ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଟପ୍‌ କମେଡିଆନ୍‌ ପପୁ ପମ୍‌ପମ୍‌ ନିର୍ଦ୍ଦେଶକ ଭାବେ ଆରମ୍ଭ କରୁଛନ୍ତି ଏକ ନୂଆ ଇନିଂସ୍‌।

ଓଲିଉଡର ମୋଷ୍ଟ ପପୁଲାର କମେଡିଆନ ପପୁ ପମ୍‌ପମ୍‌ ଏବେ କେବଳ ପରଦା ଉପରେ ନୁହେଁ, ପରଦା ପଛରେ ମଧ୍ୟ କମାଲ ଦେଖାଇବାକୁ ଯାଉଛନ୍ତି। ପପୁ ପମ୍ ପମ୍ ଓରଫ୍  ତତ୍ତ୍ୱ ପ୍ରକାଶ ଶତପଥୀ ବର୍ତ୍ତମାନ ସିନେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି। ପପୁ ନିର୍ଦ୍ଦେଶନା ଦେଉଥିବା ଚଳଚ୍ଚିତ୍ରର ଟାଇଟଲ୍ ରହିଛି ‘ଚିରକୁଟ୍’। ଏହାର ପ୍ରଯୋଜନା କରୁଛନ୍ତି ଓଲିଉଡର ଲୋକପ୍ରିୟ ନିର୍ମାତା ଅକ୍ଷୟ ପରିଜା। ଏହାର କାହାଣୀରେ ଶିଶୁମାନଙ୍କ ପ୍ରସଙ୍ଗ ରହିଥିବା ଜଣାଯାଇଛି।

ପପୁ ଯେ କେବଳ ଏଥିରେ ନିର୍ଦ୍ଦେଶନା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି, ତାହା ନୁହେଁ, ବରଂ ସେ ଏହାର ସଂଳାପ ଓ ସଙ୍ଗୀତ ନିର୍ଦ୍ଦେଶନାର ମଧ୍ୟ ଦେଉଛନ୍ତି। ପପୁ ପମ୍ ପମ୍ ଓଡ଼ିଆ ସିନେମାରେ ଆଗରୁ ବି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି। କିନ୍ତୁ ସେ ଯେଉଁ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ, ତାହା ଆଜିଯାଏଁ  ରିଲିଜ୍ ହୋଇପାରିନାହିଁ। ସେହି ସିନେମାର ନାଆଁ ଥିଲା ‘ଜୋକର୍’।

‘ଜୋକର୍’ ଫିଲ୍ମରେ ନିଜେ ପପୁ ପମ୍ ପମ୍ ହିରୋ ଭାବେ ଅଭିନୟ ମଧ୍ୟ କରୁଥିଲେ। ଏଥିରେ ତମନ୍ନା, ଲିପ୍ସା ମିଶ୍ର ଓ ଦୁଷ୍ମନ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ‘ଜୋକର୍’ର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ। ଏହି ସିନେମାର ନବେ ପ୍ରତିଶତ ସୁଟିଂ ବି ସରିଥିଲା। ପପୁ ପମ୍ ପମ୍ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଏଥିରେ ଭଲ ଗୀତ ତିଆରି କରିଥିଲେ। ହେଲେ ଆଜିଯାଏଁ  ସେହି ସିନେମାଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।

ଓଲିଉଡର ଏହି ଟପ୍ କମେଡିଆନ୍ ପପୁ ପମ୍ ପମ୍ ପ୍ରତ୍ୟକ୍ଷ ଭାବେ ପରଦା ପଛର ପ୍ରଯୋଜକ ମଧ୍ୟ ହୋଇଛନ୍ତି । ସେ ତାଙ୍କ ପତ୍ନୀଙ୍କ ନାଆଁରେ ଏକ ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ। ସେହି ଫିଲ୍ମର ଟାଇଟଲ୍ ଥିଲା ‘ଆମେ ତ ଟୋକା ଷଣ୍ଢ ମାର୍କା’। ଏହି ସିନେମା ପରେ ପପୁ ଆଉ ପ୍ରଯୋଜନାରେ ମନୋନିବେଶ କରିନଥିଲେ।

ଓଲିଉଡର କମେଡି କିଙ୍ଗ୍ ପପୁ ପମ୍ ପମ୍ ପ୍ରଚ୍ଛଦପଟ ଗାୟକ ଭାବେ ମଧ୍ୟ ବେଶ୍ ଲୋକପ୍ରିୟ। ସେ ଗାଇଥିବା ‘ରାନୁ ଲୋ ରାନୁ ଆଜିକାଲି ଭାରି ଦୁଷ୍ଟ ହେଲୁଣି’ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଏହାକୁ ସୁପରହିଟ୍ ଗୀତ ବୋଲି କୁହାଯାଇପାରେ।

ପପୁ ପମ୍ ପମ୍ ଅଭିନେତାରୁ ନାୟକ, ତା’ ପରେ ଗାୟକ, ପ୍ରଯୋଜକ ଏମିତି କେତେ ରୂପରେ କାମ କରିବା ପରେ ଏବେ ବନିଛନ୍ତି ନିର୍ଦ୍ଦେଶକ। ‘ଚିରକୁଟ୍’ ଜରିଆରେ ପପୁ ଯେଉଁ ନୂଆ ଇନିଂସ ଆରମ୍ଭ କରିଛନ୍ତି, ସେଥିରେ କେତେଦୂର ସଫଳ ହେଉଛନ୍ତି ଏହା ଦେଖିବା କଥା।

Comment