ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ ପରେ ଅଶାନ୍ତ ହୋଇଯାଇଛି ସୀମାନ୍ତ। ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏପରିସ୍ଥଳେ ଆଜି ସନ୍ଧ୍ୟାରେ ତିନି ସେନାର ପ୍ରମୁଖ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ବାରମ୍ବାର ମିଛ କହୁଥିବା ପ୍ରମାଣ ଦେଇଛନ୍ତି।

ପାକିସ୍ତାନର ମିଛ ଧରାପଡ଼ିଛି

“ପାକିସ୍ତାନ ବାରମ୍ବାର ମିଛ କହୁଛି। ପ୍ରଥମେ ପାକିସ୍ତାନ କହିଲା ଯେ ୨ ଜଣ ଭାରତୀୟ ପାଇଲଟଙ୍କୁ ଗିରଫ କରିଛି। କିନ୍ତୁ ପରେ ବୟାନ ବଦଳାଇ ଜଣେ ପାଇଲଟଙ୍କୁ ଗିରଫ କରିଥିବା କହିଥିଲା। ଭାରତୀୟ ବାୟୁସେନା ପାକିସ୍ତାନର ଏଫ୍‌-୧୬ ବିମାନକୁ ମାରି ଖସାଇ ଦେଇଥିଲେ”, ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଏୟାର ଭାଇସ୍ ମାର୍ଶଲ ଆର୍‌ଜିକେ କପୁର୍।

ସେ ଆହୁରି କହିଛନ୍ତି ଯେ ଗତ ୨୭ ତାରିଖରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନର ଲଢୁଆ ବିମାନ ଏଫ୍‌-୧୬। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଥିଲା। ଭାରତୀୟ ବାୟୁସେନାର ମିଗ୍‌ ବିମାନ ଏହାର ଜବାବ ଦେଇଥିଲା। ପାକିସ୍ତାନ ବିମାନକୁ ମାରି ଖସାଇ ଦେଇଥିଲା ମିଗ୍‌ ବିମାନ।

“ଏଫ୍‌-୧୬ ବିମାନ ପାକିସ୍ତାନ ବ୍ୟବହାର କରି ନଥିବା ଏବେ କହୁଛି। ପାକିସ୍ତାନ ଏଫ୍‌-୧୬ ବିମାନ ଭାରତ ସୀମାକୁ ଆସିଥିବା ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ପାକିସ୍ତାନ ବାରମ୍ବାର ବୟାନ ବଦଳାଇ ମିଛ କହୁଛି”, କହିଛନ୍ତି ଆର୍‌ଜିକେ କପୁର।

ପାକିସ୍ତାନ ଗିରଫ କରିଥିବା ଆମ ପାଇଲଟ ଅଭିନନ୍ଦନ ଆସନ୍ତା କାଲି ଭାରତ ଫେରିବେ। ଏହା ଆମ ପାଇଁ ଖୁସିର କଥା ବୋଲି କହିଛନ୍ତି ବାୟୁସେନା ମାର୍ଶଲ।

ବାଲାକୋଟ ମିଶନ ସଫଳ

ତିନି ସେନା ପ୍ରମୁଖ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ମିଶନ ବାଲାକୋଟ ସଫଳ ହୋଇଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଆଡ୍ଡା କରାଯାଇଥିବା ହମ୍‌ଲା ସଫଳ ହୋଇଛି। ଆମ ପାଖରେ ଏହାର ପ୍ରମାଣ ଅଛି।

ଦେଶର ସୁରକ୍ଷା ଆମ ହାତରେ

ଶତ୍ରୁ ରାଷ୍ଟ୍ରକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ବାହିନୀ ସଜାଗ ଅଛନ୍ତି। ସ୍ଥଳ ପଥ, ଆକାଶ ପଥ ଏବଂ ଜଳ ପଥରେ ଭାରତୀୟ ସେନା ସଜାଗ ଅଛନ୍ତି। ଦେଶର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସେନା ପ୍ରମୁଖ।

Comment