ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଟପ୍ ହିରୋ ଅନୁଭବ ମହାନ୍ତି ବ୍ଲକବଷ୍ଟର ସିନେମା ‘ଆଇ ଲଭ୍ ୟୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ନିୟମିତ ଭାବେ ଓଡ଼ିଆ ସିନେମାରେ ଅଭିନୟ କରିଚାଲିଛନ୍ତି। ହେଲେ ଆପଣ ଜାଣନ୍ତି କି ଅନୁଭବଙ୍କ କେତୋଟି ଫିଲ୍ମ ରିଲିଜ୍ ହୋଇପାରିନାହିଁ, ଅଥବା ସେହି ଫିଲ୍ମକୁ ଅଧାରେ ଅଟକି ରହିଛି।

ଆସନ୍ତୁ ଜାଣିବା ସେହି ସବୁ ସିନେମା ସମ୍ପର୍କରେ…

ଓଲିଉଡର ଅଲରାଉଣ୍ଡର ସଞ୍ଜୟ ନାୟକ ଅନୁଭବଙ୍କୁ ନେଇ ‘ଧନରେ ରଖିବୁ ଶପଥ ମୋର’ ଟାଇଟଲରେ ଏକ ଫିଲ୍ମ ତିଆରି କରିବା ପରେ ସେ ଏକ ଫିଲ୍ମ ନିର୍ମାଣ କରୁଥିଲେ। ଏହାର ଟାଇଟଲ ହେଲା ‘ମନ ମୋ ନେଇ ଯା’ରେ’। ଏଥିରେ ଅନୁଭବଙ୍କ ବିପକ୍ଷରେ ଅର୍ଚ୍ଚିତା ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାର ସୁଟିଂ ବି ଆରମ୍ଭ ହୋଇଥିଲା। ହେଲେ ସପ୍ତାହକ ପରେ ଆର୍ଥିକ ସମସ୍ୟା ହେତୁ ଫିଲ୍ମର କାମ ଆଗେଇ ନଥିଲା। ଫଳତଃ ‘ମନ ମୋ ନେଇ ଯା’ରେ’ ଅଧାରେ ଅଟକି ରହିଲା। ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ନଅ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହି ସିନେମା ଆଜି ଯାଏଁ ରିଲିଜ ହୋଇପାରିନାହିଁ।

ଅନୁଭବଙ୍କୁ ନେଇ ଜଣେ ଅଣଓଡ଼ିଆ ମୁମ୍ବାଇ ନିର୍ଦ୍ଦେଶକ ଅଜୟ ଗୁପ୍ତା ଏକ ଓଡ଼ିଆ ସିନେମା ତିଆରି କରୁଥିଲେ। ଏହାର ଟାଇଟଲ୍ ଫାଇନାଲ୍ ହୋଇନଥିଲା। ଏଥିରେ ମେଗାଷ୍ଟାର ସିଦ୍ଧାନ୍ତ ବି ଥିଲେ ଅନ୍ୟତ ଲିଡ ରୋଲ୍‌ରେ। ଫିଲ୍ମର ସୁଟିଂ ବି କଟକରେ ଆରମ୍ଭ ହୋଇଥିଲା। ଏହାର ସୁଟିଂ ପାଇଁ ହେଲିକାପ୍ଟର ବି ଅଣାଯାଇଥିଲା। କଟକର ବାଲିଯାତ୍ରା ପଡ଼ିଆରେ ଫିଲ୍ମର କେତେକ ଗୁରୁତ୍ୱପୂର୍ଣ୍ଣ ଆକ୍ସନ ସିନର ସୁଟିଂ ହୋଇଥିଲା। ଏଥିରେ ସିଦ୍ଧାନ୍ତ ଓ ଅନୁଭବ ଅଂଶଗ୍ରହଣ କରିଥିଲେ। ହେଲେ ଏହି ସିଡ୍ୟୁଲ୍ ପରେ ଫିଲ୍ମର କାମ ଆଉ ଆଗେଇ ପାରିଲା ନାହିଁ।

ଫଳତଃ ଏହି ସିନେମା ଅଧାରେ ଅଟକି ରହିଲା। ଏହା ଅନୁଭବ ମହାନ୍ତିଙ୍କ ଅନ୍‌ରିଲିଜଡ ଫିଲ୍ମ ତାଲିକାରେ ସାମିଲ୍ ହୋଇଛି।

ଓଲିଉଡର ଆଉ ଜଣେ ଅଲରାଉଣ୍ଡର ହେଲେ ଅରୁଣ ମହାନ୍ତି। ସେ ଏକାଧାରରେ ନିର୍ମାତା-ନିର୍ଦ୍ଦେଶକ, ସଙ୍ଗୀତକାର ଓ ଗୀତିକାର। ‘ଆଇ ଲଭୟୁ’ ସୁପରହିଟ୍ ହେବା ପରେ ଅରୁଣ ମହାନ୍ତି ଅନୁଭବଙ୍କୁ ନେଇ ‘ହିରୋ’ ଟାଇଟଲରେଏକ ଓଡ଼ିଆ ଛବିର ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ। ଏହାର କାହାଣୀ ବି ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏହି ଫିଲ୍ମଟି ଫ୍ଲୋରକୁ ଯିବା ପୂର୍ବରୁ ଅନ୍ୟ ପ୍ରଯୋଜକ ‘ମହାନାୟକ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଲେ, ଯେଉଁଥିରେ ଅନୁଭବ ମେଲ ଲିଡରେ ନଜର ଆସିଥିଲେ। ଏହାପରେ ବାଧ୍ୟ ହୋଇ ଅରୁଣ ମହାନ୍ତି ‘ହିରୋ’ ର କାମ ବନ୍ଦ କରିଥିଲେ। ଫଳତଃ ଅନୁଭବଙ୍କ ଏହି ସିନେମାରେ ବି ଅଧାରେ ଅଟକି ରହିଗଲା।

ଅନୁଭବଙ୍କୁ ନେଇ ପ୍ରଯୋଜକ ବିଜୟ କନ୍ଦୋଇ ଦୁଇ ବର୍ଷ ତଳେ ‘ଯୁବରାଜ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ। ଏହାର ସଂଳାପ ଲେଖିଥିଲେ ଚିନ୍ମୟ ଦାସ ପଟ୍ଟନାୟକ। ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ବି ସରିଥିଲା। କିନ୍ତୁ ଏହା ଫ୍ଲୋରକୁ ଯାଇ ପାରିନଥିଲା। ଫଳତଃ ଅନୁଭବଙ୍କ ‘ଯୁବରାଜ’ ଥଣ୍ଡାବାକ୍ସରେ ରହିଗଲା ଓ ଏହା ରିଲିଜ୍ ହୋଇପାରିଲା ନାହିଁ।

Comment