ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଏହାସହ ଗୁରୁବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ରାଜ୍ୟର ୧୪ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ମଧ୍ୟରେ ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କଟକ, ଖୋର୍ଦ୍ଧା, ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା ଓ ଦେବଗଡ଼ ସାମିଲ ଅଛି।

ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ପାଗ କୋହଲା ହେବାସହ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି।

ଅନ୍ୟପଟେ ଓଡ଼ିଶାରେ ଏପ୍ରିଲ ୧୨ ତାରିଖ ଯାଏଁ ତାପମାତ୍ରା କମ ରହିବ। ଏହାପରେ ୧୩ ତାରିଖରୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ଯାଏଁ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Rainfall #Thunderstorm #MCBBSR #Odisha

Comment