ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିବା ପରେ ଏହାକୁ କାଉଣ୍ଟର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ବଜେଟକୁ ନୈରାଶ୍ୟଜନକ କହି ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ନବୀନ।

୨୦୧୯ ବଜେଟରେ ମଧ୍ୟମ ବର୍ଗପାଇଁ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବୃଦ୍ଧିକୁ ପସନ୍ଦ କରିଛନ୍ତି ନବୀନ। କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ଭଳି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପଇସା ଯିବା ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ ଚାଷୀଙ୍କ  ସହାୟତା ରାଶିକୁ ୬ ହଜାରରୁ ୧୦ ହଜାର ଟଙ୍କା କରିବା ଦରକାର ଥିଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଚଳିତ ବଜେଟରେ ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟ ଭତ୍ତା ବାବଦରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ନବୀନ କହିଛନ୍ତି। ବଜେଟରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଯଥେଷ୍ଟ ବ୍ୟୟବରାଦ କରାଯାଇନାହିଁ ବୋଲି ମଧ୍ୟ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ଯୋଗାଯୋଗ ଓ ପାନୀୟ ଜଳ ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୧୫ ରୁ ୨୦୨୦ ମଧ୍ୟରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ମିଳିବା କଥା। ତେବେ ୨୦୧୫ ରୁ ୨୦୧୮ ମଧ୍ୟରେ ରାଜ୍ୟକୁ ମିଳିଥିବା ଅର୍ଥ ଓ ୨୦୧୮-୧୯ର ରିଭାଇଜଡ ଏଷ୍ଟିମେଟ ଏବଂ ୨୦୧୯-୨୦ର ଅନୁଦାନକୁ ମିଶାଇଲେ ରାଜ୍ୟକୁ ମିଳୁଛି ୧ ଲକ୍ଷ ୫୭ ହଜାର ୮୨୮ କୋଟି। ଯଦି ଏହାକୁ ହିସାବ କରାଯାଏ ତେବେ ଓଡ଼ିଶା ରାଜ୍ୟ ୨୬ ହଜାର ୩୪୨ କୋଟି ଟଙ୍କାର କ୍ଷତି ସହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ତେଣୁ ଚଳିତ ବଜେଟକୁ ନୈରାଶ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।  ଏହି ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ସେ। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୨୭ ଲକ୍ଷ ୮୪ ହଜାର ୨୦୦ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି।

Comment