ଓଡ଼ିଶାଲାଇଭ୍ ବ୍ୟୁରୋ

ବାଜପେୟୀଙ୍କ ଜନ୍ମଦିନରେ ପ୍ରଚଳିତ ହେବ ବାଜପେୟୀଙ୍କ ନାମ ଓ ଛବି ଥିବା ମୁଦ୍ରା।

ଖୁବଶୀଘ୍ର କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ୧୦୦ଟଙ୍କିଆ ମୁଦ୍ରା ପ୍ରଚଳିତ କରିବାକୁ ଯାଉଛନ୍ତି।  ଏହି ମୁଦ୍ରାର ଓଜନ ୩୫ ଗ୍ରାମ ରହିବ। ସରକାର ବାଜପେୟୀଙ୍କ ଜନ୍ମଦିନରେ ଏହି ମୁଦ୍ରା ପ୍ରଚଳିତ କରିବେ।

ଏହି ମୁଦ୍ରାରେ ବାଜପେୟୀଙ୍କର ଛବି ସହିତ ଦେବନଗରୀ ଲିପିରେ ତାଙ୍କ ନାମ ବି ରହିବ। ସେହି ମୁଦ୍ରାରେ ବାଜପେୟୀଙ୍କ ଜନ୍ମତିଥି ୧୯୨୮ରୁ ମୃତ୍ୟୁ ବର୍ଷ ୨୦୧୮ ଲେଖାଯିବ।

ସେହିପରି ମୁଦ୍ରାର ଓଲଟା ପଟେ ଅଶୋକ ସ୍ତମ୍ଭ ରହିବ ଏବଂ ମଝିରେ ଦେବନଗରୀ ଲିପିରେ ସତ୍ୟମେବ ଜୟତେ ଲିଖିତ ରହିବ। ଏହା ବ୍ୟତୀତ ମୁଦ୍ରାର ଗୋଟିଏ ପଟେ ଭାରତ ଓ ଇଂରାଜୀରେ ଇଣ୍ଡିଆ ରହିବ। ଅଶୋକ ସ୍ତମ୍ଭ ତଳେ ମୁଦ୍ରାର ସଙ୍କେତ ଓ ୧୦୦ଟଙ୍କା ଲେଖାଯିବ।

ତେବେ ସରକାର ବାଜପେୟୀଙ୍କ ୯୪ତମ ଜନ୍ମଦିନରେ ଏହି ମୁଦ୍ରା ପ୍ରଚଳିତ କରିବେ। ଏହି ଅବସରରେ ଏହି ମୁଦ୍ରାର ଘୋଷଣା କରାଯିବ।

ବାଜପେୟୀଙ୍କର ଜନ୍ମ ୧୯୨୮ ମସିହା ଡିସେମ୍ବର ୨୫ରେ ହୋଇଥିଲା। ୯୩ ବର୍ଷ ବୟସରେ ୨୦୧୮ ଅଗଷ୍ଟ ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଜପେୟୀ ୧୯୯୬ରେ ୧୩ ଦିନ, ୧୯୯୮ରେ ୧୩ ମାସ ୧୯୯୯ରେ ୫ ବର୍ଷ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ବାଜପେୟୀଙ୍କ ନାମରେ ଛତିଶଗଡ଼ର ନୂଆ ରାୟପୁର ନାମ ଅଟଳ ନଗର ରଖାଯାଇଛି। ଉତ୍ତରାଖଣ୍ଡ ସରକାର ଡେରାଡୁନ ଏୟାରପୋର୍ଟର ନାମ ବାଜପେୟୀଙ୍କ ନାମରେ  ରଖିଛନ୍ତି। ଏହାବ୍ୟତୀତ ଲକ୍ଷ୍ନୌର ପ୍ରସିଦ୍ଧ ହଜରତଗଞ୍ଜ ଚୌରାହାର ନାମ ବଦଳାଇ ଅଟଳ ଚୌକ ରଖାଯାଇଛି।

Comment