ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ  ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି। ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଶନିବାର ଚିଲିକା ହ୍ରଦରେ ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ସରିଛି। ସମସ୍ତ ୬ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଯୁବତୀ ଓ ୪ ଜଣ ଶିଶୁ ଅଛନ୍ତି। ସମସ୍ତ ମୃତାହତ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।

ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣାରେ ରବିବାର ଡଙ୍ଗା ମାଲିକ ବସନ୍ତ ବେହେରାକୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଡଙ୍ଗା ଚାଳକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହିତ ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇଛନ୍ତି।  ତା’ସହିତ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଡଙ୍ଗାବୁଡ଼ି ଘଟଣା ପର୍ଯ୍ୟଟକଙ୍କ ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କେଉଁ ନୌକା ଓ ନୌଚାଳକ ଯାତ୍ରୀବାହୀ ନୌକା ପରିବହନ କରିବେ ତାହାର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି। ଜୀବନ ସୁରକ୍ଷା ପ୍ରଦାନକାରୀ ଲାଇଫ୍ ଜ୍ୟାକେଟ୍, ଅତ୍ୟାବଶ୍ୟକ ଆକସ୍ମିକ ଦୁର୍ଘଟଣା ସୂଚନା ପ୍ରଦାନ ପାଇଁ ଯୋଗାଯୋଗ ବ୍ୟବସ୍ଥା ସବୁ ନୌକାରେ ରଖିବାର ନିୟମ ଥିବାବେଳେ କୌଣସି ସରକାରୀ କିମ୍ବା ଘରୋଇ ନୌକାରେ ଏସବୁ ବ୍ୟବସ୍ଥା ନାହିଁ। ବାଲୁଗାଁରେ ପ୍ରାୟ ୩୦୦ଡଙ୍ଗା ଚାଲୁଥିବାବେଳେ ସୋମବାରଠାରୁ ସବୁ ଘରୋଇ ଡଙ୍ଗା ବନ୍ଦ କରିଦିଆଯାଇଛି।

ଚିଲିକାରେ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଜଳ ପରିବହନ ନିର୍ଦ୍ଦେଶକଙ୍କୁ ତଦନ୍ତ ଭାର ଦିଆଯାଇଛି। ମୁଖ୍ୟତଃ ତିନିଟି ଦିଗରେ ଏହି ତଦନ୍ତ ହେବ। କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା, ଡଙ୍ଗାରେ ଲାଇଫ୍‍ ଜ୍ୟାକେଟ୍‍ ଥିଲା କି ନାହିଁ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ କ’ଣ କରାଯାଇପାରିବ।

ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ କହିଛନ୍ତି, “ଘଟଣାର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ। ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟିବ ସେଥିପ୍ରତି ଧ୍ୟାନ ଦିଆଯିବ”।

ଶନିବାର ୧୬ ଜଣ ଯାତ୍ରୀଙ୍କୁ ନେଇ ଚିଲିକାକୂଳ ଜେଟିଠାରୁ ସନ୍ଧ୍ୟା ୫ଟାରେ ଏକ ଡଙ୍ଗା କାଳିଜାଇ ଅଭିମୁଖେ ଯାଇଥିଲା। ସେଠାରୁ ଫେରୁଥିବା ବେଳେ କାଳବୈଶାଖୀ ଝଡ଼ତୋଫାନ ଯୋଗୁଁ ଚିଲିକା ମଝିରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାର ଦୁଇ ନାଉରିଆ ସହିତ ଏବଂ ୧୬ ଯାତ୍ରୀ ବୁଡ଼ି ଯାଇଥିଲେ। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ତତ୍‌କ୍ଷଣାତ୍‌ ଦମକଳ ବାହିନୀ, ଓଡ୍ରାଫ ଟିମ୍‍, ନୌସେନା, ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ବଡ଼କୂଳ ବୋଟ ଆସୋସିଏସନ୍‍ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ।

Comment