ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନିବେଦନ କରିଛନ୍ତି ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ।

“ମୁଁ ଓଡ଼ିଶାର ଜଣେ ସାଧାରଣ ଲୋକ। ଆପଣଙ୍କର ଜଣେ ବଡ଼ ପ୍ରଶଂସକ। ମୋ ଘର ରାଉରକେଲା। ଦୁଇବର୍ଷ ତଳେ ରାଉରକେଲାରେ ଆପଣ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ମୁଁ ମନେପକାଇ ଦେବାକୁ ଆସିଛି। ୧୫୫୦ କିଲୋମିଟର ବାଟ ଚାଲି ଚାଲି ମୁଁ ଆପଣଙ୍କୁ ଦେଖା କରିବାକୁ ଆସିଛି। ମତେ ଆପଣ ନିରାଶ କରିବେ ନାହିଁ”, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ।

ହାତରେ ତ୍ରିରଙ୍ଗା ପତାକା ଏବଂ ପିଠିରେ ଗୋଟିଏ ବ୍ୟାଗ ପକାଇ ରାଉରକେଲାରୁ ଦୁଃସାହସିକ ପଦଯାତ୍ରା କରିଥିବା ମୁକ୍ତିକାନ୍ତ ବୁଧବାର ଦିନ ନୂଆଦିଲ୍ଲୀରେ ପହଞ୍ଚି ଥିଲେ।

ସେଠାରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ନିଜ ପଦଯାତ୍ରାର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ମୁକ୍ତିକାନ୍ତ ଭାବିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଜୁଏଲ ତାଙ୍କୁ ସହାୟତା କରିବେ। କିନ୍ତୁ ଜୁଏଲ ତାଙ୍କୁ ନିରାଶ କରିଥିଲେ।

ଜୁଏଲଙ୍କ ନାସ୍ତିବାଣୀରେ ଭାଙ୍ଗିପଡ଼ି ନାହାନ୍ତି ମୁକ୍ତିକାନ୍ତ। ନୂଆଦିଲ୍ଲୀରେ ଥାଇ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚିଠି ଲେଖିଛନ୍ତି। ସ୍ୱଳ୍ପ ସମୟ ପାଇଁ ଭେଟିବାକୁ ସୁଯୋଗ ଦେବାକୁ ଚିଠିରେ ନିବେଦନ କରିଛନ୍ତି ସେ। ଏବେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ତାଙ୍କୁ ଡକରା ଆସିବ ବୋଲି ଅପେକ୍ଷା କରି ରହିଛନ୍ତି ମୁକ୍ତିକାନ୍ତ।

ମୁକ୍ତିକାନ୍ତ ତାଙ୍କ ଚିଠିରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀଜୀ, ଆପଣ ୨୦୧୫ ଏପ୍ରିଲ ୧ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଉତ୍ସବରେ ଯୋଗଦେବା ପାଇଁ ରାଉରକେଲା ଆସିଥିଲେ। ଏହି ଅବସରରେ ଆପଣ ରାଉରକେଲାବାସୀଙ୍କୁ ଦୁଇଟି ପ୍ରତିଶ୍ରୁତି ଦେଇଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲର ଆଧୁନିକୀକରଣ କରିବେ। ହେଲେ ଦୁଇ ବର୍ଷ ପୂରି ଯାଇଥିଲେ ବି ଆପଣ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି।”

ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ଆପଣଙ୍କ ସରକାରର ପରିବହନ ମନ୍ତ୍ରୀ ନୀତିକ ଗଡ଼କାରୀ ୨୦୧୭ ଜୁଲାଇ ୨୧ରେ ଶିଳାନ୍ୟାସ କରିଥିଲେ। କିନ୍ତୁ ପୋଲ ନିର୍ମାଣ ଏଯାଏଁ ଆରମ୍ଭ ହୋଇନି। ହସ୍ପିଟାଲର ଆଧୁନିକୀକରଣ ହୋଇ ନଥିବାରୁ ଲୋକେ ଭଲ ସ୍ୱାସ୍ଥ୍ୟସେବା ପାଉ ନାହାନ୍ତି। ଏଣୁ ଆପଣ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଆସିବାକୁ ବାଧ୍ୟ ହେଲି ବୋଲି ମୁକ୍ତିକାନ୍ତ ଲେଖିଛନ୍ତି।

“୧୫୫୦ କିଲୋମିଟର ମୁଁ ଚାଲି ଚାଲି ଆସିଛି। ଏଣୁ ମୋତେ ଆପଣ ନିରାଶ କରିବେ ନାହିଁ। ଆପଣଙ୍କ ବହୁମୂଲ୍ୟ ସମୟରୁ ମୋ ପାଇଁ ଅଳ୍ପ ସମୟ ଦେବେ”, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ମୁକ୍ତିକାନ୍ତ।

ମୁକ୍ତିକାନ୍ତ ଗତ ଏପ୍ରିଲ ୧୬ରେ ରାଉରକେଲାରୁ ଯାତ୍ରା ଆରମ୍ଭ କରିଥିଲେ। ପାଦରେ ଚାଲି ଚାଲି ସେ ଦିଲ୍ଲୀରେ ପହଞ୍ଚିଛନ୍ତି।

Comment