ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୪ ଭଳି ୨୦୧୯ ନିର୍ବାଚନ ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ନଜରକୁ ଆସିବେ। ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ମୋଦି ୫୦ଟି ରାଲିରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ କହିଥିଲେ ‘ଚାରି ବର୍ଷ କାମ, ପଞ୍ଚମ ବର୍ଷରେ ରାଜନୀତି।’ ଏହି ମନ୍ତବ୍ୟକୁ ଏବେ ଦଳ ପକ୍ଷରୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି। ସେହି ଅନୁସାରେ ନରେନ୍ଦ୍ର ମୋଦି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ଓ ସେ ଦିଗରେ କାମ ବି ଆରମ୍ଭ କରିସାରିଛନ୍ତି।

ଆଗାମୀ ଦିନରେ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଜବରଦସ୍ତ ରାଲି ମାନ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବିଜେପିର ଯୋଜନା ହେଉଛି ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ଟିଭି ସ୍କ୍ରୀନରେ କେବଳ ମୋଦି ହିଁ ଦେଖା ଦେବେ।ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା କିଛି ନ ହେଲେ ବି ୫୦ଟି ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ଏହି ସବୁ ରାଲିରେ ଦେଶର ୧୫୦ଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ କଭର ହୋଇସାରିଥିବ।

ଇତି ମଧ୍ୟରେ ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ଏହି ରାଜନୀତିଟି ଆରମ୍ଭ କରିସାରିଛନ୍ତି। ପଂଜାବର ମୁକ୍ତସରରେ ଯେଉଁ କିଷାନ ରାଲିରେ ମୋଦି ଭାଷଣ ଦେଇଥିଲେ ତାହା ଏହି ଯୋଜନାର ଅଂଶ ବିଶେଷ।

ଚଳିତ ମାସ ୨୧ତାରିଖରେ ମୋଦି ଉତ୍ତର ପ୍ରଦେଶର ଶହରନପୁର, ପଶ୍ଚିମବଙ୍ଗର ମେଦିନିପୁର ଏବଂ କର୍ଣ୍ଣାଟକ ଏବଂ ଓଡ଼ିଶାରେ ଗୋଟିଏ ଗୋଟିଏ ରାଲିରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବିଜେପି ସଭାପତି ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂହ,କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ ମଧ୍ୟ ସମଗ୍ର ଦେଶରେ ଜଣକା ୫୦ଟି ଲେଖାଏଁ ରାଲି କରିବେ ବୋଲି ନିଷ୍ପତ୍ତି ହୋଇଛି।

ପ୍ରତିଟି ରାଲିରେ ଯେପରିକି ୩ଟି ଲୋକସଭା ଆସନ କଭର ହୋଇପାରୁଥିବ ତାହା ଚିନ୍ତା କରି ଦେଖାଯାଇଚି। ଏହି ସମାବେଶରେ ନେତା ମାନେ ମୋଦି ସରକାରଙ୍କ ସଫଳତାକୁ ବଖାଣିବା ବ୍ୟତୀତ ନିର୍ବାଚନ ପାଇଁ ସ୍ଥାନୀୟ ନେତାଙ୍କୁ ବଛାଯିବ। ଏହି କ୍ରମରେ ଓଡ଼ିଶାରେ ଯେଉଁ ରାଲି ହେବ ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ବିଷୟ ଯେ ଚଳିତ ବର୍ଷ ଶେଷ ଆଡ଼କୁ ଉତ୍ତର ଭାରତର ତିନିଟି ସମ୍ବେଦନଶୀଳ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର କିଛି ମାସ ପରେ ସାଧାରଣ ନିର୍ବାଚନ।

ସମଗ୍ର ଦେଶରେ ରାଲି ଅନୁଷ୍ଠିତ କରିବାର ନିଷ୍ପତ୍ତି ପରେ ବର୍ତ୍ତମାନ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ୨୦୧୯ ନିର୍ବାଚନ ଠିକଣା ସମୟରେ ହିଁ ହେବ। ଏହା ଆଗକୁ ଘୁଞ୍ଚାଇ ଅଣାଯିବ ବୋଲି ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ଆପାତତଃ ପୂର୍ଣ୍ଣଛେଦ ପଡିଛି।

ବିଜେପିର ଏହି ‘ସମାବେଶ ରାଜନୀତି’ ପଛରେ ଗୋଟିଏ ବଡ଼ କାରଣ ହେଉଛି ୨୦୧୪ ଭଳି ମୋଦି ଓ ବିଜେପି ସପକ୍ଷରେ କୌଣସି ହାୱା ନାହିଁ।ବରଂ ମୋଦିଙ୍କୁ କ୍ଷମତା ବିରୋଧୀ ହାୱା ବା ଆଣ୍ଟି ଇନକମ୍ବେନ୍ସିର ସାମ୍ନା କରିବାକୁ ପଡିପାରେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଇଛି।

ବିଜେପି ନେତୃତ୍ୱ ବି ଏଥି ପ୍ରତି ସଚେତନ ଅଛନ୍ତି। ତେବେ କେନ୍ଦ୍ର ନେତୃତ୍ୱ ପାଇଁ ବର୍ତ୍ତମାନ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼। ଏହି ତିନିଟି ରାଜ୍ୟରେ ସରକାର ମାନଙ୍କ ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି ହୋଇଛି।

Comment