ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଇସ୍ତଫା
  • ଇସ୍ତଫା ଛଡା ବିକଳ୍ପ ନଥିଲା
  • କହିଲେ କର୍ମଠ ଲୋକକୁ ଛୁଟିରେ ପଠାଇବା କମ୍‌ ଦଣ୍ଡ ନୁହଁ
  • ସୋମବାର ସୁଦ୍ଧା ଖାଲି କରିବେ ସରକାରୀ ଘର

“ମୁଁ ଜଣେ କର୍ମଠ ଲୋକେ। ରାଜ୍ୟସରକାରଙ୍କୁ ବାରମ୍ବାର ଜଣେଇଛି, କିଛି ଉତ୍ତର ମିଳିଲାନି। ବସିବା ଅପେକ୍ଷା ଇସ୍ତଫା ଦେବା ଉଚିତ ଭାବିଲି” କହିଛନ୍ତି ଡାକ୍ତର ଅଶ୍ୱିନ ପୂଜାହାରୀ

ଭିମ୍‌ସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନ ପୂଜାହାରୀ ଇସ୍ତଫା ଦେଇଛନ୍ତି। ପୂଜାହାରୀ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଛନ୍ତି।

ଲୁଣ ଚିକିତ୍ସା ନେଇ ବିବାଦରେ ଥିଲେ ଡାକ୍ତର ପୂଜାହାରୀ। ଏହା ସହିତ ଗତ କିଛି ମାସ ହେବ ପିଜି ଛାତ୍ରଙ୍କ ସହ ପୂଜାହାରୀଙ୍କର ବିବାଦ ଲାଗିରହିଥିଲା।

ପୂଜାହାରୀଙ୍କ କାର୍ଯ୍ୟକୁ ବିରୋଧ କରି ଜୁନିଅର ଡାକ୍ତର ଓ ସାଧାରଣ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏସବୁ ବିବାଦ ପରେ ଡିସେମ୍ବର ୭ରୁ ରାଜ୍ୟସରକାର ତାଙ୍କୁ ଛୁଟିରେ ପଠାଇଥିଲେ। ଏତେଦିନ ଛୁଟିରେ ରହିବା ପରେ ଅଶ୍ୱିନ ପୂଜାହାରୀ ଇସ୍ତଫା ଦେଇଛନ୍ତି। ଏହାପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

ଇସ୍ତଫା ଦେବା ପରେ ଅଶ୍ୱିନ ପୂଜାହାରୀ ଏକ ପ୍ରେସ ମିଟ୍‌ ଡାକିଥିଲେ। ଯେଉଁଥିରେ ସେ କହିଛନ୍ତି ଇସ୍ତଫା ଦେବାଛଡା ମୋ ପାଖରେ ଆଉ କିଛି ବିକଳ୍ପ ନଥିଲା।

ଏହା ସହିତ ସେ ଆହୁରି କହିଛନ୍ତି,” ମୁଁ ଜଣେ କର୍ମଠ ଲୋକ, ଦିନକୁ ୧୨ରୁ୧୪ ଘଣ୍ଟା କାମ କରେ। ଏତେ ଲମ୍ବା ଛୁଟିରେ କେବେ ଯାଇନଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି,”ବାରମ୍ବାର ରାଜ୍ୟସରକାରଙ୍କୁ ଚିଠି ଲେଖିଛି, କିଛି ଉତ୍ତର ମିଳିଲାନି। ତେଣୁ ବସିବା ଅପେକ୍ଷା ଇସ୍ତଫା ଦେବା ଉଚିତ ମନେ କଲି।”

Comment