ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରରେ ବସ୍ତିବାସିନ୍ଦାଙ୍କ ସ୍ଥାୟୀ ଘର ଜମି ପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିବା ନେଇ ବିଜେପି ଓ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମହାନଗର ଗିରଫ କରାଯାଇଛି। ମଙ୍ଗଳବାର ସହରର ସମସ୍ତ ୧୬୦ଟି ବସ୍ତିବାସିନ୍ଦାଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ୭ଦିନ ମଧ୍ୟରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଧମକ ଦେଇଛି ବିଜେପି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନରେ ପାତର ଅନ୍ତର। ପ୍ରତି ଘରର ୱାର୍କ ଅର୍ଡର ଦେବାବେଳେ ୧୦ହଜାର ଟଙ୍କା ପିସି ନେବା ଦଳୀୟ ଭିତ୍ତିରେ ହିତାଧୀକାରୀ ଚିହ୍ନଟ କରିବା ପ୍ରକ୍ରିୟାକୁ ବିରୋଧ କରିଛି ବିଜେପି। ହଜାର ହଜାର ବସ୍ତିବାସିନ୍ଦା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୟରେ ସହର ପରିକ୍ରମା କରିବା ପରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଘେରାଓ କରିବା ସହ ସ୍ଥାନୀୟ ବିଧାୟିକାଙ୍କ ବିରୋଧରେ କଟୁ ସମାଲୋଚନା କରିଥିଲା।

ସେହିପରି ଲୋକମାନଙ୍କ କହିବାନୁସାରେ ୫୦ବର୍ଷରୁ ଅଧିକ ସମୟ ଧରି ବସ୍ତିରେ ରହୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା କି କୌଣସି ପ୍ରକାର ମୌଳିକ ସୁବିଧା ପ୍ରଦାନ କରାଯାଇନାହିଁ। ସବୁବେଳେ ନିର୍ବାଚନ ସମୟରେ ଶାସକଦଳ ବହୁ ପ୍ରତିଶ୍ରୁତି ଦେଇ ସେମାନଙ୍କ ଭୋଟ ନେଉଛି। ଆଉ ନିର୍ବାଚିତ ହେବାପରେ ବିଧାୟିକାଙ୍କ ବସ୍ତି ଅଞ୍ଚଳରେ ଦେଖାନାହିଁ। ବାସଗୃହ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କ ସାମିଲ୍‌ କରାନଗଲେ ଆସନ୍ତା ନିର୍ବାଚନରେ ତାର ଜବାବ୍‌ ଦିଆଯିବ ବୋଲି କହିଛନ୍ତି ବସ୍ତିବାସିନ୍ଦା ମୋହିନୀ ପାତ୍ର।

କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ୍‌ କରି ରାଜ୍ୟ ସରକାରଙ୍କ ଯୋଜନା ବୋଲି ବିଧାୟିକା ପ୍ରଚାର କରୁଥିବାରୁ ଆସନ୍ତା ଦିନରେ ବିଧାୟିକାଙ୍କୁ ଉଚିତ୍‌ ଜବାବ ଦିଆଯିବ ବୋଲି ବିଜେପି କହିଛି। ସେହିପରି ସମ୍ବଲପୁରର ୧୬୦ଟି ବସ୍ତିରେ ରହୁଥିବା ୪୦ହଜାର ବସ୍ତିବାସିନ୍ଦାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବାସଗୃହ ଆସିଥିଲେ ମଧ୍ୟ ସେଗୁଡ଼ିକୁ ଶାସକଦଳର କର୍ମୀ, ନେତାମାନେ ଅକ୍ତିଆର କରିନେଇଛନ୍ତି। ବର୍ଷେ ପୁର୍ବରୁ ଅବିକଳ ଢଙ୍ଗରେ ବିଜେପି ଏହି ପ୍ରସଙ୍ଗ ଉଠାଇ ମହାନଗର ନିଗମ ଘେରାଓ କରିଥିଲା।

ଏହାପରେ ମାତ୍ର ୧୬୦ଜଣଙ୍କୁ ପଟ୍ଟା ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୟବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଛି ମିଳି ନାହିଁ। ଏହାକୁ ଆସନ୍ତା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ବିଧାନସଭା ନିର୍ବାଚନ ଆଉମାତ୍ର କିଛି ସପ୍ତାହ ବାକି ଥିବା ବେଳେ,ବସ୍ତିବାସିନ୍ଦାଙ୍କ ବାସଗୃହ ପ୍ରସଙ୍ଗ ଉଠାଇ, ବିଜେପି ଶାସକ ଦଳକୁ ସମ୍ବଲପୁରରେ ଚେକ୍‌ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ହେଲେ ବିଜେଡି କହିଛି,ନିର୍ବାଚନ ପୁର୍ବରୁ ବିଜେପିର ଏହା କେବଳ ନାଟକବାଜୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ବଲପୁରର ଗରିବ ଲୋକଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ ଭୁଲ୍‌ଭଟକା ରହିଯାଇଛି,ତାର ସଂଶୋଧନ କରାଯିବ।

Comment