ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ପଛରେ ରହିବାକୁ ଚାହୁଁନି ବିଜେପି। ଭୁବନେଶ୍ୱରରେ ଛତିଶଗଡ଼ ସରକାର ଭୁଲ୍ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିବା ପରେ ଆଜି ସମ୍ବଲପୁରରେ ପୁଣି ଟାର୍ଗେଟ କରିଛନ୍ତି।

  • ଛତିଶଗଡ଼ ପାଣି ଅଟାକାଉଛି
  • ଛତିଶଗଡ଼ ଉପରେ ଚାପ ପକାଇବା ଦରକାର
  • ଚାପ ପକାଇ ପାଣି ଛଡ଼ାଇ ଆଣିବା ଉଚିତ୍
  • ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରାଯିବ ନାହିଁ
  • ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ପୁଣି ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ଚାରି ବର୍ଷର ରିପୋର୍ଟ କାର୍ଡ ଦେବା ଅବସରରେ ଧର୍ମେନ୍ଦ୍ର ମହାନଦୀକୁ ଅସ୍ତ୍ର କରି ଛତିଶଗଡ଼କୁ କଡ଼ା ସମାଲୋଚନା କରିଛନ୍ତି।

“ମହାନଦୀର ଉପମୁଣ୍ଡରୁ ଯେତିକି ପାଣି ଆସିବା କଥା ତାହା ଆସୁନାହିଁ। ଛତିଶଗଡ଼ ମହାନଦୀ ପାଣିକୁ ଅଟକାଇ ରଖୁଛି। ଅଣ ମୌସୁମୀ ଋତୁରେ ମହାନଦୀ ତଳମୁଣ୍ଡରେ ଯେତିକି ପାଣି ରହିବା କଥା ତାହା ରହୁନି। ଛତିଶଗଡ଼ ସରକାର ଉପରେ ଚାପ ପକାଇ ପାଣି ଛଡ଼ାଇ ଆଣିବା ଦରକାର”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହ ଆଦୌ ସାଲିସ୍ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ଆମେ ସହଯୋଗ କରିବୁ।

ସମ୍ବଲପୁରରେ ମହାନଦୀ ପ୍ରସଙ୍ଗରେ ଏହି ମନ୍ତବ୍ୟ ଦେବା ପୂର୍ବରୁ ଧର୍ମେନ୍ଦ୍ର କିଛିଦିନ ତଳେ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ବାଣ ମାରିଥିଲେ। ଛତିଶଗଡ଼ ସରକାର ଭୁଲ୍ କରିଛନ୍ତି ବୋଲି କହିଥିଲେ।

ଲାଗାତାର ଦୁଇ ଥର ଧର୍ମେନ୍ଦ୍ର ଛତିଶଗଡ଼ ସରକାରଙ୍କୁ ଟାର୍ଗେଟ କରିବା ପରେ ରାଜନୀତି କରିଡରରେ ଆଲୋଚନା ହେଉଛି ଯେ ମହାନଦୀ ପ୍ରସଙ୍ଗରେ ବିଜେପି ପଛରେ ପଡ଼ିବାକୁ ଚାହୁଁନି।

ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରି ବିଜେଡି ଅନେକ ଆନ୍ଦୋଳନ କରିଛି। କେନ୍ଦ୍ର ଏବଂ ଛତିଶଗଡ଼ର ବିଜେପି ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ଆନ୍ଦୋଳନ କରି ଲୋକଙ୍କୁ ସଚେତନ କରିବା ପରେ ରାଜ୍ୟ ବିଜେପିର ବୁଦ୍ଧି ଉଦୟ ହୋଇଛି।

ମହାନଦୀ ସହିତ ଓଡ଼ିଶାବାସୀ ଜୀବନ ଜୀବିକା ନିର୍ଭର କରୁଥିବାରୁ ବିଜେପି ଏବେ ମହାନଦୀ ପ୍ରସଙ୍ଗରେ ପଛରେ ରହିବାକୁ ଚାହୁଁନି। ଧର୍ମେନ୍ଦ୍ର ଛତିଶଗଡ଼କୁ ବାଣ ମାରି ଓଡ଼ିଶା ଲୋକଙ୍କ ନିକଟତର ହେବାକୁ ଚାହୁଁଛନ୍ତି।

ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବ ରହୁଥିବା ବେଳେ ଧର୍ମେନ୍ଦ୍ରଙ୍କ ଛତିଶଗଡ଼ ବାଣ କେତେ ଫଳପ୍ରଦ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment