ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତାଭ ବଚ୍ଚନ, ରିଷି କପୁର, ମିଥୁନ ଚକ୍ରବର୍ତ୍ତୀ ଏବଂ ଗୋବିନ୍ଦାଙ୍କ ଭଳି ଅଭିନେତାଙ୍କ ପାଇଁ କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ୍।

ଆରପାରିରେ ବଲିଉଡର ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରେଲାକ ଘଟିଛି। ମୁମ୍ବାଇରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କର ଜନ୍ମ ୧୯୫୪ ମସିହା ପଶ୍ଚିମବଙ୍ଗର ଆଶୋକନଗରଠାରେ ହୋଇଥିଲା। ବଲିଉଡରେ ଅନେକ ଫିଲ୍ମରେ ଅଜିଜ ଗୀତ ଗାଇଛନ୍ତି। ମଙ୍ଗଳବାର ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

ଅମିତାଭ ବଚ୍ଚନ, ରିଷି କପୁର, ମିଥୁନ ଚକ୍ରବର୍ତ୍ତୀ ଏବଂ ଗୋବିନ୍ଦାଙ୍କ ଭଳି ଅଭିନେତାଙ୍କ ପାଇଁ କଣ୍ଠଦାନ କରିଥିଲେ ସେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କର ସେ ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ତାଙ୍କୁ ହିଁ ନିଜର ଗୁରୁ ମାନୁଥିଲେ ମହମ୍ମଦ ଅଜିଜ।

୧୯୮୪ରେ ଆସିଥିଲେ ମୁମ୍ବାଇ

ମହମ୍ମଦ ଅଜିଜ ନିଜର ସଙ୍ଗୀତ କ୍ୟାରିୟର କୋଲକାତାର ଏକ ରେସ୍ତାରାଁରୁ ଆରମ୍ଭ କରିଥିଲେ। ଏହାପରେ ୧୯୮୪ ମସିହାରେ ମୁମ୍ବାଇ ଆସିଥିଲେ। ସେହି ବର୍ଷ କ୍ଷୁଦ୍ର ଫିଲ୍ମ ‘ଅମ୍ବର’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ର ଟାଇଟଲ ସଙ୍ଗ ‘ମୈ ହୁଁ ମର୍ଦ ତାଙ୍ଗେ ଓ୍ଵାଲା’ରୁ ଅଜିଜ ରାତାରାତି ତାରକା ପାଲଟି ଯାଇଥିଲେ।

ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ ଗୀତ ଗାଇବାର ସୁଯୋଗ ତାଙ୍କୁ ଅନୁ ମଲ୍ଲିକ ଦେବା ପରେ ସେ ପରବର୍ତ୍ତୀ କାଳରେ ସଂଗୀତ ଦୁନିଆର ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ।

ଅମିତାଭଙ୍କ ଛଡ଼ା ଗୋବିନ୍ଦା, ଅନୀଲ କପୁର, ମିଥୁନ ଚକ୍ରବର୍ତ୍ତୀ ପାଇଁ ଗୀତ ଗାଇଛନ୍ତି। ଏହାଛଡ଼ା କଲ୍ୟାଣଜୀ ଆନନ୍ଦଜୀ, ଆରଡି ବର୍ମନ, ବାପି ଲେହରି, ରବୀନ୍ଦ୍ର ଜୈନ, ଅନୁ ମଲ୍ଲିକ ଏବଂ ଆଦେଶ ଶ୍ରୀବାସ୍ତବଙ୍କ ଭଳି ନାମୀଦାମୀ ମ୍ୟୁଜିକସିଆନଙ୍କ ସହ କାମ କରିଥିଲେ। ଭଜନ, ଗଜଲ, ରୋମାଣ୍ଟିକ ଗୀତ ଗାଇବାର ଦକ୍ଷତା ତାଙ୍କ ପାଖରେ ଥିଲା।

୧୯ ହଜାରରୁ ଅଧିକ ଗୀତ

ମହମ୍ମଦ ଅଜିଜ ବିଭିନ୍ନ ଭାଷାରେ ପାଖାପାଖି ୧୯ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଲାଲ ଦୁପଟା ମଲମଲ କା, ଏ ମେରେ ଦୋସ୍ତ ଲୋଟ କେ ଆଜା, ପ୍ୟାର ହମାରା ଅମର ରହେଗା, ମାଇ ନେମ୍ ଇଜ୍ ଲକ୍ଷନ.. ଭଳି ସୁପରହିଟ୍ ଗୀତ ଗାଇଛନ୍ତି।

ଓଲିଉଡରେ ଅଜିଜ

ବିଶେଷ କରି ଅଜିଜ୍ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜର ସୁମଧୁର ସ୍ଵରରେ ବହୁ ମନଛୁଆଁ ଗୀତ ଉପହାର ଦେଇଛନ୍ତି। ସିନେମା ବ୍ୟତୀତ ମହମ୍ମଦ ଅଜିଜ୍ ବହୁ ଓଡ଼ିଆ ଭଜନ ଓ ଆଲବମ୍ ଗୀତର କଣ୍ଠଦାନ କରିଛନ୍ତି।

ପ୍ରଥମେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ସଂଗୀତ ପ୍ରେମୀଙ୍କ ପ୍ରିୟ ହୋଇ ପାରିଥିଲେ। ସେ ଗାଇଥିବା ଅନେକ ଗୀତ ସୁପରହିଟ୍ ମଧ୍ୟ ହୋଇଛି।

Comment