଶରେ କେନ୍ଦ୍ର ସରକାର ଯେଉଁ ବିମୁଦ୍ରକାରଣ ନୀତି ଗ୍ରହଣ କଲେ ତାହା କରିବାର ନଥିଲା। ଏହାସହ ଜିଏସ୍‌ଟି ବ୍ୟବସ୍ଥା ମଧ୍ୟ ଦେଶ ପାଇଁ ଶୁଭଙ୍କର ନୁହେଁ। ଏହି ନୀତି ପାଇଁ ବହୁ ଲୋକ ଚାକିରି ହରାଇଛନ୍ତି। ଅଧିକାଂଶ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ଯେଉଁ ଅର୍ଥ ବ୍ୟୟବରାଦ କରାଯାଉଥିଲା ତାହ ୪ ବର୍ଷ ଭିତରେ ହ୍ରାସ ପାଇଛି। ଆଇସିଡିଏସ୍‌ ଏବଂ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପାଇଁ ଅନୁଦାନ ହ୍ରାସ ପାଇଛି।

ଦେଶରେ ସାମ୍ପ୍ରଦାୟିକତାବାଦ ବଢ଼ିଛି

ବତ୍ତର୍ମାନର କେନ୍ଦ୍ର ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୀତି ବ୍ରିଟିଶ ଶାସନକୁ ବଳି ଯାଇଛି। ଧର୍ମ, ଜାତି, ଭାଷା ଏବଂ ବର୍ଣ୍ଣକୁ ନେଇ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ବଢ଼ା ଯାଇଛି। ରାଜନୀତି ବ୍ୟବସ୍ଥା ଭ୍ରଷ୍ଟ ହୋଇଯାଇଛି। ଦେଶରେ ଏକ ଅସୁସ୍ଥକର ବାତାବରଣ ସୃଷ୍ଟି ହୋଇଛି। ଏହା ବିରୋଧରେ ଯୁବକ, ଛାତ୍ର, ଚାଷୀ, ଶ୍ରମିକମାନଙ୍କୁ ଏକାଠି ହେବାକୁ ପଡ଼ିବ। ବର୍ତ୍ତମାନର ରାଜନୀତିକୁ ସେମାନଙ୍କୁ ବୁଝିବାକୁ ପଡ଼ିବ। ଧର୍ମନିରପେକ୍ଷତାର ନାରା ଦେଇ ସଂପ୍ରତିକ ରାଜନୀତିକ ବ୍ୟବସ୍ଥା ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ଦେଶର ସମସ୍ତ ନାଗରିକଙ୍କ ଉନ୍ନତି ପାଇଁ ଆମ କାର୍ଯ୍ୟଧାରାକୁ ଆଗକୁ ନେବାକୁ ପଡ଼ିବ।

ପାଟକୁରାର ଗାନ୍ଧି ରାଜକିଶୋର ନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରଣ କରିବାକୁ ପଡ଼ିବ। ଭାରତର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଏସବୁ କାମ କରିବାକୁ ଆହ୍ୱାନ ଦେଇଥିଲେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର।

ଏହି ସ୍ମାରକୀ ବକ୍ତୃତାମାଳା ଏବଂ ପୁସ୍ତକ ଉନ୍ମୋଚନ ସଭାରେ ଅଧ୍ୟକ୍ଷତା କରିଥିଲେ ଖାତିସମ୍ପନ୍ନ କବି ପଦ୍ମବିଭୂଷଣ ମହାପାତ୍ର। ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ଲେଖକ ଓ ସ୍ତମ୍ଭକାର ଗୌରହରି ଦାସ। ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ବିଧାୟକ ଅତନୁସବ୍ୟସାଚୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ।

‘ଓଡ଼ିଶାଲାଇଭ୍‌’ ଫେସ୍‌ବୁକ୍ ପେଜରେ ପୁସ୍ତକ ଉନ୍ମୋଚନ ଏବଂ ସ୍କାରକୀ ବକ୍ତୃତାର ଲାଇଭ ଷ୍ଟ୍ରିମିଂ କରାଯାଇଥିଲା।

Comment