ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତୀୟ ନୌସେନା ଦିବସ। ପ୍ରତ୍ୟେକ ବର୍ଷ ଡିସେମ୍ଵର ୪ ତାରିଖକୁ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ଆଜିର ଦିନରେ ଭାରତୀୟ ନୌବାହିନୀକୁ ସମ୍ମାନ ଦେବା ସହ ବୀର ନୌସୈନିକଙ୍କୁ ମନେ ପକାଉଛନ୍ତି ଦେଶବାସୀ। ଆସନ୍ତୁ ଜାଣିବା ଆଜିର ଦିନର ଇତିହାସ ଓ ମହତ୍ତ୍ଵ।

କାହିଁକି ଡିସେମ୍ଵର ୪ରେ ପାଳନ କରାଯାଏ ନୌସେନା ଦିବସ

୧୯୭୧ ମସିହାରେ ଡିସେମ୍ଵର ୩ ତାରିଖରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଏହି ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅଦମ୍ୟ ସାହସ ଦେଖାଇଥିଲା ଭାରତୀୟ ନୌସେନା। ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ନୌସେନା ଆରମ୍ଭ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ।

ଏହି ଅପରେସନରେ କରାଚିରେ ଥିବା ପାକିସ୍ତାନୀ ନୌସେନା ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ଏଥିରେ ଭାରତୀୟ ନୌସେନାର ୩ଟି ମିସାଇଲ ବୋଟ୍ ମୁମ୍ବାଇ ନଭାଲ ଡକରୁ ବାହାରି କରାଚି ଅଭିମୁଖେ ଯାଇଥିଲା। ଏହି ଯୁଦ୍ଧ ଜାହାଜଗୁଡ଼ିକ ଡିସେମ୍ଵର ୪ରେ କରାଚି ଉପକୂଳରେ ଥିବା ପାକିସ୍ତାନୀ ନୌସେନାର ଜାହାଜ ଉପରେ ଆକ୍ରମଣ କରିଥିଲେ। ଏହାସହ ସେମାନେ କରାଚି ପୋର୍ଟ ଉପରକୁ ଗୋଟେ ପରେ ଗୋଟେ ମିସାଇଲ ମାରିଚାଲିଲେ।

ଏଥିରେ ପାକିସ୍ତାନର ଅନେକ ଜାହାଜ ଧ୍ଵଂସ ହୋଇ ଯାଇଥିଲା। ଏହାସହ କରାଚୀ ପୋର୍ଟରେ ଥିବା ତେଲ ଡିପୋ ୭ଦିନ ଧରି ଜଳିଥିଲା। ଏହି ଆକ୍ରମଣ ୧୯୭୧ ମସିହାରେ ଯୁଦ୍ଧରେ ପାକିସ୍ତାନୀ ନୌସେନାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା।

ଭାରତୀୟ ନୌସେନାଙ୍କ ସେହି ବୀରତ୍ଵର ଗାଥାକୁ ମନେ ପକାଇବାକୁ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଏ।

ଭାରତୀୟ ନୌସେନାର ଇତିହାସ

ଭାରତୀୟ ନୌସେନା ଭାରତୀୟ ସେନାର ସାମୁଦ୍ରିକ ଅଙ୍ଗ ଭାବେ ପରିଚିତ। ଏହାର ସ୍ଥାପନ ୧୬୧୨ ମସିହାରେ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ଜାହାଜକୁ ସୁରକ୍ଷାରେ ରଖିବାକୁ ଇଷ୍ଟ ଇଣ୍ଡିଆ ମାରାଇନ୍‌ ନାମରେ ନୌସେନା ଗଠନ କରିଥିଲା। ପରେ ଏହାକୁ ରୟାଲ ଇଣ୍ଡିଆନ୍‌ ନେଭି ନାଁ ଦିଆଗଲା। ଦେଶ ସ୍ଵାଧୀନ ହେବା ପରେ ୧୯୫୦ ମସିହାରେ ଏହା ପୁଣି ଗଠନ କରାଗଲା। ସେତେବେଳ ଏହାର ନାଁ ଇଣ୍ଡିଆନ ନେଭି ବା ଭାରତୀୟ ନୌସେନା ହୋଇଥିଲା।

Tags: #IndianNavyDay #IndianNavy #OperationTrident #1971War #India  

Comment