ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଦାଖଲ କଲେ କମିଶନ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଶୁକ୍ରବାର ରିପୋର୍ଟ ଦାଖଲ କରିଛନ୍ତି ତଦନ୍ତ କମିଶନ। ତଦନ୍ତ କମିଶନ ଜଷ୍ଟିସ୍ ରଘୁବୀର ଦାସ ଗୃହ ବିଭାଗ ଅନୁସଚିବଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛନ୍ତି। କମିଶନ ୩୨୪ ପୃଷ୍ଠିଆ ରିପୋର୍ଟ ଦାଖଲ କରିଛନ୍ତି।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ସରକାର ଗତ ଜୁନ୍ ୬ ତାରିଖରେ ତଦନ୍ତ କମିଶନ ଗଠନ କରିଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।

୩ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେଉଁ ପରିସ୍ଥିତିରେ ଚାବି ହଜିଛି ଓ କାହିଁକି ଚାବି ମିଳୁନି ତାର ତଦନ୍ତ କରିଥିଲେ କମିଶନ।ଜୁନ୍ ୧୪ ତାରିଖରେ ରାଜ୍ୟ ସରକାର କମିଶନ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ କମିଶନ ୨୭ ତାରିଖରୁ ତଦନ୍ତ ଆରମ୍ଭ କରିଥିଲେ।

ଏପ୍ରିଲ ୪ରେ ଖୋଲିଥିଲା କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଆକଳନ କରିବା ପାଇଁ ୧୬ ଜଣିଆ ଟିମ୍‌ ପ୍ରବେଶ କରିଥିଲେ। ହେଲେ ଭିତର ରତ୍ନଭଣ୍ଡାରରେ ପଶିପାରି ନଥିଲେ ଯାଞ୍ଚକାରୀ ଟିମ୍। ବାହାର ରତ୍ନଭଣ୍ଡାରରେ ରହି ଜଳାକବାଟି ଦେଇ ଭିତର ରତ୍ନଭଣ୍ଡାରକୁ ନିରୀକ୍ଷଣ କରିଥିଲେ।

ଭିତର ରତ୍ନଭଣ୍ଡାରକୁ ଯାଞ୍ଚକାରୀ ଟିମ୍ କାହିଁକି ପଶିପାରିଲେନି ବୋଲି ଗଣମାଧ୍ୟମ ପ୍ରତିନିଧି ଶ୍ରୀମନ୍ଦିର ପ୍ରଶାସକଙ୍କୁ ପ୍ରଶ୍ନ କରିଥିଲା। କିନ୍ତୁ ପ୍ରଶାସକ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ସେହିଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ହିଁ ଚାବି ହଜିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାଶୁଣି ଗଜପତି ମହାରାଜ ଚକିତ ହୋଇଯାଇଥିଲେ। ହେଲେ ପ୍ରଶାସନ ଚୁପ୍ ହୋଇଯାଇଥିଲା। କିନ୍ତୁ ଗଣମାଧ୍ୟମରେ ଦୁଇଦିନ ହେଲା ଚାବିକୁ ନେଇ ଚର୍ଚ୍ଚା ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ।

Comment