ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଶେଷ ହେବା ପରେ ପରିବାର ସହ ନେତା କରୁଛନ୍ତି ମଉଜ।

ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। କିଏ ଜିତିବ ଏବଂ କିଏ ହାରିବ ତା’ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହି ସମୟରେ ଗଣମାଧ୍ୟମରେ ଏମିତି କିଛି ଫଟୋ ଆସିଛି ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ନିର୍ବାଚନ ଧାଁ ଦଉଡ଼ରୁ ପୁରସତ ମିଳିବା ପରେ ଏବେ ନେତା ପରିବାର ସହ ମଉଜ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ବିଜେପି ନେତା ଶିବରାଜ ସିଂହ ଚୌହାନ ପତ୍ନୀଙ୍କ ସହ ମିଶି ପରଟା ତିଆରି କରୁଥିବା ବେଳେ ଛତିଶଗଡ଼ର ବିଜେପି ନେତା ରମଣ ସିଂହ ଫିଲ୍ମ ଦେଖିଛନ୍ତି। ସେହିପରି ରାଜସ୍ଥାନ ବିଜେପି ନେତ୍ରୀ ବସୁନ୍ଧରା ରାଜେ ପିଆଜ ରୁଟି ଖାଇଛନ୍ତି।

ପତ୍ନୀଙ୍କ ସହ ପରଟା କଲେ ଶିବରାଜ

ଏକଜିଟ୍ ପୋଲ୍ ସର୍ଭେରେ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆକଳନ କରାଯାଇଛି। ଆକଳନ ଅନୁସାରେ ଶିବରାଜ ସରକାରଙ୍କ ପତନ ହେବ ଏବଂ ମଧ୍ୟପ୍ରଦେଶ ବିଜେପି ହାତରୁ ଖସିଯାଇ କଂଗ୍ରେସ ହାତକୁ ଚାଲିଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି। କିନ୍ତୁ ଯାହା ଜଣାପଡ଼ୁଛି ଏକଜିଟ୍ ପୋଲ୍ ସର୍ଭେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ନିର୍ବାଚନୀ ଟେନସନ ଶେଷ ହେବା ପରେ ପରିବାର ସହ ସମୟ କାଟୁଛନ୍ତି ଶିବରାଜ। ବାନ୍ଧବଗଡ଼ରେ ପତ୍ନୀ ରୋଷେଇ କରୁଥିବା ବେଳେ ପରଟା ତିଆରି କରିଥିଲେ ଶିବରାଜ ସିଂହ।

ରମଣ ଦେଖିଲେ ଫିଲ୍ମ

ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିବା ଖବର ଅନୁସାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ପରିବାର ସହିତ ସମୟ କାଟିଛନ୍ତି। ପ୍ରଥମେ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପତ୍ନୀ ଓ ପୁଅଙ୍କ ସହ ଫିଲ୍ମ ଦେଖିଛନ୍ତି।

ଜମିରେ ବସି ପିଆଜ-ରୁଟି ଖାଇଲେ ବସୁନ୍ଧରା

ରାଜସ୍ଥାନ ବିଧାନସଭାର ୧୯୯ଟି ଆସନ ପାଇଁ ଶୁକ୍ରବାର ମତଦାନ ହୋଇଛି। ରାଜ୍ୟରେ ୭୪.୦୮ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଝାଲାବାଡ ଜିଲ୍ଲାର ଝାଲରାପଟନରେ ଭୋଟ ଦେଇଥିଲେ। ପରେ ଝାଲବାଡ଼ସ୍ଥିତ ପିଡାବା ଜମିକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପିଆଜ, ଦହି ସହ ରୁଟି ଖାଇଥିଲେ ବସୁନ୍ଧରା ରାଜେ।

କ’ଣ ଅଛି ଏକଜିଟ ପୋଲରେ?

ଅଧିକରୁ ଅଧିକ ଏକଜିଟ ପୋଲ ସର୍ଭେରେ ପାଖାପାଖି ସମାନ ରିପୋର୍ଟ ଆସିଛି। ରାଜସ୍ଥାନରେ ବିଜେପି ହାତରୁ ଶାସନ କଂଗ୍ରେସ ହାତକୁ ଚାଲିଯାଇପାରେ ବୋଲି ଏକ୍‌ଜିଟ୍ ପୋଲ୍ ଆକଳନ କରିଛି। ସେହିପରି ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ତେଲେଙ୍ଗାନାରେ କେସିଆର ଦ୍ୱିତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବାର ନଜର ଆସିଛି।  ମିଜୋରାମରେ ସାଙ୍ଗମାଙ୍କ ଉପରେ ଜନତା ଭରସା ରଖିଛନ୍ତି।

Comment