ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ଓଡ଼ିଶାରେ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛି।

ସର୍ବଭାରତୀୟ ସ୍ତରର କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ସିଆଇଟିୟୁ, ଏଆଇଟିୟୁସି., ଆଇଏସଟିୟୁସି ଏବଂ ଏମଏସ, ଡିଏମ୍‍କେ ପରିଚାଳିତ ଟ୍ରେଡ ୟୁନିୟନ ଓ ମାଲିକ ଆସୋସିଏସନ ବୃନ୍ଦ, ଅଟୋ ମହାସଂଘ ସମେତ ଗ୍ୟାରେଜ, ସ୍ପେୟାରପାର୍ଟ୍ସ ଦୋକାନୀ ସଂଘ ଏବଂ ଡ୍ରାଇଭିଂ ସ୍କୁଲ, ଆସୋସିଏସନର ପ୍ରତିନିଧିମାନେ ମିଳିତ ଭାବେ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନ ବିଲ୍‍କୁ ବିରୋଧ କରି ଧର୍ମଘଟର ଆହ୍ୱାନ ଦେଇଥିବା କୁହାଯାଇଛି।

ମୋଟର ଭେଇକିଲ ଆକ୍ଟ ୧୯୮୮ (ସଂଶୋଧନ) ବିଲ୍‌ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସଂପୂର୍ଣ୍ଣ ଭାବେ କର୍ପୋରେଟ୍‌ ଓ ବିଦେଶୀ କମ୍ପାନୀ ହାତରେ ଟେକି ଦେବାକୁ ସ୍ଥିର କରିଛନ୍ତି। ଏହି ବିଲ୍‌ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥା ବିଲୋପ ହେବ। ଆରଟିଓ ଅଫିସ୍‌ ଓ ଏମ୍‌ଭିଆଇ ଅଫିସ୍‌ ଉଠିଯିବ।

କେବଳ ଗାଡି କମ୍ପାନିଗୁଡ଼ିକର ମରାମତି ଗ୍ୟାରେଜ, ସ୍ପେୟାର ପାର୍ଟ୍ସ ଦୋକାନ ଓ ଟ୍ରାଇଭିଂ ସ୍କୁଲ ରହିବ। କମ୍ପାନି ଗ୍ୟାରେଜ୍‌ ବ୍ୟତୀତ ଅନ୍ୟ ଗ୍ୟାରେଜ ବନ୍ଦ ହେବ। ଏହା ଫଳରେ ଦେଶରେ ହଜାର ହଜାର ଗ୍ୟାରେଜରେ କାମ କରୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇବେ। ଛୋଟ ଛୋଟ ମାଲିକମାନେ କମ୍ପାନୀ ଗ୍ୟାରେଜର ବିଲ୍‌ ଦେଇପାରିବେ ନାହିଁ।

ଅଟୋରିକ୍ସା ଓ ଟ୍ୟାକି୍ସ ସବୁ ହଟାଇ ଦିଆଯାଇ ଓବେର କମ୍ପାନିର ଗାଡ଼ି ଚାଲିବ। ସବୁ ଡ୍ରାଇଭରଙ୍କ ଉପରେ ଏହି ପରିବହନ ନୀତି ଭାରୀ ପଡ଼ିବ। ସାମାନ୍ୟ ଭୁଲ କଲେ ଜୋରିମାନା ଦେବାକୁ ହେବ। ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ ହେଲେ ବୀମା ରାଶି ପରିମାଣ ସର୍ବାଧିକ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

ଘରୋଇ ବୀମା କମ୍ପାନିମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏପରି କରାଯାଇଛି। ସାମାନ୍ୟ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଡ୍ରାଇଭର-ମାଲିକଙ୍କୁ ଦେବାକୁ ହେବ।

ତେଣୁ ଏହି ବିଲ୍‌କୁ ବିରୋଧ କରି ରାଜ୍ୟର ଅଟୋ ରିକ୍ସା, ଟ୍ୟାକ୍ସି, ବସ୍‌, ଟ୍ରକ୍‌, ଟ୍ୟାଙ୍କର ଓ ଡମ୍ଫର, ଟ୍ରାକ୍ଟର ଆଦିର ସମସ୍ତ ପରିବହନ ଶ୍ରମିକ ଓ ମାଲିକମାନେ ଏହି ଧର୍ମଘଟରେ ସାମିଲ ହେବାକୁ ସହଯୋଗ ଓ ସାହାଯ୍ୟ କରିବାକୁ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଏହି ଆନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍ ଓ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Comment