ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବିମାନ ବନ୍ଦରରେ ରାଷ୍ଟ୍ର ଭାଷା ହିନ୍ଦୀ ଓ ବିଦେଶୀ ଭାଷା ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାରେ ବି ଘୋଷଣା କରାଯିବ। କେନ୍ଦ୍ର ସରକାର ଦେଶର ସମସ୍ତ ବିମାନବନ୍ଦରକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିମାନବନ୍ଦରଗୁଡ଼ିକରେ ପ୍ରଥମେ ଆଞ୍ଚଳିକ ଭାଷାରେ ଘୋଷଣା ହେବା ପରେ ଯାଇ ଇଂରାଜୀ ଓ ହିନ୍ଦୀ ଭାଷାରେ ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଅଧୀନରେ ଥିବା ସମସ୍ତ ବିମାନବନ୍ଦରକୁ ହିନ୍ଦୀ ଓ ଇଂରାଜୀ ଭାଷା ବ୍ୟତୀତ ପ୍ରଥମେ ଆଞ୍ଚଳିକ ଭାଷାରେ ବିମାନବନ୍ଦରରେ ଯାତ୍ରୀମାନଙ୍କ ସକାଶେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ସମସ୍ତ ବିମାନବନ୍ଦରର ସଞ୍ଚାଳକଙ୍କୁ କୁହାଯିବା ପରେ ବେସରକାରୀ ବିମାନବନ୍ଦର ସଞ୍ଚାଳକଙ୍କୁ ବି ଯୋଗାଯୋଗ କରାଯାଇଛି।

ଯେଉଁ ବିମାନବନ୍ଦରଗୁଡ଼ିକରେ ସର୍ବସାଧାରଣଙ୍କ ସକାଶେ କୌଣସି ପ୍ରକାର ଘୋଷଣା ହୁଏ ନାହିଁ ସେଠାରେ ଏହି ନିୟମ ଲାଗୁ ହେବ ନାହିଁ। ଏହି ନିୟମ ଅନୁସାରେ ଶହେରୁ ଅଧିକ ବିମାନ ବନ୍ଦରରେ ଲାଗୁ ହେବ ବୋଲି ସୂଚନା ରହିଛି।

Comment