ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ବିପଦ। ପ୍ରଦୂଷିତ ହେବାରେ ଲାଗିଛି ମାଟି, ପାଣି ଓ ପବନ। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ପ୍ରଣାଳିରେ ଚାଷ କରିବାକୁ କୃଷି ବିଜ୍ଞାନୀମାନେ ଦେଇଛନ୍ତି ମତ।

କେନ୍ଦ୍ରାପଡ଼ା: ସରକାରୀ ଭାବରେ ସଚେତନତା ନହେଲେ ନାହିଁ। ନିଜେ ଅଙ୍ଗେ ନିଭାଉଥିବା ସମସ୍ୟା ଓ ତାହାର ସମାଧାନ ସୁତ୍ର ଖୋଜୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସାନ ଜରିଆ, ଗଙ୍ଗାରାମପୁର ଓ ଅରଡ଼ପଲ୍ଲୀ ପଞ୍ଚାୟତର ଚାଷୀମାନେ। ଚାଷ ଜମିର ଉର୍ବରତା କମୁଥିବାରୁ ଫସଲ ଅମଳ ହୋଇପାରୁନି। ଚାଷଜମିରେ ରାସାୟନିକ ସାର ଅଧିକମାତ୍ରାରେ ପ୍ରୟୋଗ ହେଉଥିବାରୁ ଏହି ସମସ୍ୟା ଦେଖାଦେଇଛି।

ଧାନ, ମୁଗ, ବିରି ଆଦି ଫସଲରେ ନୂଆ ନୂଆ ରୋଗ ପୋକ କ୍ଷେତକୁ ଉଜାଡ଼ି ଦେଉଛନ୍ତି। ଫସଲ ପାଇଁ ଚାଷୀ ଜମିରେ ଯେତେ ଟଙ୍କା ଖର୍ଚ୍ଚ କରୁଛି ସେହି ପରିମାଣରେ ଫସଲ ଅମଳ ହେଉନି। ଫଳରେ ଚାଷୀଙ୍କ ମନରେ ଭାଳେଣି ପଡ଼ିଛି। ଭଲ ଫସଲ ଅମଳ ହେଉ ନଥିବାରୁ ଅନେକ ଚାଷୀ ଚାଷ କାମରୁ ମୁହଁ ଫେରାଉଛନ୍ତି। ନିଜ ଜମିରୁ ପନି ପରିବା ଅମଳ କରି ହାଟ ବଜାରରେ ବିକ୍ରୟ କରି ଭଲ ଦି ପଇସା ଲାଭ କରୁଥିବା ଚାଷୀ ଏବେ ହାଟକୁ ପନିପରିବା କିଣିବାକୁ ଯାଉଛି। ହାଟ ବଜାରରେ ମିଳୁଥିବା ପନିପରିବା ଖାଇ ବିଭିନ୍ନ ରୋଗରେ ପଡ଼ି ଛଟପଟ ହେଉଛି ଗରିବ ଚାଷୀ। ଏହି ସମସ୍ୟା ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀମାନଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି।

ଚାଷୀମାନଙ୍କ ସମସ୍ୟା ବଢ଼ୁଥିବା ବେଳେ ସମାଧାନ ପାଇଁ କୃଷି ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଚାଷୀମାନଙ୍କର ଏହି ସମସ୍ୟା ସମାଧାନ ପାଇଁ ଦରଦି ବନ୍ଧୁ ସେବା ସଂସ୍ଥା ଓ ସେକୁଲାର ଫାଉଣ୍ଡେସନ ଆଗେଇ ଆସିଛନ୍ତି।

ବାହାର ଅଞ୍ଚଳରୁ କୃଷି ବିଜ୍ଞାନୀମାନଙ୍କୁ ଡକାଇ ଚାଷୀମାନେ ଚାଷରେ  ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସହାୟତା ଲୋଡ଼ିଛନ୍ତି। ଏହି ଆଲୋଚନାରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩ ଶହରୁ ଅଧିକ ଚାଷୀ ଯୋଗଦେଇ କୃଷି ବିଜ୍ଞାନୀଙ୍କ ସାମ୍ନାରେ ସେମାନଙ୍କର ସମସ୍ୟା ବଖାଣିଥିଲେ।

କୃଷି ବିଶେଷଜ୍ଞ ପ୍ରଭାତ କୁମାର ଦାସ ଓ ପ୍ରଦୀପ ମହାନ୍ତି କହିଥିଲେ, ” ଫସଲରେ ଅତ୍ୟଧିକ ରାସାୟନିକ ସାର ଓ ବିଶାକ୍ତ କୀଟନାଶକ ପ୍ରୟୋଗ ଯୋଗୁଁ ଚାଷୀ ଅସୁବିଧା ଭୋଗୁଛି। ଚାଷି ଜମିରେ ଗୋବର ଖତ ପ୍ରୟୋଗ ନକରି ରାସାୟନିକ ସାର ବ୍ୟବହାର କରୁଛନ୍ତି। ଜମିରେ ଆଉ ନଳିତା କିମ୍ବା ଧଣ୍ଡିଚାର ସବୁଜ ଖତ ପ୍ରୟୋଗ କରୁନାହାନ୍ତି । ସାର ପ୍ରୟୋଗ କରିବା ଫଳରେ ମାଟିର ଉର୍ବରତା ହ୍ରାସ ପାଉଛି।”

କୃଷି ବିଶେଷଜ୍ଞ ଆହୁରି କହିଛନ୍ତି ଯେ ମାଟିରୁ ଜୀବନିକା ନଷ୍ଟ ହେବାରୁ ମାଟି ପ୍ରତି ବର୍ଷ ଅଧିକରୁ ଅଧିକ ରାସାୟନିକ ସାରର ଆବଶ୍ୟକତା କରୁଛି। ଏମିତି ଦିନ ଆସିବ ଜମିରେ ଥିବା ମାଟିର ଆଉ ଜୀବନ ନଥିବ। କେବଳ ରାସାୟନିକ ସାର ଉପରେ ଚାଷ କରିବାକୁ ବାଧ୍ୟ ହେବ ଚାଷୀ। ଏପରି ବିପଦ ଆସିବା ଆଗରୁ ଚାଷୀମାନେ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର।

ଜମିରେ ରାସାୟନିକ ସାରର ପରିମାଣ କମ୍ କରି ଗୋବର ଖତ, ବାୟୋ ଫର୍ଟିଲାଇଜର, ଧାନ ଜମିରେ ଆଜୋଲା, ନିଳ ଶୈବାଳ ବ୍ୟବହାର କରିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏହାଛଡ଼ା ପନିପରିବା ଲଗାଇଲା ସମୟରେ ସାର ବ୍ୟବହାର ନକରି ଆଜୋବା ବ୍ୟାକ୍ଟର ନାମକ ଏକ ପାଉଡର ପାଣିରେ ଗଛର ମୂଳକୁ ବୁଡ଼ାଇ ରୋପଣ କଲେ ପନିପରିବା ଗଛ ନିରୋଗ ରହିବ। ମୁଗ ବିରି ବୁଣିବା ସମୟରେ ଜୀବାଣୁ ସାରର ପ୍ରୟୋଗ ଅତ୍ୟନ୍ତ ଅପରିହାର୍ଯ୍ୟ। ଫସଲରେ ରୋଗ ପୋକ ଦମନ ପାଇଁ ଚାଷୀମାନେ ନିଜ ଉପାୟରେ ଜୈବିକ କୀଟନାସକ ମଧ୍ୟ ପ୍ରସ୍ତୁତ କରି ଫସଲରେ ପୋକ ମାନଙ୍କୁ ଦମନ କରି ପାରିବେ ବୋଲି ମତ ଦେଇଛନ୍ତି କୃଷି ବିଶେଷଜ୍ଞ।

ଅରଖ ପତ୍ର, କରଞ୍ଜ ପତ୍ର, ଗୁଡ଼, ଗୋବର ଓ ଗୋମୁତ୍ରକୁ ହାଣ୍ଡିରେ ପୂରାଇ କିଛିଦିନ ରଖିଲେ ସେଥିରୁ ବାହାରୁଥିବା ଏହି ବିଶାକ୍ତ ରସକୁ ଛାଣି ଫସଲରେ ସିଞ୍ଚନ କଲେ ରୋଗ ପୋକଙ୍କୁ ଦମନ କରାଯାଇପାରିବ।

“ଚାଷୀମାନେ ସଚେତନ ହେବାର ବେଳ ଆସି ପହଞ୍ଚିଲାଣି। ଚାଷୀ ସଚେତନ ନହେଲେ ସମସ୍ତେ ଏକ ଅଜଣା ବିପଦ ମୁହଁକୁ ଠେଲି ହୋଇଯିବେ”, କହିଛନ୍ତି କୃଷି ବିଶେଷଜ୍ଞ।

ଆଧୁନିକ ଚାଷ ପଦ୍ଧତି ଛାଡି ପାରମ୍ପରିକ ଚାଷ ପଦ୍ଧତିକୁ ଆପଣାଇବାକୁ ଆରମ୍ଭ କରିଥିବା ସାନଜରିଆ ପଞ୍ଚାୟତର ନଟବର ରାଉତ, ଗଙ୍ଗାରାମପୁର ପଞ୍ଚାୟତର ବାବାଜୀ ସ୍ୱାଇଁ ଓ ଅରଡ଼ପଲ୍ଲୀ ପଞ୍ଚାୟତର ପ୍ରତାପ ଜେନାଙ୍କୁ ଚାଷୀ ସଂଗଠନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି।

Comment