ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଷ୍ଟାଲ ହାଇୱେ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର। ବିଜେଡି ଦେଲା ଜବାବ।

ମୋଦି ସରକାରଙ୍କ କୋଷ୍ଟାଲ ହାଇୱେକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ବରିଷ୍ଠ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ମୋଦି ସରକାର ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ଆଗଉ ନାହାନ୍ତି। କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି।

ରାଜ୍ୟ ସରକାରଙ୍କୁ ଅପାରଗ କହି ସମାଲୋଚନା କରିଛନ୍ତି।

ଧର୍ମେନ୍ଦ୍ରଙ୍କୁ ଏନେଇ ଜବାବ ଦେଇଛି ବିଜେଡି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ଅଭ୍ୟାସଗତ ମିଛୁଆ କହି ସମାଲୋଚନା କରିଛନ୍ତି।

ପ୍ରତାପ ଜେନା କହିଛନ୍ତି, “ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର କୋଷ୍ଟାଲ ହାଇୱେ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ହେଲେ ଅଢ଼େଇ ବର୍ଷ ପରେ ଏହାକୁ କେନ୍ଦ୍ର ସରକାର ଆପ୍ରୁଭାଲ କାହିଁକି କଲେ? ଏନେଇ କେନ୍ଦ୍ର ସରକାର ଏବଂ ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ସମସ୍ତ ତଥ୍ୟ ଦେଇଥିଲେ। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି ଯାତାୟତ ଦୃଷ୍ଟିରୁ ଏହି ରାସ୍ତା ସମୁଦ୍ର କୂଳ ଦେଇ ଯିବା ଦରକାର। କିନ୍ତୁ ପୁରୁଣା ରାସ୍ତା ଦେଇ ଏହି ନୂଆ ପ୍ରକଳ୍ପ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।”

ପ୍ରତାପ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନକରି କେନ୍ଦ୍ର ଏକପାଖିଆ ଭାବେ ଏହି ପ୍ରକଳ୍ପକୁ ଅନୁମୋଦନ କରିବାକୁ ଯାଉଛନ୍ତି। ଏହି ରାସ୍ତା କେଉଁ ବାଟ ଦେଇ ଯାଉଛି ସେ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ।

“୨୦୧୫ରେ ଏହି ପ୍ରକଳ୍ପକୁ ଅନୁମତି ମିଳିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରି ନଥିଲେ କେନ୍ଦ୍ର ସରକାର। ଏବେ ନିର୍ବାଚନ ପାଖେଇ ଆସିବାରୁ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି। କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେବା ଆଦୌ ଠିକ୍ ନୁହେଁ”, କହିଛନ୍ତି ପ୍ରତାପ ଜେନା।

Comment