ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟ ଚେୟାରମ୍ୟାନ ରତନ ଟାଟାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର
  • ୩୦ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ କେମୋ ଥେରାପି
  • ୫ ବର୍ଷରେ ୯୦ ପ୍ରତିଶତ ରୋଗୀଙ୍କୁ ମିଳିବ କେମୋ ଥେରାପି
  • ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଗ୍ରୀନଫିଲ୍ଡ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ
  • ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଯୋଗାଇ ଦେବେ ୨୫ ଏକର ଜମି

ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରବିବାର ସଚିବାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଏବଂ ଟାଟା ଟ୍ରଷ୍ଟ ଭିତରେ ଗୁରୁତ୍ୱପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ରାଜିନାମା ସ୍ୱାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟାଟା ଟ୍ରଷ୍ଟର ଚେୟାରମ୍ୟାନ ରତନ ଟାଟା ଏବଂ ସ୍ୱାସ୍ଥ୍ୟ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆର୍ ଭେଙ୍କଟ ରମଣ ରାଜିନାମାରେ ସ୍ୱାକ୍ଷର କରିଛନ୍ତି।

ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଏମଓୟୁ ସ୍ୱାକ୍ଷରରେ କ୍ୟାନସର ଦୂର କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କର୍କଟ ରୋଗୀଙ୍କୁ ଏଣିକି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି କି ଅଯଥା ସମୟ ଅପଚୟ କରିବାକୁ ପଡ଼ିବନି। ବୁଝାମଣପତ୍ର ଅନୁସାରେ କର୍କଟ ରୋଗ ଚିକିତ୍ସା ନିମନ୍ତେ ତିନି ଥାକିଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି। ଏହି ବ୍ୟବସ୍ଥାକୁ ବୈଷୟିକ ଓ ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ଅଧିକ ସୁଦୃଢ଼ କରାଯିବ। ଦୁର୍ଗମ ଅଞ୍ଚଳରେ ଥିବା କର୍କଟ ରୋଗୀଙ୍କ ପାଖରେ ସହଜରେ ଚିକିତ୍ସା ସୁବିଧା ପହଞ୍ଚାଯିବ।

କେମୋ ଥେରାପି ପାଇଁ କର୍କଟ ରୋଗୀମାନେ ଅସୁବିଧାରେ ପଡ଼ୁଥିଲେ। ଏହି ସମସ୍ୟା ଦୂର କରିବା ପାଇଁ ରାଜିନାମା ସ୍ୱାକ୍ଷର ବେଳେ ନିଷ୍ପତ୍ତି ହୋଇଛି। ୫ ବର୍ଷରେ ୯୦ ପ୍ରତିଶତ ରୋଗୀଙ୍କୁ କେମୋ ଥେରାପି ଦେବାର ବ୍ୟବସ୍ଥା କରାଯାଇଛି।

କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ୩୦ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ କେମୋ ଥେରାପି ଯୋଗାଇ ଦିଆଯିବ। ଏହାସହ କର୍କଟ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ମାଗଣାରେ କରାଯିବ। ଏଣିକି ଦିନବେଳେ ରୋଗୀଙ୍କୁ କେମୋଥେରାପି ଏବଂ ରେଡିଓଥେରାପି ସେବା ମିଳିବ।

ଟାଟା ଟ୍ରଷ୍ଟ ଭୁବନେଶ୍ୱରଠାରେ ଏକ ଗ୍ରୀନଫିଲ୍ଡ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବେ ବୋଲି ରାଜିନାମା ସ୍ୱାକ୍ଷର ବେଳେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏଥିପାଇଁ ୨୫ ଏକର ଜମି ଯୋଗାଇ ଦେବେ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଢାଞ୍ଚାରେ ଗ୍ରିନଫିଲ୍ଡ କ୍ୟାନସର୍ ଚିକିତ୍ସା ଓ ବେଷଣା କେନ୍ଦ୍ର ସ୍ଥାପନ ହେବ। ୫ ବର୍ଷ ଭିତରେ କ୍ୟାନସର ଚିକିତ୍ସା ସେବାର ଉନ୍ନତି ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ଟାଟା ଟ୍ରଷ୍ଟସ୍ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବ।

ଅଙ୍କୋଲୋଜିରେ ସ୍ନାତକୋତ୍ତର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଟାଟା ଟ୍ରଷ୍ଟ ଶିକ୍ଷାଦାନ ସୁବିଧା ଯୋଗାଇ ଦେବ। ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ, ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ, ଆଣବିକ ଶକ୍ତି ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ୱୀକୃତ ଏହି ପାଠ୍ୟକ୍ରମ ଟାଟା ଟ୍ରଷ୍ଟ ଓ ନ୍ୟାସନାଲ ଗ୍ରୀଡ ସହଯୋଗିତାରେ ଆରମ୍ଭ ହେବ।

“ରାଜ୍ୟରେ କ୍ୟାନସର ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲା ହସ୍ପିଟାଲଗୁଡ଼ିକର ଉନ୍ନତିକରଣ, ଡାକ୍ତର ଓ ଷ୍ଟାଫ ନିଯୁକ୍ତି ସହ ୩୦ଟି ଜିଲ୍ଲାରେ କେମୋ ଥେରାପିର ବ୍ୟବସ୍ଥା କରାଯାଉଛି। ଟାଟା ଟ୍ରଷ୍ଟ ଏବଂ ଓଡ଼ିଶା ସରକାରଙ୍କ ଭିତରେ ହୋଇଥିବା ରାଜିନାମା ସ୍ୱାକ୍ଷରିତ ହୋଇଥିବାରୁ ଆଗାମୀ ଦିନରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆସିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟାଟା ଟ୍ରଷ୍ଟ ଚେୟାରମ୍ୟାନ ରତନ ଟାଟା କହିଛନ୍ତି, “ଚିକିତ୍ସା କ୍ଷେତ୍ରରେ କ୍ୟାନସର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଟାଟା ଟ୍ରଷ୍ଟ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବ।”

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ ଏବଂ ରାଜ୍ୟ ତଥା ଟାଟା ଟ୍ରଷ୍ଟସ୍ ଅଧିକାରୀ ଉପସ୍ଥିତ ଥିଲେ।

Comment