ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଟି ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପଚରା ଉଚରା କରିଛି ସିବିଆଇ।

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଜେରା କରିଛି ସିବିଆଇ। ଏଟି ଚିଟଫଣ୍ଡ ଲିଙ୍କ୍ ମାମଲାରେ ବିପ୍ଲବ ସିବିଆଇ ସ୍କାନରରେ ରହିଥିଲେ। ସିବିଆଇ ଅଫିସରେ ହାଜର ହେବା ପାଇଁ ବିପ୍ଲବଙ୍କୁ ସିବିଆଇ ସମନ କରିଥିଲା।

ବିପ୍ଲବ ତାଙ୍କ ଅଫିସରେ ଯେଉଁ କମ୍ପ୍ୟୁଟର ଲଗାଇଛନ୍ତି ସେଥିପାଇଁ ଏଟି ଚିଟଫଣ୍ଡ ସଂସ୍ଥା ଟଙ୍କା ପୈଠ କରିଥିବା ସିବିଆଇ ସୁରାକ୍ ପାଇଛି। ଏଣୁ ଅଫିସରେ କେତେ କମ୍ପ୍ୟୁଟର ଲାଗିଛି ଓ ଏଥିପାଇଁ କିଏ କେତେ ଟଙ୍କା ଦେଇଛି ତାହା ଜାଣିବା ପାଇଁ ସିବିଆଇ ଚାହିଁଥିଲା। ଫଳରେ ହାଜର ହେବା ପାଇଁ ବିପ୍ଲବଙ୍କୁ ସିବିଆଇ ସମନ କରିଥିଲା।

ସିବିଆଇ ଜେରା ସମ୍ପର୍କରେ ବିପ୍ଲବ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବିପ୍ଲବଙ୍କ ବାପା ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ମତ ରଖିଛନ୍ତି।

ସେ କହିଛନ୍ତି, “ସିବିଆଇ ସମନ କଥା ମୁଁ ଜାଣିନାହିଁ। ଖବରକାଗଜରୁ ଏ ବିଷୟରେ ଜାଣିବାକୁ ପାଇଲି। ତେବେ ସିବିଆଇ ଅଧିକାରୀଙ୍କ ସହ ମୁଁ ଫୋନରେ କଥା ହୋଇଛି।”

କିଛିଦିନ ହେଲା ସିବିଆଇ ଚିଟଫଣ୍ଡ ତଦନ୍ତକୁ ଜୋରଦାର କରିଛି। ସି-ସୋର୍ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ତତ୍କାଳୀନ ପର୍ଯ୍ୟଟନ ବିଭାଗ ସଚିବ ପରାଗ ଗୁପ୍ତା ଏବଂ ମହାପ୍ରବନ୍ଧକ ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ସମନ କରିଥିଲା। ସଂଗ୍ରାମ ଇତିମଧ୍ୟରେ ସିବିଆଇରେ ହାଜର ହୋଇଥିଲେ। ଏବେ ମନ୍ତ୍ରୀଙ୍କ ପୁଅ ସିବିଆଇ ସ୍କାନର୍‌ରେ ରହିଥିବା ଜଣାପଡ଼ିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

Comment