ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି।

କିଛିଦିନ ତଳେ ଗଣମାଧ୍ୟମର ହେଡ୍‌ଲାଇନ୍ ପାଲଟିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଏବେ ପୁଣି ଚର୍ଚ୍ଚାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା ନପାଇ ଦିଲ୍ଲୀରୁ ନିରାଶ ହୋଇ ଫେରି ଆସିଥିବା ମୁକ୍ତିକାନ୍ତ ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି। ଏଥର କିନ୍ତୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସୁଛନ୍ତି।

ମୁକ୍ତିକାନ୍ତ କହିଛନ୍ତି, “ଇସ୍ପାତ ଜେନେରାଲ ହସ୍ପିଟାଲର ଅଧୁନିକୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିବି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିବି। ଏହାସହ ରାଉରକେଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବି।”

୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ଉତ୍ସବରେ ଯୋଗଦେଇ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ସହିତ ଆଇଜିଏଚ୍‌କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତିନି ବର୍ଷ ପୂରି ଯାଇଥିଲେ ବି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ପ୍ରତିଶ୍ରୁତି ମନେପକାଇଦେବା ପାଇଁ ମୁକ୍ତିକାନ୍ତ ଦିଲ୍ଲୀ ଯାତ୍ରା କରିଥିଲେ।

ଏପ୍ରିଲ ମାସରୁ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରିଥିଲେ ମୁକ୍ତିକାନ୍ତ। ଗତ ଜୁନ୍ ୨୭ରେ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଥମେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟିଥିଲେ। ହେଲେ ଜୁଏଲ ତାଙ୍କୁ ନିରାଶ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତ ଜନ୍ତରମନ୍ତରରେ ଅନଶନରେ ବସିଥିଲେ। ହେଲେ ପୋଲିସ ସେଠାରୁ ତାଙ୍କୁ ଉଠାଇ ଦେଇଥିଲା। ଶେଷରେ ମୁକ୍ତକାନ୍ତ ରାମଲୀଳା ମଇଦାନରେ ଅନଶନରେ ବସିଥିଲେ। ହେଲେ ସ୍ୱାସ୍ଥ୍ୟ ଖରାପ ହେବାରୁ ଅନଶନ ଭାଙ୍ଗି ସେ ରାଉରକେଲା ଫେରି ଆସିଥିଲେ।

Comment