ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ହୋଇଛନ୍ତି ଡକ୍ଟର ମନୋରମା ମହାନ୍ତି। ସେ ଏବେ ଗୁଜରାଟର ଅହମ୍ମଦାବାଦର ପାଣିପାଗ କେନ୍ଦ୍ରର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ପଦୋନ୍ନତି ସହ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନୂଆ ନିଯୁକ୍ତି ମିଳିଛି।

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଭାବେ ଡକ୍ଟର ଏଚ୍. ଆର ବିଶ୍ୱାସଙ୍କ ସ୍ଥାନ ନେବେ। ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି।

ଓଡ଼ିଶାରେ ଜନ୍ମିତ ପାଣିପାଗ ବିଜ୍ଞାନୀ ଡକ୍ଟର ମନୋରମା ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତର ହାସଲ କରିଥିଲେ। ଏହାପରେ ସେ ଭାରତୀୟ ପାଣିପାଗ ବିଭାଗରେ ଯୋଗ ଦେଇଥିଲେ।

ସେ ଅହମ୍ମଦାବାଦ ପାଣିପାଗ କେନ୍ଦ୍ରର ନିର୍ଦେଶକ ଥିବା ସମୟରେ ଆରବ ସାଗରରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟର’ ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ବଡ଼ ଭୂମିକା ରହିଥିଲା। ଏଥିପାଇଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇଥିଲା। ଓଡ଼ିଶା ଭଳି ବାତ୍ୟା ପ୍ରବଣ ରାଜ୍ୟରେ ତାଙ୍କର ଅଭିଜ୍ଞତା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ।

Tags: #DrManoramaMohanty #Director #Weather #MCBBSR #IMD #Bhubaneswar

Comment