ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିସୋର୍‌ ଚିଟଫଣ୍ଡ ଲିଙ୍କକୁ ନେଇ ସିବିଆଇ ପୁଣି ମାତିଛି। ରାଜନେତାଙ୍କ ପରେ ସିବିଆଇ ଏବେ ଅଫିସରଙ୍କୁ ଟାର୍ଗେଟ କରିଛି।

  • ୬ ମାସ ପରେ ପୁଣି ସିବିଆଇ ମାତିଲା
  • ଦୁଇ ଆଇଏଏସ୍‌ ଅଫିସରଙ୍କୁ ସମନ
  • ସିବିଆଇକୁ ନେଇ ରାଜନୀତି
  • ବିଜେଡି-ବିଜେପି ଛକାପଞ୍ଝା

୬ ମାସ ପରେ ପୁଣି ସକ୍ରିୟ ହୋଇଛି ସିବିଆଇ। ହେଲେ ଏଥର ରାଜନେତା ନୁହନ୍ତି ଅଫିସରଙ୍କୁ ଟାର୍ଗେଟ କରିଛି ସିବିଆଇ। ଓଡ଼ିଶାର ତତ୍କାଳୀନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତା ଏବଂ ପର୍ଯ୍ୟଟନ ବିଭାଗର ତତ୍କାଳୀନ ମହାପ୍ରବନ୍ଧକ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ସମନ ଜାରି କରିଛି।

ଜୁଲାଇ ୨ ତାରିଖରେ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି କରିଛି ସିବିଆଇ। ହେଲେ ସିବିଆଇ ଅଫିସକୁ ଦୁଇ ଅଫିସର ଆସି ନଥିବା ଜଣାପଡ଼ିଛି।

ପରାଗ ଗୁପ୍ତା ଏବେ କେନ୍ଦ୍ର ଡେପୁଟେସନରେ ଅଛନ୍ତି। ସେ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗରେ ଅଛନ୍ତି। ସଂଗ୍ରାମ ରାୟ ଅବସର ଗ୍ରହଣ କରିସାରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସିବିଆଇ ଏହି ଦୁଇ ଅଫିସରଙ୍କ ପୁରୁଣା ଠିକଣାରେ ସମନ ପଠାଇଥିଲା। ହେଲେ ଚିଠି ସାଧାରଣ ପ୍ରଶାସନ ବିଭାଗକୁ ଫେରି ଆସିଥିଲା। ସାଧାରଣ ପ୍ରଶାସନ ଏହି ଦୁଇ ଅଫିସରଙ୍କ ଠିକଣାରେ ସମନ ପଠାଇଛି। ତେବେ ଏହି ଦୁଇ ଅଫିସର କେତେବେଳେ ହଜର ହେବେ ତାହା ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ ହୋଇନି।

ସିସୋର୍ ଚିଟଫଣ୍ଡ ସଂସ୍ଥା ସହ ପର୍ଯ୍ୟଟନ ବିଭାଗର ଚୁକ୍ତି ହୋଇଥିଲା। କଟକସ୍ଥିତ ମହାନଦୀରେ ନୌକା ବିହାର ଏବଂ ଖୋର୍ଦ୍ଧା ଜିଲ୍ଲା ବାଘମାରୀର ଅଟ୍ରିରେ ଗେଷ୍ଟ ହାଉସ୍ ପରିଚାଳନା ନେଇ ସିସୋର ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର।

ଚୁକ୍ତି ସ୍ୱାକ୍ଷର ବେଳେ ସିସୋର ସଂସ୍ଥାର କାଗଜପତ୍ର ଯାଞ୍ଚ କରିଥିଲେ କି ନାହିଁ ? କେଉଁ ଆଧାରରେ ଚୁକ୍ତି ହୋଇଥିଲା ସେନେଇ ଖୋଳତାଡ଼ ଚଳାଇଛି ସିବିଆଇ।

କିଛିଦିନ ତଳେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।

୬ ମାସ ପରେ ସିବିଆଇ ପୁଣି ସକ୍ରିୟ ହୋଇଥିବାରୁ ବିଜେଡି ଏବଂ ବିଜେପି ଭିତରେ ଲାଗିଛି ଛକାପଞ୍ଝା। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସିବିଆଇକୁ ବ୍ୟବହାର କରୁଥିବା ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି।

“କେନ୍ଦ୍ରର ବିଜେପି ସରକାର ସିବିଆଇ ତଦନ୍ତକୁ ରାଜନୀତିକରଣ କରୁଛନ୍ତି। ରାଷ୍ଟ୍ରୀୟ ବିଜେପି ସଭାପତି ଅମିତ ଶାହଙ୍କ ଗସ୍ତ ପରେ ସିବିଆଇ ସମନ ଜାରି କରୁଥିବାରୁ ତଦନ୍ତ କିପରି ଚାଲିଛି ତାହା ସ୍ପଷ୍ଟ ହୋଇଯାଇଛି”, କହିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ।

“ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ପୋଲିସକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ବିଜେଡି ନେତାମାନେ ଭାବୁଛନ୍ତି ଯେ ବିଜେପି ସିବିଆଇକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ହେଲେ ସେମାନେ ବୁଝିବା ଦରକାର ଯେ ସିବିଆଇ ହେଉଛି ଏକ ନିରପେକ୍ଷ ସଂସ୍ଥା। ସିବିଆଇ ତଦନ୍ତରେ ବିଜେପି ହସ୍ତକ୍ଷେପ କରେନି”, କହିଛନ୍ତି ବିଜେପି ନେତା ସୁରେଶ ପୂଜାରୀ।

୨୦୧୬ ମାର୍ଚ୍ଚ ୪ରେ ସିସୋର୍‌ ଚିଟଫଣ୍ଡ ଲିଙ୍କରେ ସିବିଆଇ ବରିଷ୍ଠ ଆଇପିଏସ୍ ଅଫିସର ଆର୍‌ ପି କୋଚେଙ୍କୁ ଜେରା କରିଥିଲା। ବିଜେଡିର ତତ୍କାଳୀନ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ଜେରା କରିଥିଲା।

୨୦୧୭ ସେପ୍ଟେମ୍ବର ୧୭ରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ସିସୋର୍ ଲିଙ୍କ୍‌ରେ ଗିରଫ କରିଥିଲା। ନିକଟରେ ପ୍ରଭାତ ଓଡ଼ିଶା ହାଇକୋର୍ଟରୁ ଜାମିନ ପାଇଛନ୍ତି। ରାଜନେତାଙ୍କ ପରେ ସିବିଆଇ ଏବେ ଅଫିସରଙ୍କ ଉପରେ ନଜର ପକାଇଛି।

Comment