ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଏମିତି ଅନେକ ଯାତ୍ରା ନାଟକ ଅଛି, ଯାହା ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏହାର କାହାଣୀ ମନେରଖିବା ଭଳି। ଏମିତି ଏକ ନାଟକ ହେଲା ‘ମୁଁ ବାଲେଶ୍ୱରୀ ବୋହୂ’।

ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ନାଟକର କାହାଣୀ ସମ୍ପର୍କରେ…

‘ଅପେରା ଇଷ୍ଟର୍ଣ୍ଣ ବ୍ଲୁ’ର ଏକ ବହୁଚର୍ଚ୍ଚିତ ନାଟକ ହେଲା ‘ମୁଁ ବାଲେଶ୍ୱର ବୋହୂ’। ଏହି ଯାତ୍ରା ନାଟକରେ ଚଳଚ୍ଚିତ୍ର ଅଭିନେତ୍ରୀ ଉଷସୀ ମିଶ୍ର ଟାଇଟଲ ରୋଲ୍‌ରେ ଅଭିନୟ କରି ଯାତ୍ରା ଦର୍ଶକଙ୍କ ନିକଟତର ହୋଇଥିଲେ। ଏହି ଯାତ୍ରା ନାଟକର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ପ୍ରଦୀପ ବେହେରା।

 ‘ମୁଁ ବାଲେଶ୍ୱର ବୋହୂ’ର ସଂକ୍ଷିପ୍ତ କଥାବସ୍ତୁ

ବାଲେଶ୍ୱରର ଜନୈକ ଶିଳ୍ପପତି ହେଲେ ଉଦୟ ଶଙ୍କର ରାୟ ଚୌଧୁରୀ। ତାଙ୍କର ଏକମାତ୍ର ପୁଅ ହେଲେ ସାର୍ଥକ। ସାର୍ଥକ ବିଦେଶରେ ମାନବ ଅଙ୍ଗପ୍ରତ୍ୟଙ୍ଗ ଉପରେ ଗବେଷଣା କରୁଥାନ୍ତି।

ଗବେଷଣାରେ ସାର୍ଥକ ସଫଳତା ଲାଭ କରନ୍ତି। ସେ ଜାଣିବାକୁ ପାଆନ୍ତି ଯେ ନାରୀ ଓ ପୁରୁଷ ପାଇଁ ବିବାହ ଏକାନ୍ତ ପ୍ରୟୋଜନୀୟ ନୁହେଁ। ଗବେଷଣାରେ ସାର୍ଥକ ଜାଣନ୍ତି ଯେ କେବଳ ଯେଉଁ ପୁରୁଷ ନାରୀକୁ ଭୋଗ୍ୟ ବସ୍ତୁ ବୋଲି ମନେ କରେ, ସେ ହିଁ ବିବାହ ପାଇଁ ଆଗ୍ରହୀ ହୋଇଥାଏ।

ଏଭଳି ସମୟରେ ଉଦୟ ଶଙ୍କର ପୁଅକୁ ବାହା ହେବା ପାଇଁ ଅନୁରୋଧ କରନ୍ତି। କିନ୍ତୁ ତାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସାର୍ଥକ। ସେ ତାଙ୍କର ଗବେଷଣାରୁ ଜାଣିଥିବା ତଥ୍ୟ ଉପସ୍ଥାପନ କରି ବାପାଙ୍କ ସହିତ ଯୁକ୍ତିତର୍କ କରନ୍ତି। ସାର୍ଥକଙ୍କୁ ତାଙ୍କ ମାଆ ବୁଝାଇଲେ ବି ସେଥିରେ ସହମତ ହୁଅନ୍ତି ନାହିଁ ସାର୍ଥକ।

ଉଦୟ ଶଙ୍କରଙ୍କର ଏକମାତ୍ର ଇଛା ସେ ନାତିନାତୁଣୀଙ୍କ ମେଳରେ ଜୀବନର ଅବଶିଷ୍ଟ ଦିନ ବିତାଇବେ। ବୋହୂର ହାତ ପରସା ଖାଇବେ। ଏଣୁ ସେ ଏକ ନାଟକ କରନ୍ତି। ନିଜେ ହୃଦ୍‌ରୋଗରେ ଆଘାତ ପାଇଥିବା କହନ୍ତି, ତାଙ୍କର ଦୁଇଟି ଷ୍ଟ୍ରୋକ୍ ହୋଇସାରିଛି। ସାର୍ଥକ ବାହା ନ ହେଲେ କେତେବେଳେ ସେହି ଚିନ୍ତାରେ ତାଙ୍କର ତୃତୀୟ ଥର ଯେ ଷ୍ଟ୍ରୋକ୍ ନ ହେବ, ତା’ କିଏ କହିବ।

ଏଭଳି ବ୍ଲାକ୍‌ମେଲ୍ କରି ପୁଅ ସାର୍ଥକଙ୍କୁ ବାହା ହେବା ଲାଗି ରାଜି କରାନ୍ତି ଶିଳ୍ପପତି ଉଦୟ ଶଙ୍କର। ଏଥିପାଇଁ କନ୍ୟା ଖୋଜନ୍ତି ଉଦୟ ଶଙ୍କର। ତାଙ୍କ ସଂସ୍ଥାରେ କାମ କରୁଥିବା ଜଣେ ସାଧାରଣ କର୍ମଚାରୀଙ୍କ ଝିଅ ବର୍ଷାଙ୍କୁ ସେ ବୋହୂ ରୂପେ ମନୋନୀତ କରନ୍ତି।

ଏହା ପରେ ସାର୍ଥକଙ୍କ ସହିତ ବର୍ଷାଙ୍କ ବାହାଘର ହୋଇଯାଏ। ବାହାଘରର ବାସର ରାତିରେ ସାର୍ଥକ କହନ୍ତି ଯେ ବାପା ଜୀବିତ ଥିବା ଯାଏଁ ବର୍ଷା ତାଙ୍କର ପତ୍ନୀ ହୋଇ ଏ ଘରେ ରହିପାରନ୍ତି, ମାତ୍ର ତା’ ପରେ ଏ ଘର ତାଙ୍କୁ ଛାଡ଼ିବାକୁ ପଡ଼ିବ। ଏ କଥା ଶୁଣି ବର୍ଷାଙ୍କ ପାଦତଳୁ ମାଟି ଖସିଯାଏ।

ବର୍ଷା କିନ୍ତୁ ସ୍ଥିର କରନ୍ତି ଯେ ସେ ସାର୍ଥକଙ୍କର ମନ ପରିବର୍ତ୍ତନ କରିବେ। ସମୟ ଗଡ଼ି ଚାଲେ ବର୍ଷା ସ୍ୱାମୀ ଓ ପରିବାରର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରନ୍ତି।

ଘଟଣା କ୍ରମେ ଉଦୟଶଙ୍କର ଏକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ବାପାଙ୍କ ଅନ୍ତିମ ସଂସ୍କାର ସାରିବା ପରେ ପତ୍ନୀ ବର୍ଷାଙ୍କୁ ଘର ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଅନ୍ତି। ଏଥିରେ ଆହତ ହୋଇ ବର୍ଷା ନିଜ ବାପଘରକୁ ଚାଲି ଯାଆନ୍ତି।

ପୁଣି କାହାଣୀ ନୂଆ ମୋଡ଼ ନିଏ। ଦିନେ ଉଦୟଶଙ୍କର ଜୀବିତ ହୋଇ ଘରେ ପହଞ୍ଚନ୍ତି। ସେ ବୋହୂକୁ ଘରେ ନ ପାଇ ବିଚଳିତ ହୁଅନ୍ତି। ସାର୍ଥକଙ୍କର ସବୁ କଥା ଶୁଣିବା ପରେ ବିରକ୍ତ ହୁଅନ୍ତି ଉଦୟ ଶଙ୍କର।

ସେ ସିଧାସଳଖ ଭୁବନେଶ୍ୱର ଯାଇ ବୋହୂ ବର୍ଷାଙ୍କ ଘରେ ପହଞ୍ଚନ୍ତି। ସେ ନେହୁରା ହୋଇ ଘରକୁ ଫେରିଯିବା ଲାଗି ବର୍ଷାଙ୍କୁ ଅନୁରୋଧ କରନ୍ତି। କିନ୍ତୁ ବର୍ଷା ସିଧାସଳଖ ମନା କରନ୍ତି।

ଏହା ପରେ ସାର୍ଥକ ମଧ୍ୟ ବର୍ଷାଙ୍କର ଅନୁପସ୍ଥିତିକୁ ହୃଦୟଙ୍ଗମ କରନ୍ତି। ସେ ବି ବର୍ଷାଙ୍କ ପାଖକୁ ଯାଇ ଭୁଲ ମାଗନ୍ତି ଓ ଘରକୁ ଫେରିଯିବାକୁ ଅନୁରୋଧ କରନ୍ତି। କିନ୍ତୁ ବର୍ଷା ନିଜ ଜିଦ୍‌ରେ ଅଟଳ ରହନ୍ତି।

ଏହା ପରେ ସାର୍ଥକ ପାଗଳ ପ୍ରାୟ ହୋଇଛନ୍ତି। ଡାକ୍ତର କହନ୍ତି ବର୍ଷା ଫେରି ଆସିଲେ ସେ ସୁସ୍ଥ ହେବେ ଶେଷରେ ବର୍ଷା ଫେରି ଆସନ୍ତି ଓ କାହାଣୀରେ ଯବନିକା ପଡ଼େ।

Comment