ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଜବଜାରରେ ଓଡ଼ିଆ ସିନେମା ଦେଖିବାକୁ ଭିଡ଼ ଜମେ ସିନେମା ହଲ୍‌ରେ ସିନେପ୍ରେମୀମାନେ ଚାହିଁ ବସିଥା’ନ୍ତି ସେମାନଙ୍କ ପସନ୍ଦର ଷ୍ଟାରମାନଙ୍କୁ ପରଦା ଉପରେ ଦେଖିବା ପାଇଁ ଆସନ୍ତୁ ଜାଣିବା ଏଥର ରଜରେ କେଉଁ ହିରୋମାନଙ୍କୁ ଦର୍ଶକ ଦେଖିବାକୁ ପାଉଛନ୍ତି, ଆଉ କେଉଁମାନଙ୍କୁ ମିସ୍ କରୁଛନ୍ତି

ରଜ ଆସୁଛି। ରିଲିଜ ହେଉଛି ଦୁଇଟି ନୂଆ ଓଡ଼ିଆ ସିନେମା। ଏଥିମଧ୍ୟରୁ ଗୋଟିଏ ହେଲା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍’ ଓ ଅନ୍ୟଟି ହେଲା ‘ଫୋର୍ ଇଡିଅଟ୍‌ସ’।

‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଚଳଚ୍ଚିତ୍ରରେ ଓଲିଉଡ ସୁପରଷ୍ଟାର୍ ବାବୁସାନ୍, ନବାଗତା ଦିବ୍ୟା, ମିହିର ଦାସ, ଉଷଶୀ ମିଶ୍ର, ସାତ୍ତ୍ୱକି ମିଶ୍ର, ପୁଷ୍ପା ପଣ୍ଡା, ପପୁ ପମ୍‌ପମ୍, ସୁମନ୍, ଅନନ୍ତ ଆଚାର୍ଯ୍ୟ ଓ ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ଅଶୋକ ପତି ଏହାର ନିର୍ଦ୍ଦେଶକ। ରଣଜିତ୍ ପଟ୍ଟନାୟକ ଏହାର ସଂଳାପକାର। ଅଭିଜିତ୍ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ରଜବଜାରରେ ଆସୁଥିବା ଅନ୍ୟ ଏକ ସିନେମା ‘ଫୋର୍ ଇଡିଅଟସ୍’ରେ ଅଛନ୍ତି ସବ୍ୟସାଚୀ, ଆକାଶ, ଏଲିନା ସାମନ୍ତରାୟ, ପୁନମ୍ ମିଶ୍ର, ଚିତ୍ତ ତ୍ରିପାଠୀ, କୁନା ତ୍ରିପାଠୀ, ଲିପ୍‌ସା ମିଶ୍ର, ଚାନ୍ଦିନୀ ଓ କେକେ ପ୍ରମୁଖ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ଅକ୍ଷୟ ପରିଜା ପ୍ରଡକ୍ସନସ୍‍ ଏହାର ପ୍ରଯୋଜନା କରିଛନ୍ତି।

ଏଥର ରଜରେ ଓଡ଼ିଆ ସିନେପ୍ରେମୀ ରୂପେଲି ପରଦାରେ କେବଳ ବାବୁସାନ୍, ସୋବର ବୟ ସବ୍ୟସାଚୀ ଓ ଆକସନ୍ ହିରୋ ଆକାଶଙ୍କୁ ପରଦାରେ ଦେଖିବାକୁ ପାଉଛନ୍ତି। ମାତ୍ର କେତେଜଣ ଟପ୍ ନାୟକଙ୍କୁ ପରଦା ଉପରେ ଦେଖିବାକୁ ପାଇବେନି ଦର୍ଶକ। ସେମାନଙ୍କର କୌଣସି ଫିଲ୍ମ ରିଲିଜ୍ ହେଉନାହିଁ ରଜରେ। ଆସନ୍ତୁ ନଜର ପକାଇବା ସେହି ନାୟକମାନଙ୍କ ଉପରେ।

ଗତ କିଛି ବର୍ଷ ଧରି ରଜବଜାରରେ ନିୟମିତ ଭାବେ ସିନେମା ନେଇ ଆସୁଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। ଅନୁଭବଙ୍କ କୌଣସି ବି ଫିଲ୍ମ ରିଲିଜ୍ ହେଉନାହିଁ ଏଥର ରଜରେ। ୨୦୧୫ରେ ‘ଗପ ହେଲେ ବି ସତ’, ୨୦୧୬ରେ ‘ଅଗସ୍ତ୍ୟ’, ୨୦୧୭ରେ ‘ଅଭୟ’ ଆଦି ସିନେମାରେ ଅନୁଭବଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ। ହେଲେ ୨୦୧୮ରେ ଅନୁଭବଙ୍କ ଅଭିନୀତ କୌଣସି ବି ସିନେମା ପରଦାକୁ ଆସୁନାହିଁ। ସେ ତରଙ୍ଗ ସିନେ ପ୍ରଡକ୍ସନସର ନୂଆ ସିନେମା ‘ପ୍ରେମକୁମାର’ରେ କାମ କରୁଥିଲେ। ଏହା ରଜ ପାଇଁ ପ୍ରସ୍ତୁତ ହେଉଥିଲା, ମାତ୍ର ପରେ ଏହାର କାମ ଅଟକି ଯାଇଥିଲା।

ଠିକ୍‌ ସେହିପରି ଗତବର୍ଷ ଭଳି ଏଥର ବି ରଜରେ ସିନେପ୍ରେମୀମାନେ ଅରିନ୍ଦମଙ୍କୁ ଦେଖିବାକୁ ପାଇବେନି ପରଦାରେ। ଓଲିଉଡର ଆକ୍ସନ-ଷ୍ଟାର ଅରିନ୍ଦମଙ୍କର କୌଣସି ସିନେମା ରିଲିଜ୍ ହେଉନାହିଁ।

ଅପରପକ୍ଷରେ ସିଦ୍ଧାନ୍ତ, ବୁଦ୍ଧାଦିତ୍ୟ ମହାନ୍ତି, ସମ୍ବିତ୍, ସୁନୀଲ କୁମାର, ଜ୍ୟୋତି, ଦୀପକ ଓ ସ୍ୱରାଜଙ୍କ ଭଳି ଅନ୍ୟାନ୍ୟ ଲୋକପ୍ରିୟ ଓଲିଉଡ ନାୟକଙ୍କର ମଧ୍ୟ କୌଣସି ସିନେମା ଏଥର ରଜବଜାରରେ ରିଲିଜ୍ ହେଉନାହିଁ। ଏହି ଜଣାଶୁଣା ନାୟକମାନଙ୍କୁ ରଜରେ ମିସ୍‌ କରିବାକୁ ଯାଉଛନ୍ତି ଓଡ଼ିଆ ସିନେପ୍ରେମୀମାନେ।

Comment