ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦାୟ ନେଲେ ଡିଏମ୍‌କେ ସୁପ୍ରିମୋ ଏମ କରୁଣାନିଧି। ଲକ୍ଷଲକ୍ଷ ସମର୍ଥକଙ୍କ ଗହଣରେ ମରିନା ବିଚ୍‌ରେ ଏହି ମହାନ ଜନନେତାଙ୍କୁ ଦିଆଯାଇଛି ସମାଧି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କୁ ଦିଆଯାଇଛି ଅଶ୍ରୁଳ ବିଦାୟ। ଲକ୍ଷଲକ୍ଷ ପ୍ରଶଂସକଙ୍କ ଗହଣରେ ମରିନା ବିଚ୍‌ରେ ଏହି ମହାନ ରାଜନେତାଙ୍କୁ ଦିଆଯାଇଛି ସମାଧି।

ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ତଥା ଜନନେତା, ବିଶିଷ୍ଟ ଲେଖକ ଓ ବିପ୍ଳବୀ କବି ତଥା ଡିଏମକେ ପ୍ରତିଷ୍ଠାତା ଏମ କରୁଣାନିଧିଙ୍କୁ ବୁଧବାର ଦିନ ପ୍ରସିଦ୍ଧ ତାମିଲ ନେତା ତଥା କରୁଣାନିଧିଙ୍କ ରାଜନୈତିକ ଗୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନ୍ନାଦୁରାଇଙ୍କ ସମାଧି ନିକଟରେ ତାଙ୍କର ଅନ୍ତିମ ସତ୍କାର ହୋଇଛି।

କରୁଣାନିଧିଙ୍କୁ ଅନ୍ତିମ ବିଦାୟ ଦେବା ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କ ଶେଷ ଦର୍ଶନ ପାଇଁ ଛୁଟି ଆସିଛନ୍ତି। ଜନ ସମୁଦ୍ର ମଧ୍ୟରେ ତାଙ୍କୁ ସମୁଦ୍ର ତଟକୁ ନିଆଯାଇଥିଲା।

କରୁଣାନିଧିଙ୍କ ମୃତ୍ୟୁରେ ତାମିଲନାଡ଼ୁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପ୍ରଶଂସକ। କରୁଣାନିଧିଙ୍କୁ ଶେଷ ଦର୍ଶନ କରିବା ପାଇଁ ଏତେ ସଂଖ୍ୟାରେ ଭିଡ଼ ହୋଇଥିଲା ଦଳଚକଟାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।

କରୁଣାନିଧିଙ୍କ ଅନ୍ତିମ ଯାତ୍ରା ଅପରାହ୍ନ ୪ଟାରେ ରାଜାଜୀ ହଲରୁ ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁରେ  କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଏନ୍‍ସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ପ୍ରଫୁଲ୍ଲ ପଟେଲ, ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ସମେତ ବହୁ ବରିଷ୍ଠ ନେତା ଦଳଗତ ନିର୍ବିଶେଷରେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କରୁଣାନିଧିଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକବ୍ୟକ୍ତ କରାଯାଇଛି ଓ ତାମିଲନାଡୁ ରାଜ୍ୟ ସରକାର ୭ଦିନିଆ ଶୋକ ଘୋଷଣା କରିଛନ୍ତି। ଏହା ସହିତ ବୁଧବାର ପାଇଁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି।

୧୯୨୪ ଜୁନ୍‌ ୩ରେ ତାମିଲନାଡୁର ନାଗପଟ୍ଟିନମ୍‌ ଜିଲାରେ ଜନ୍ମିତ କରୁଣାନିଧି ରାଜନୈତିକ କ୍ୟାରିୟରରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଥିଲେ। ସେ ୭ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିଲେ। ଅସୁସ୍ଥତା ଯୋଗୁ ସେ ୨୦୧୬ ଅକ୍ଟୋବରଠାରୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ।

Comment