ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିନା ହାତଗୁଞ୍ଜାରେ ଫାଇଲ ହଲୁନି। ଗ୍ରାମାଞ୍ଚଳରୁ ଜିଲ୍ଲାପାଳଙ୍କ ଅଫିସକୁ ଆସୁଥିବା ଦୈନିକ ଶହ ଶହ ଗରିବଜନସାଧାରଣ କିରାଣୀ ଓ ଚପରାସିମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି।

ଶୁକ୍ରବାର ଦିନ ଏହାର ଏକ ବଳିଷ୍ଠ ପ୍ରମାଣ ଲାଗିଛି ଭିଜିଲାନ୍ସ ହାତରେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ ବିଭାଗରେ ବରିଷ୍ଠ କିରାଣୀ ଭାବେ କାମ କରୁଥିବା ପରିକ୍ଷୀତ ଜେନା ଏବଂ ଚାକିରିରୁ ଅବସର ନେଇଥିବା ଅଲେଖ ଜେନା ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରିଆରେ ୧୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଉଭୟ ଆଜି ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଶ୍ରୁତିପୁରଠାରେ ଲୁଣା ନଦୀର ବାଲୁକା ଶଯ୍ୟାରେ ହେବାକୁ ଥିବା ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି କରାଇଦେବାକୁ ବାଲିଯାତ୍ରା କମିଟିର ସଦସ୍ୟ ଚିନ୍ମୟ ପ୍ରସାଦ ରାଉତଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଗୁରୁବାର ଚିନ୍ମୟ ୧ ହଜାର ଟଙ୍କା ଦେଇଥିଲେ। ବାକି ୧ ହଜାର ଟଙ୍କା ଦେଇ ଶୁକ୍ରବାର ଦିନ ବାଲିଯାତ୍ରା ପାଇଁ ଅନୁମତିପତ୍ର ଦେବାକୁ କହିଥିଲେ ପରିକ୍ଷୀତ।

ଏହି ଟଙ୍କା ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଲେଖ ବାରିକଙ୍କ ଜରିଆରେ ପରିକ୍ଷୀତ ନେଇଥିଲେ।

ଖବରପାଇ କେନ୍ଦ୍ରାପଡ଼ା ଜିଲ୍ଲା ଭିଜଲାନ୍ସ ବିଭାଗର ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ସହିତ ୮ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଭିଜଲାନ୍ସ ପରିକ୍ଷୀତ ଜେନାଙ୍କ ନିଜ ଘର ଭାଣ୍ଡିଲ ଗାଁରେ ଚଢ଼ାଉ କରିଥିବା ବେଳେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଲେଖ ବାରିକଙ୍କ ଘର ନୋଧାବସନ୍ତ ଗାଁରେ ମଧ୍ୟ ଚଢ଼ାଉ କରିଛି।

ଉଭୟଙ୍କୁ ଗିରଫ କରାଯାଇ କଟକ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ଚାକିରିରୁ ଅବସର ନେଇଥିବା କର୍ମଚାରୀମାନେ ଗାଁ ଗହଳିରୁ ଆସୁଥିବା ଲୋକମାନଙ୍କଠାରୁ ବଟି ଆଦାୟ କରୁଥିଲେ ମଧ୍ୟ ପ୍ରଶାସନ ନଜରକୁ କିପରି ଆସିପାରୁନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment