ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ଉପରେ ନଜର ରଖିଥିଲେ ମୋଦି!

ଅପରେସନ ଥିଲା ସିକ୍ରେଟ୍। ସୋମବାର ରାତିରେ ସାରା ଦେଶ ଶୋଇ ପଡ଼ିଥିବା ବେଳେ ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା କରିଥିଲେ ବଡ଼ ଧରଣର ହମ୍‌ଲା। ଶତ୍ରୁ ଦେଶ ପାକିସ୍ତାନ ତ ଦୂରର କଥା ଭାରତୀୟ ସେନା ବାହିନୀର ଅନେକ ଅଫିସର ବି ଏହି ସିକ୍ରେଟ ଅପରେସନର ଟେର୍ ପାଇଲେନି।

ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ କେମିତି ଛାରଖାର କରୁଛନ୍ତି ତାହା କେବଳ ଅନୁଧ୍ୟାନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବରବାଦୀକୁ ଦେଖିବା ପାଇଁ ମୋଦି ସୋମବାର ରାତି ସାରା ଶୋଇ ନଥିବା ସୂତ୍ରରୁ ଜଣାପଡ଼ିଛି।

ସେହି ରାତିରେ ମୋଦି ତାଙ୍କ ବାସଭବନରେ ବି ନଥିବା କୁହାଯାଉଛି। ହେଲେ କୁଆଡ଼େ ଯାଇଥିଲେ ସେ ସମ୍ପର୍କରେ ବି କିଛି ସ୍ପଷ୍ଟ ସୂଚନା ମିଳିନି। କିନ୍ତୁ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ଆକ୍ରମଣର କିପରି ପ୍ରତିଶୋଧ ନେଉଛନ୍ତି ତାହା ଦେଖିବା ପାଇଁ ମୋଦି ୱାର ରୁମ୍‌କୁ ଯାଇଥିଲେ। ଭାରତୀୟ ବାୟୁସେନାର ଗତିବିଧିକୁ ଲକ୍ଷ୍ୟ କରୁଥିଲେ।

ଅପରେସନ ଶେଷ ହେବା ଯାଏଁ ମୋଦି ବସି ରହିଥିଲେ। ଭାରତୀୟ ବାୟୁସେନା ସୁରକ୍ଷିତ ଭାବେ ପାକିସ୍ତାନ ସୀମା ଅତିକ୍ରମ କରିବା ପରେ ମୋଦି ବିଶ୍ରାମ ନେଇଥିଲେ।

ସୋମବାର ସନ୍ଧ୍ୟାରେ ମୋଦି ତାଜ ପ୍ୟାଲେସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ମୋଦି ତାଙ୍କ ବାସଭବନରେ ପହଞ୍ଚିଥିଲେ।

ମୋଦି ଅଳ୍ପ କିଛି ଖାଦ୍ୟ ଖାଇଦେଇ ଅଭିଯାନରେ ବାହାରି ପଡ଼ିଥିଲେ। ଭାରତୀୟ ବାୟୁସେନାର ଯବାନମାନେ ସୁରକ୍ଷିତ ଥିବା ମୋଦିଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ବିଶ୍ରାମ ନେବାକୁ ଯାଇଥିଲେ। ସମସ୍ତ ଯବାନଙ୍କୁ ମୋଦି ପ୍ରଶଂସା ବି କରିଥିଲେ।

Comment