ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବିମଲ୍ ଦାଙ୍କ ପାଇଁ ‘ମଧୁମତୀ’ ଫିଲ୍ମ ଏକ ଚାଲେଞ୍ଜ୍ ଥିଲା। କାରଣ ଏହାର କାହାଣୀ ସମ୍ପର୍କରେ ଜାଣିବା ପରେ ବିତରକ ଓ ବିଭିନ୍ନ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଏ’ ଫିଲ୍ମ ଚାଲିବନି ବୋଲି ମତ ରଖିଥିଲେ। 

୧୯୫୮ମସିହାର ଏକ ସୁପରହିଟ୍ ଫିଲ୍ମ ଥିଲା ’ମଧୁମତୀ’। ଏହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ବିମଲ୍ ରାୟ। ଏଥିରେ ଦିଲୀପ କୁମାର ଓ ବୈଜୟନ୍ତୀ ମାଳା ଥିଲେ ଲିଡ୍‌ ରୋଲ୍‌ରେ। ପୁନର୍ଜନ୍ମର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଯେ ଏତେ ବଡ଼ ହିଟ୍ ହେବ, ତାହା ନିର୍ଦ୍ଦେଶକ ବିମଲ୍ ଦା’ଙ୍କ କଳ୍ପନା ବାହାରେ ଥିଲା।

ସେ ସମୟରେ ‘ମଧୁମତୀ’ର ବଜେଟ୍ ରଖାଯାଇଥିଲା ମାତ୍ର ୨୫ ଲକ୍ଷ ଟଙ୍କା। ସେହି ଅନୁଯାୟୀ ଷ୍ଟାରକାଷ୍ଟ୍, ଲୋକେସନ୍, ମ୍ୟୁଜିକ୍ ଓ ପୋଷ୍ଟ୍ ପ୍ରଡକ୍ସନ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। ଫିଲ୍ମର ବେଶୀ ଭାଗ ସୁଟିଂ ଆଉଟ୍‌ଡୋର୍‌ରେ କରାଯାଇଥିଲା।

ବିମଲ୍ ଦାଙ୍କ ପାଇଁ ‘ମଧୁମତୀ’ ଏକ ଚାଲେଞ୍ଜ୍ ଥିଲା। କାରଣ ଏହାର କାହାଣୀ ସମ୍ପର୍କରେ ଜାଣିବା ପରେ ବିତରକ ଓ ବିଭିନ୍ନ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଏ’ ଫିଲ୍ମ ଚାଲିବନି ବୋଲି ମତ ରଖିଥିଲେ। ଅଧିକାଂଶ ଲୋକ ବିମଲ୍ ଦା’ଙ୍କୁ ହତୋତ୍ସାହିତ କରିଥିଲେ ବି ସେ ପଛକୁ ଚାହିଁନଥିଲେ ଏବଂ ‘ମଧୁମତୀ’ର କାମରେ ଆଗେଇ ଥିଲେ।

ଫିଲ୍ମରେ ରିସ୍କ ଥିବା ଯୋଗୁଁ ସେ ଖୁବ୍ ସତର୍କତାର ସହିତ ବଜେଟ୍ ଭିତରେ ଫିଲ୍ମକୁ କମ୍ପ୍ଲିଟ୍ କରିବା ଲକ୍ଷ୍ୟ ରଖିଥିଲେ। ମ୍ୟୁଜିକ୍‌ ଖର୍ଚ୍ଚ କମ୍ କରିବା ପାଇଁ ସେ ସେହି ସମୟର କୌଣସି ଟପ୍ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ନ ଦେଇ ସଲିଲ୍ ଚୌଧୁରୀଙ୍କୁ ସ୍ୱର ସଂଯୋଜନାର ଦାୟିତ୍ୱ ଦେଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସଲିଲ୍ ଦା’ ମଧ୍ୟ ଶ୍ରୁତିମଧୁର ସଙ୍ଗୀତ ପ୍ରସ୍ତୁତ କରି ’ମଧୁମତୀ’କୁ ମ୍ୟୁଜିକାଲ୍ ହିଟ୍ କରାଇଥିଲେ।

‘ମଧୁମତୀ’ର ସ୍କ୍ରିପ୍ଟ ଶୁଣିବା ପରେ ଦିଲୀପ କୁମାର ମଧ୍ୟ ନିଜର ମାର୍କେଟ୍‌ ପ୍ରାଇସଠୁ କମ୍ ଅର୍ଥ ନେଇ ସେଥିରେ କାମ କରିବାକୁ ରାଜି ହୋଇଥିଲେ। ପ୍ରକାରାନ୍ତରେ ଦିଲୀପ କୁମାର ବିମଲ୍ ରାୟଙ୍କୁ ଏହି ଫିଲ୍ମ ନିର୍ମାଣ ପାଇଁ ସାହସ ଦେଇଥିଲେ। ଫରଫେକ୍‌ସନିଷ୍ଟ ବିମଲ୍‌ ଦା’ ଅତିମାତ୍ରାରେ ସତର୍କତା ଅବଲମ୍ବନ କରୁ କରୁ ଅନେକଗୁଡ଼ିଏ ସିନ୍‌ର ଏକାଧିକ ଟେକ୍ ଦେଲେ। କେତେକ ସ୍ଥଳରେ ଦୃଶ୍ୟର ରିସୁଟ୍‌ ମଧ୍ୟ କହିଲେ। ପରିଣାମସ୍ୱରୂପ ଫିଲ୍ମଟି ନିର୍ଦ୍ଧାରିତ ସମୟଠୁ କମ୍ପ୍ଲିଟ୍ ହେବା ପାଇଁ ଅଧିକ ଦିନ ଲାଗିଗଲା। ଅଧିକ ଦିନ ସୁଟିଂ ହେବା କରାଯିବା ଫଳରେ ‘ମଧୁମତୀ’ ଓଭର ବଜେଟ୍ ହୋଇଗଲା। ଏହାର ବଜେଟ୍ ପାଖାପାଖି ୧୦ ଲକ୍ଷ ଟଙ୍କା ବଢ଼ିଗଲା।

ଫିଲ୍ମ କମ୍ପ୍ଲିଟ୍ ହେବା ପୂର୍ବରୁ ବିତରକମାନେ କମ୍‌ ମୂଲ୍ୟରେ ନିଜ ନିଜ ଟେରିଟୋରି ପାଇଁ ବିତରଣ ଅଧିକାର କିଣି ସାରିଥିଲେ। ଚିନ୍ତାରେ ପଡ଼ିଗଲେ ବିମଲ୍ ଦା’। କାରଣ ପୂର୍ବ ନିର୍ଦ୍ଧାରିତ ବଜେଟ୍‌କୁ ଆଖି ଆଗରେ ରଖି ମାତ୍ର ତିନ ଲକ୍ଷ ଟଙ୍କାର ଲାଭ ରଖି ‘ମଧୁମତୀ’ର ଡିଷ୍ଟ୍ରିବ୍ୟୁସନ୍ ରାଇଟ୍ସ ବିକ୍ରି କରିସାରିଥିଲେ, ଏମିତି ହେଲେ ତାଙ୍କର ୭ ଲକ୍ଷ ଟଙ୍କା କ୍ଷତି ସୁନିଶ୍ଚିତ ବୋଲି ଜାଣିପାରିଥିଲେ ସେ।

ବିମଲ୍ ରାୟଙ୍କ ଚିନ୍ତାର କାରଣ ସମ୍ପର୍କରେ ଜାଣିବା ମାତ୍ରେ ଦିଲୀପ କୁମାର ସହାୟତା କରିବା ପାଇଁ ଆଗେଇ ଆସିଲେ। ଦିଲୀପ ସେ ସମୟର ଜଣେ ବିଗ୍‌ଷ୍ଟାର୍। ସେ ସମସ୍ତ ବିତରକ ଅଧିକାଂଶ ଜଣାଶୁଣା ପ୍ରଯୋଜକ, ନିର୍ଦ୍ଦେଶକ ଓ ଟପ୍‌ଷ୍ଟାରମାନଙ୍କୁ ‘ମଧୁମତୀ’ ଦେଖାଇବା ପାଇଁ ଏକ ସ୍ୱତନ୍ତ୍ର ସୋ’ର ଆୟୋଜନ କରାଇଲେ। ଦିଲୀପଙ୍କ ନିମନ୍ତ୍ରଣ ରକ୍ଷା କରି ଅଧିକାଂଶ ନିମନ୍ତ୍ରିତ ବ୍ୟକ୍ତି ସୋ’ରେ ପହଞ୍ଚିଥିଲେ। ‘ମଧୁମତୀ’ ଦେଖିବା ପରେ ସେ କେତେକ ମତ ଜାଣିବାକୁ ଚାହିଁଥିଲେ। ସମସ୍ତେ ଏହାର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ ଏବଂ ଫିଲ୍ମଟି ହିଟ୍ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ତା’ପରେ ସେହି ସୋ’ରେ ଦିଲୀପ କୁମାର ବିତରକମାନଙ୍କୁ ଅସଲ ଉଦ୍ଦେଶ୍ୟଟି ଜଣାଇ ଆଉ କିଛି ଅର୍ଥ ବିତରଣ କରିବା ପାଇଁ ଅନୁରୋଧ କରିଥିଲେ। ଦିଲୀପ କୁମାରଙ୍କ ଯୋଜନାର ସୁଫଳ ମିଳିଲା ଏବଂ ବିତରକମାନେ ତାଙ୍କ କଥା ରଖିଲେ। ଫଳତଃ ବିମିଲ୍ ଦା’ଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିନଥିଲା। ଏଣେ ବିତରକମାନେ ‘ମଧୁମତୀ’ ରିଲିଜ୍ ହେବା ପରେ ମାଲାମାଲ୍ ହୋଇଥିଲେ।

Comment