ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ନିର୍ମାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଭିତ୍ତିଭୂମିର ବିକାଶ ନିମନ୍ତେ ନିର୍ମାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଭିତ୍ତିଭୂମିର ବିକାଶ ଉପରେ ପ୍ରାଥମିକତା ପାଇଁ ଗୁରୁତ୍ୱାରୋପ କରିଥିଲେ, ଯେହେତୁ ଏହା ଉପରେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ବିକାଶ ତଥା ମୋଟ ଘରୋଇ ଉତ୍ପାଦର (ଜିଡିପି) ଉନ୍ନତି ନିର୍ଭର କରେ। ଭିତ୍ତିଭୂମିଗୁଡ଼ିକର ଉନ୍ନତି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରିବା ପାଇଁ ବିଭାଗ ଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଇଅଛି।

ସଭ୍ୟତାର ବିକାଶ ପାଇଁ ଉତ୍ତମ ସଡ଼କ-ପଥ ପ୍ରଣାଳୀ ଉତପ୍ରେରକ ଭଳି କାର୍ଯ୍ୟ କରେ। ନିର୍ମାଣ ବିଭାଗ ରାଜ୍ୟର ୨୬,୮୪୩ କି.ମି. ରାସ୍ତାର ଉନ୍ନତିକରଣର ଦାୟିତ୍ୱ ବହନ କରିଛି। ତନ୍ମଧ୍ୟରେ ୨୨,୦୧୫ କ.ମି. ପୂର୍ତ୍ତ ବିଭାଗ ରାସ୍ତା ଏବଂ ୪,୮୨୮ କି.ମି. ଜାତୀୟ ରାଜପଥ ରାସ୍ତା ଅଟେ। ଏଥି ସହିତ ସରକାରୀ କୋଠା-ବାଡ଼ିର ନିର୍ମାଣ ଓ ମରାମତି କାର୍ଯ୍ୟ ଏହି ବିଭାଗ ଦ୍ୱା ରା କରାଯାଇଥାଏ। ଏହି ବିଭାଗ ସହରାଞ୍ଚଳ ରାସ୍ତା, ଗ୍ରାମ୍ୟ ଉନ୍ନୟନ ଓ ଅନ୍ୟାନ୍ୟ ବିଭାଗର ରାସ୍ତା ପର୍ଯ୍ୟାୟକ୍ରମେ ଗ୍ରହଣ କରି ତାହାର ଉନ୍ନତିକରଣ ତଥା ପ୍ରଶସ୍ତିକରଣ କରି ଉତ୍ତମ ସଡ଼କ ବ୍ୟବସ୍ଥା ରାଜ୍ୟ ଜନସାଧାରଣଙ୍କୁ ଯୋଗାଇଥାଏ।

ଏହି ବିଭାଗର ସଫଳତା ସରକାରଙ୍କର ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପର୍ଯ୍ୟବେଶିତ:-

୧. ପ୍ରଥମତଃ କେ.ବି.କେ ଜିଲ୍ଲାଗୁଡ଼ିକର ୨୯.୫ କି.ମି. ଜିଲ୍ଲା ସଦର ମହକୁମା ରାସ୍ତାଗୁଡ଼ିକୁ ଦୁଇ ଥାକିଆ ରାସ୍ତାରୁ ଚାରି ଥାକିଆ ରାସ୍ତାରେ ପରିଣତ କରାଯାଇ ପରିବହନ ପଥକୁ ସୁଗମ କରାଯାଇଅଛି।

୨. ଦ୍ୱିତୀୟତଃ ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ କେ.ବି.କେ. ଜିଲ୍ଲା ଦେଇ ଗତି କରୁଥିବା (ଜଗଦଲପୁରଠାରୁ ରାଉରକେଲାକୁ ସଂଯୋଗ ନିମନ୍ତେ) ୬୩୯ କି.ମି. ଉତ୍ତର-ଦକ୍ଷିଣ କରିଡର ତଥା ବିଜୁ ତ୍ୱରିତ ପଥକୁ ଚାରି ଥାକିଆ ରାସ୍ତାରେ ପରିଣତ କରିବାକୁ ଅଭିପ୍ରାୟ ରଖିଛନ୍ତି। ଏଥି ମଧ୍ୟରୁ ରାଉରକେଲା ସମ୍ବଲପୁର ୧୬୩ କି.ମି. ରାସ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇସାରିଛି।

ଅବଶିଷ୍ଟ ୪୭୬ କି.ମି. ରାସ୍ତା ମଧ୍ୟରୁ ୧୮୨ କି.ମି. ଜାତୀୟ ରାଜପଥ  ଅନ୍ତର୍ଭୁକ୍ତ ଅଟେ ଏବଂ ବାକି ୨୯୪ କି.ମି. ରାସ୍ତା (ସୋହେଲାଠାରୁ ଆମପାଣି)ରୁ ୯୪ କି.ମି. ରାସ୍ତା ଦୁଇ ଥାକିଆରେ ପରିଣତ କରାଯାଇଅଛି। ଅନ୍ୟ ୨୦୦ କି.ମି. ରାସ୍ତା (୫ଟି ମୁଖ୍ୟ ସେତୁକୁ ଛାଡ଼ି)କୁ ଦୁଇ ଥାକିଆରେ ପରିଣତ କରିବା ପାଇଁ ମାର୍ଚ୍ଚ ୨୦୧୯କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ତତ ସହିତ ସୋହେଲାଠାରୁ ନୂଆପଡ଼ା ରାସ୍ତା (୨ଟି ମୁଖ୍ୟ ସେତୁକୁ ଛାଡ଼ି)କୁ ଚାରି ଥାକିଆରେ ପରିଣତ କରିବା ପାଇଁ ମାର୍ଚ୍ଚ ୨୦୧୯କୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି।

ବିଗତ ୧୮ ବର୍ଷ ମଧ୍ୟରେ ନିର୍ମାଣ ବିଭାଗ ୧୬,୦୫୨ କି.ମି. ରାସ୍ତାର ଉନ୍ନତିକରଣ, ୩୭୧ଟି ସେତୁ (ଯାହାର ମଧ୍ୟରେ ୧୦ଟି ରେଳ ଓଭରବ୍ରିଜ୍ ଏବଂ ୩ଟି ଫ୍ଲାଇଓଭର କାର୍ଯ୍ୟ ଅନ୍ତର୍ଭୁକ୍ତ) ସମାପ୍ତ କରିଅଛି। ବିଗତ ୪ ବର୍ଷ ମଧ୍ୟରେ ପୂର୍ତ୍ତ ବିଭାଗ ୮,୧୭୬ କି.ମି. ରାସ୍ତା, ୧୫୪ଟି ସେତୁ (ଯାହା ମଧ୍ୟରେ ୫ଟି ରେଳ ଓଭରବ୍ରିଜ୍ ଓ ୧ଟି ଫ୍ଳାଇଓଭର ଅନ୍ତର୍ଭୁକ୍ତ)ର କାର୍ଯ୍ୟ ସମ୍ପୂର୍ଣ୍ଣ କରିଅଛି। ପୂର୍ବ ୪ ବର୍ଷ ମଧ୍ୟରେ ହାରାହାରି ପ୍ରତିଦିନ ୫.୬୦ କି.ମି. ରାସ୍ତାର ଉନ୍ନତିକରଣ କରାଯାଇଅଛି ଏବଂ ପ୍ରତି ମାସରେ ୩ଟି ସେତୁ (୧ଟି ବୃହତ ଓ ୨ଟି କ୍ଷୁଦ୍ର)ର କାର୍ଯ୍ୟ ସମାପ୍ତ କରାଯାଇଅଛି। ବିଗତ ୪ ବର୍ଷ ମଧ୍ୟରେ ମହାନଦୀ ଉପରେ ୪ ଗୋଟି ସେତୁର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଅଛି। ଚଳିତ ବର୍ଷ ମହାନଦୀ ଉପରେ ଆଉ ଗୋଟେ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।

ବିଗତ ୧୮ ବର୍ଷ ମଧ୍ୟରେ ଅନ୍ୟ ବିଭାଗରୁ ପୂର୍ତ୍ତ ବିଭାଗକୁ ୧୦,୮୦୨ କି.ମି. ରାସ୍ତା ହସ୍ତାନ୍ତରିତ ହୋଇଅଛି; ତନ୍ମଧ୍ୟରୁ ୭,୮୨୫ କି.ମି. (୧, ୧୪୫ କି.ମି. ସହରାଞ୍ଚଳ  ରାସ୍ତା ଓ ବାକି ଅନ୍ୟାନ୍ୟ ବିଭାଗର ୬,୬୮୦ କି.ମି. ରାସ୍ତା) ବିଗତ ୪ ବର୍ଷ ମଧ୍ୟରେ ହସ୍ତାନ୍ତରିତ ହୋଇଅଛି।

ବିଗତ ୪ ବର୍ଷ ମଧ୍ୟରେ କେ.ବି.କେ. ଜିଲ୍ଲାମାନଙ୍କରେ ୧,୮୬୧ କି.ମି. ରାସ୍ତା ଏବଂ ୧୩ଟି ସେତୁ କାର୍ଯ୍ୟ ସମାପ୍ତ ହୋଇଅଛି।

ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ପୂର୍ତ୍ତ ବିଭାଗର ସଡ଼କ କ୍ଷେତ୍ରରେ ସରକାରଙ୍କର ଉଲ୍ଲେଖନୀୟ ସଫଳତା ଯଥା – ରାଉରକେଲାଠାରୁ ସମ୍ବଲପୁର ଯାଏଁ ୧୬୩ କି.ମି. ରାସ୍ତାର ପି.ପି.ପି. ମାଧ୍ୟମରେ କାର୍ଯ୍ୟ ସମାପ୍ତ କରାଯାଇଅଛି।

ମହାନଦୀ ଉପରେ ୨.୫ କି.ମି. ଦୈର୍ଘ୍ୟ ଉତ୍କଳ ଗୌରବ ମଧୁସୂଦନ ସେତୁ ୨.୫ ବର୍ଷରେ କାର୍ଯ୍ୟ ସମାପ୍ତ କରାଯାଇଅଛି।

ପଶ୍ଚିମ ଓଡ଼ିଶାର ହୀରାକୁଦ ଜଳଭଣ୍ଡାର ଉପରେ ଦୀର୍ଘତମ ଇବ ନଦୀ ସେତୁର କାର୍ଯ୍ୟ ସମାପ୍ତ କରାଯାଇଅଛି।

୧୫୦୦ କି.ମି. ରାଜ୍ୟ ରାଜପଥର ଦୁଇ ଥାକିଆକୁ ଉନ୍ନତିକରଣ, ୧୪୮ଟି ମୁଖ୍ୟ ସେତୁ, ୫ଟି ରେଳ ଓଭରବ୍ରିଜ ଓ ୧ଟି ଫ୍ଲାଇଓଭର କାର୍ଯ୍ୟ ସମାପ୍ତ କରାଯାଇଅଛି।

ସେହିପରି ସରକାରୀ କୋଠା-ବାଡ଼ି କ୍ଷେତ୍ରରେ ଗତ ୪ ବର୍ଷ ମଧ୍ୟରେ କିଛି ମୁଖ୍ୟ ସଫଳତାଗୁଡ଼ିକ ହେଲା- ୩୫ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର, ୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଝାରସୁଗୁଡ଼ା, ନୂଆପଡ଼ା ଓ ମାଲକାନଗିରି); ୮ଟି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ ୪ଟି ଭେଷଜ ମହାବିଦ୍ୟାଳୟ- ବାରିପଦା, କୋରାପୁଟ, ବାଲେଶ୍ବର ଓ ବଲାଙ୍ଗୀରର କାର୍ଯ୍ୟ ସମାପ୍ତ କରାଯାଇଅଛି – ଯାହା ମଧ୍ୟରୁ ବାରିପଦା ଓ କୋରାପୁଟ ଭେଷଜ ମହାବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରେ ହୋଇଅଛି।

ରାଜଧାନୀ ଅଞ୍ଚଳର ବିକାଶ କ୍ଷେତ୍ରରେ, ସ୍ମାର୍ଟ ସିଟି ଭିତ୍ତିଭୂମିର ଉନ୍ନତି ପାଇଁ ନିର୍ମାଣ ବିଭାଗ ସହଯୋଗ କରୁଅଛି। ଏହାଛଡ଼ା ବିମାନ ବନ୍ଦରରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା ସହିତ ଜନପଥକୁ ଲିଙ୍କ୍ ରୋଡଗୁଡ଼ିକର ଉନ୍ନତିକରଣ, ଆସନ୍ତା ହକି ବିଶ୍ବକପକୁ ଧ୍ୟାନରେ ରଖି ୪୦ କି.ମି. ଦୈର୍ଘ୍ୟର ସାଇକେଲ ପଥ ନିର୍ମାଣ, ଜୟଦେବ ବିହାରଠାରୁ kIIT ଛକ ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ୱରେ ବିକଳ୍ପ ରାସ୍ତାର ନିର୍ମାଣ ଇତ୍ୟାଦି କାର୍ଯ୍ୟ କରାଯିବ।

ମୁଖ୍ୟମନ୍ତ୍ରୀ ସୂଚନା ଦେଲେ ଯେ, ରାସ୍ତା ଓ କୋଠା-ବାଡ଼ି କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତିକରଣ ଏକ ଧାରାବାହିକ ପ୍ରକ୍ରିୟା, ଯାହାକି ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ବିକାଶ କରି ଆଧୁନିକ ଓଡ଼ିଶା ନିର୍ମାଣ କରିବାରେ ସହାୟତା ହେବ। ଚାଲୁ ରହିଥିବା ସମସ୍ତ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ଓ ନିର୍ମାଣରେ ଗୁଣବତ୍ତା ବଜାୟ ରଖିବା ତଥା ସୁରକ୍ଷାର ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଲେ।

Comment