ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀକୁ ନେଇ ଓଡ଼ିଶା ସରକାରଙ୍କୁ ନାଲିଆଖି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ।

  • ରମଣଙ୍କ ମହାନଦୀ ଚାଲେଞ୍ଜ
  • ରମଣ କହିଲେ ମହାନଦୀ ପାଣି ଆମର
  • ପାଣି ବ୍ୟବହାରରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ: ରମଣ
  • ନିର୍ବାଚନ ଆସିଲେ ଓଡ଼ିଶାରେ ମହାନଦୀ କଥା ଉଠେ: ରମଣ

ବଢ଼ିଲା ମହାନଦୀ ଅଡ଼ୁଆ। ମହାନଦୀର ସୁରକ୍ଷା ପାଇଁ ନିକଟରେ ବିଜେଡିର ଆନ୍ଦୋଳନ ନୂଆ ସ୍ତରକୁ ଯାଇଥିବା ବେଳେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓଡ଼ିଶାକୁ ନାଲିଆଖି ଦେଖାଇଛନ୍ତି।

ଛତିଶଗଡ଼ର ରାୟଗଡ଼ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମଣ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। କହିଛନ୍ତି, ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ଅଛି। ଏଥିରୁ କେହି ବଞ୍ଚିତ କରିପାରିବେ ନାହିଁ।

ରାୟଗଡ଼ରେ ଆଜି ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ବିକାଶ ଯାତ୍ରା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରମଣ ଡାକିଥିଲେ ଏହି ପ୍ରେସମିଟ୍। ହେଲେ ଗଣମାଧ୍ୟମ ପ୍ରତିନିଧି ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରମଣ ଓଡ଼ିଶାକୁ ବାଣ ମାରିଥିଲେ।

“ମହାନଦୀ ପାଣି ବ୍ୟବହାରକୁ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ। ଆମର ଯେତିକି ପାଣି ଦରକାର ତାହା ଆମେ ଉପଯୋଗ କରୁଛୁ। ଆଗକୁ ଆହୁରି ଅଧିକ ପାଣିର ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ଆମକୁ ଅଟକାଇ ପାରିବେ ନାହିଁ”, କହିଛନ୍ତି ରମଣ ସିଂ।

ରମଣ ଆହୁରି କହିଛନ୍ତି ଯେ ନିର୍ବାଚନ ସମୟ ଆସିଲେ ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗ ଉଠାଇଥାନ୍ତି। ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ଓଡ଼ିଶା ସରକାର ଚାହୁଁଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା ରାଜନୀତିକୁ ପୁଣି ଗରମ୍ କରିଦେଇଛି। ରମଣ ସିଂ କାହା ସାହସରେ ଏମିତି ବେପରୁଆ ବୟାନ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

“ମହାନଦୀ ଉପରେ ସମସ୍ତଙ୍କର ଅଧିକାର ରହିଛି। ଛତିଶଗଡ଼ର ଯେତିକ ଅଧିକାର ରହିଛି ସେତିକି ଅଧିକାର ଓଡ଼ିଶାର ମଧ୍ୟ ରହିଛି। ଓଡ଼ିଶାବାସୀ ମହାନଦୀ ପାଣି ଉପରେ ନିର୍ଭରଶୀଳ ଥିବାରୁ ଏଥିରୁ ଆମକୁ କେହି ବଞ୍ଚିତ କରିପାରିବେ ନାହିଁ। ମହାନଦୀ ପାଇଁ ବିଜେଡିର ଆନ୍ଦୋଳନ ଜାରି ରହିବ”, କହିଛନ୍ତି ବିଜେଡି ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ କଟକ ଆସିଥିଲେ। କେନ୍ଦ୍ର ସରକାରଙ୍କ ଚାରି ବର୍ଷର ସଫଳତା ବିଷୟରେ କହିବା ସହ ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିଥିଲେ। ମହାନଦୀର ଦୁର୍ଦ୍ଦଶା ପାଇଁ ମୋଦି ଓଡ଼ିଶା ସରକାରଙ୍କୁ ଦାୟୀ କରି ଦିଲ୍ଲୀ ଫେରି ଯାଇଥିଲେ।

ମୋଦିଙ୍କର ଏହି ମନ୍ତବ୍ୟ ପରେ ଆଜି ରମଣ ସିଂ ମଧ୍ୟ ବେପରୁଆ ବୟାନ ଦେଇଛନ୍ତି। ମୋଦି-ରମଣଙ୍କ ସ୍ୱର ଗୋଟିଏ ହୋଇଯାଇଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

“କେନ୍ଦ୍ରରେ ଏବଂ ଛତିଶଗଡ଼ରେ ଚାଲିଛି ବିଜେପି ସରକାର। ମହାନଦୀ ଉପରେ ଛତିଶଗଡ଼ ବେଆଇନ୍ ଭାବେ ପ୍ରଳକ୍ପ କରୁଛି। ଏଥିପାଇଁ ଓଡ଼ିଶାର ମହାନଦୀ ଶୁଖିଲା ପଡ଼ିଛି। ଆଜି ରମଣ ସିଂ ଯେଉଁଭଳି ଭାବେ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ଔଦ୍ଧତ୍ୟର ପରିଚୟ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ମୋଦି କଟକ ଆସିବା ପୂର୍ବରୁ ବିଜେଡି ମହାନଦୀ ପ୍ରସଙ୍ଗରେ ବିଜେଡି ଆନ୍ଦୋଳନ କରିଥିଲା। ଝାରସୁଗୁଡ଼ାର ସୁଖାସୋଡ଼ା ଏବଂ ବରଗଡ଼ର ଚିଖିଲିରୁ ସୁରକ୍ଷା ଅଭିଯାନ ବାହାରି ପାରାଦୀପ ପର୍ଯ୍ୟନ୍ତ ଆସିଥିଲା।

ସୁରକ୍ଷା ଅଭିଯାନ ଶୁଭାରମ୍ଭ ଏବଂ ଉଦଯାପନୀ ଦିନ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ସମର୍ଥନରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ ନିର୍ମାଣ କରୁଥିବା ନବୀନ କହିଥିଲେ।

ନବୀନଙ୍କ ଏହି ସମାଲୋଚନାର ଜବାବ କଟକରେ ମୋଦି ଦେବା ପରେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ନିଜର ଦମ୍ଭୋକ୍ତି ଦେଖାଇ ଓଡ଼ିଶାକୁ ଆକ୍ଷେପ କରିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ମହାନଦୀ ଉପରେ କୌଣସି ସରକାର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କିଛିବର୍ଷ ତଳେ ନିୟମ କରିଥିଲେ। କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ସୁପ୍ରିମକୋର୍ଟଙ୍କ ନିୟମ ବିରୋଧରେ ଯାଉଛି। ରମଣ ସିଂ ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପୋଷଣ କରି ଆସିଛନ୍ତି।”

ମହାନଦୀକୁ ନେଇ ଦୁଇ ବର୍ଷ ହେଲା ଓଡ଼ିଶା ଏବଂ ଛତିଶଗଡ଼ ସରକାର ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଏବଂ କଲମା ବ୍ୟାରେଜ ଗେଟ ବନ୍ଦ କରିଥିବାରୁ ଓଡ଼ିଶାରେ ନଦୀ ଶୁଖିଲା ପଡ଼ିଛି। ଛତିଶଗଡ଼ର ବେଆଇନ ପ୍ରକଳ୍ପ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯିବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ଟ୍ରିବ୍ୟୁନାଲ ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ।

Comment