ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚମକାଇବା ଭଳି ଖବର। ଆଗାମୀ ୪୦ ବର୍ଷ ମଧ୍ୟରେ ଭାରତ ଓ ଚୀନ ମିଶି ସମଗ୍ର ବିଶ୍ୱରେ ପ୍ରଭାବ ବିସ୍ତାର କରିବେ। ଏହିଭଳି ଏକ ଆକଳନ କରାଯାଇଛି ଓଇସିଡି (ଅର୍ଗାନାଆଇଜେସନ ଫର ଇକନମିକ କୋଅପରେସନ ଆଣ୍ଡ ଡେଭେଲପମେଣ୍ଟ) ପକ୍ଷରୁ। ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏସୀୟ ଦେଶମାନଙ୍କରେ ଅର୍ଥନୈତିକ ଅଭିବୃଦ୍ଧି ତୀବ୍ର ହୋଇଛି ବୋଲି ଏହି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।

ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଅନୁମାନ କରାଯାଇଛି ଯଦି ନୀତି ଓ ଅନୁଷ୍ଠାନଗତ ଢାଞ୍ଚା ଅପରିବର୍ତ୍ତିତ ରହେ ଆଗାମୀ ଦିନରେ ବିଶ୍ୱ କିଭଳି ରହିବ? ଓଇସିଡି ରିପୋର୍ଟ ଅନୁଯାୟୀ ୨୦୬୦ ବେଳକୁ ବିଶ୍ୱର ମୋଟ ଉତ୍ପାଦନ କ୍ଷମତା ଭିତରୁ କେବଳ ଚୀନ ଓ ଭାରତର ଭାଗିଦାରୀ ହିଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛୁଇଁବ। ଉଲ୍ଲେଖଯୋଗ୍ୟ ବିଷୟ ହେଲା (ଯାହା ରିପୋର୍ଟରେ କୁହାଯାଇଛି) ବିଶ୍ୱର ଆର୍ଥିକ ଶକ୍ତିର କେନ୍ଦ୍ର ଏସୀୟାରେ ହିଁ ରହିବ। ସମଗ୍ର ବିଶ୍ୱର ସାମାଜିକ ଓ ଅର୍ଥନୈତିକ ବିକାଶ କେଉଁ ସ୍ତରରେ ପହଞ୍ଚିବ ତାର ବିସ୍ତୃତ ଅନୁମାନ ଏହି ରିପୋର୍ଟରେ କରାଯାଇଛି।

ରିପୋର୍ଟରେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଓଇସିଡିର ଆକଳନ ହେଉଛି ଯେ ଆଗାମୀ ବର୍ଷ ମାନଙ୍କରେ ବିଭିନ୍ନ ଦେଶରେ ଶ୍ରମ-ଦକ୍ଷତା ବୃଦ୍ଧି ପାଇବ ଓ ଜନସଂଖ୍ୟାର ଢାଞ୍ଚା ବଦଳିବ।

୨୦୬୦ ବେଳକୁ ଅନ୍ୟ ବିକଶିତ ଦେଶର ଜୀବନ ଧାରଣର ମାନ ୧୪ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଚୀନ ଓ ଭାରତ ଭଳି କିଛି ଦେଶରେ ଜୀବନ ଧାରଣ ମାନରେ ଢେର ଅଭିବୃଦ୍ଧି ଆସିବ। ଓଇସିଡି ରିପୋର୍ଟରେ ଏ କଥା ମଧ୍ୟ କୁହାଯାଇଛି ଯେ ପରିବାର ଗୁଡ଼ିକରେ ଖର୍ଚ୍ଚର ବୃଦ୍ଧି, କମ ଟିକସ ଚାପ ଓ ସରକାରୀ କାର୍ଯ୍ୟକ୍ରମର ବ୍ୟାପକତା ଫଳରେ ବେରୋଜଗାର ଶେଷ ହେବାରେ ସହାୟତା ମିଳିବ।

Comment