ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ଭାରତୀୟ ପର୍ବ ପର୍ବାଣୀ ମଧ୍ୟରୁ ରଙ୍ଗର ପର୍ବ ହୋଲିର ନିଆରା ସ୍ୱତନ୍ତ୍ରତା ରହିଛି। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ହୋଲିକା ନାମକ ରାକ୍ଷସୀକୁ ବଧ କରି ବୃନ୍ଦାବନରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ଏହି ଦିନକୁ ମନେରଖିବା ପାଇଁ ହୋଲି ଉତ୍ସବ ପାଳନ କରାଯାଇଥାଏ। ସେହିପରି ଗୈାଡୀୟ ବୈଷ୍ଣବଙ୍କ ମତ ଅନୁସାରେ ରାଈ ଦାମୋଦର ମିଳନ ବସନ୍ତ ଋତୁରେ ଅନ୍ୟ ଏକ ଆକର୍ଷଣ ହୋଇଥାଏ। ସେହି ସ୍ମୃତିକୁ ରସୋତ୍ତୀର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏ ଯୁଗରେ ମଧ୍ୟ ଆଜିର ସମାଜ ହୋଲି ଉତ୍ସବକୁ ପାଳନ କରିଚାଲିଛି। ଦୋଳ ପୂର୍ଣ୍ଣିମା ପର ଦିନ ଆସିଥାଏ ବହୁ ପ୍ରତୀକ୍ଷିତ ହୋଲି ଉତ୍ସବ।

ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରବାସୀଙ୍କ ପାଇଁ ହୋଲି ଏକ ନିଆରା ପର୍ବ। ରଙ୍ଗବେରଙ୍ଗର ପୋଷାକ ପରିଧାନ କରି ହାତରେ ରଙ୍ଗ ପିଚିକାରୀ ଧରି ପରସ୍ପରୁ ରଙ୍ଗେଇବାରେ କଟକିଆମାନେ ପାଆନ୍ତି ଆନନ୍ଦ। ଆବାଳ ବୃଦ୍ଧ ବନିତା, ଜାତି, ବର୍ଣ୍ଣ, ଧର୍ମ, ବୟସ, ସ୍ଥାନ, କାଳ, ପାତ୍ର ଭୁଲି ରଙ୍ଗ ଖେଳି ବିମୋହିତ ହୁଅନ୍ତି। ପରସ୍ପରକୁ ରଙ୍ଗେଇବାରେ ରହିଥାଏ ପ୍ରୀତି ଓ ମମତାର ସୁଦୃଢ଼ ଆକର୍ଷଣ।

ଚଳିତବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହେବ ହୋଲି ଉତ୍ସବ। ମଝିରେ ରହିଲା ଆଉ ଗୋଟିଏ ସପ୍ତାହର ବ୍ୟବଧାନ। ସହରରେ ଫଗୁ ଖେଳ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ହୋଲସେଲ ବା ପାଇକାରୀ ଦୋକାନଗୁଡ଼ିକ ଖୋଲିସାରିଲାଣି। ଖୁଚୁରା ଦୋକାନୀମାନେ ମାତ୍ର ଦୁଇ ତିନି ଦିନ ପୂର୍ବରୁ ଦୋକାନ ଖୋଲିବା ପାଇଁ ଏବେଠାରୁ ପାଇକାରୀ ଦୋକାନରୁ ମାଲ କିଣିବା ଆରମ୍ଭ କରିଦେଲେଣି।

ସହରର ଚୈାଧୁରୀବଜାର, ନନ୍ଦୀସାହି, ମାଲଗୋଦାମ, ଝୋଲାସାହି, ବାଙ୍କାବଜାର, ବାଲୁବଜାର, ପୀଠାପୁର ଆଦି ଅଞ୍ଚଳରେ ହୋଲସେଲ ଦୋକାନୀମାନେ ଦୋକାନ ଖୋଲିଲେଣି। କଲିକତା, ବମ୍ବେ, ଦିଲ୍ଲୀ, ବିହାର ପ୍ରଭୃତି ରାଜ୍ୟରୁ କଟକର ହୋଲସେଲ ଦୋକାନୀମାନେ ପ୍ରତିବର୍ଷ ବିଭିନ୍ନ ରଙ୍ଗ, ଖେଳ ସାମଗ୍ରୀ, ଟୋପି, ମୁଖା, କଲର ହେୟାର, ପଗଡି ଇତ୍ୟାଦି କ୍ରୟ କରିଥାନ୍ତି।

ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜାରରେ ହର୍ବାଲ ରଙ୍ଗ ବିକ୍ରି ହେଉଛି। ଏହାସହିତ ହର୍ବାଲ କଲର ବମ ଓ ସ୍ନୋ ସ୍ପ୍ରେ ବଜାରରେ ମଧ୍ୟ ଉପଲବ୍ଧ ହେଉଛି। ଶରୀରକି କ୍ଷତି ପହଞ୍ଚାଉନଥିବା ଲାଲ, ହଳଦୀ, କମଳା, ବାଇଗଣୀ, ନୀଳ, ସବୁଜ, ଗୋଲାପୀ ଆଦି ୭ ପ୍ରକାର ହର୍ବାଲ ଅବିର ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଛି। ହୋଲସେଲ ବଜାରରେ ଏହି ଅବିର କେଜି ୧୦୦ ଟଙ୍କା ଥିଲା ବେଳେ ପ୍ୟାକେଟ ପିଛା ଦର ରହିଛି ୧୫ରୁ ୩୦ ଟଙ୍କା ମଧ୍ୟରେ। ହୋଲିକୁ ଆକର୍ଷଣୀୟ କରିବା ପାଇଁ ଯୁବକ ଯୁବତୀମାନେ ବିଭିନ୍ନ ମୁଖା, ଟୋପି, କଲର ହେୟାର, ପଗଡ଼ି ପିନ୍ଧିଥାନ୍ତି।

ଜିଙ୍କ୍, କଲର୍ ଟୋପି ଓ ଜାଲି ଟୋପିର ଦାମ୍ ୩୦ରୁ ୫୦ ଟଙ୍କା ମଧ୍ୟରେ ରହିଛି। ସେହିପରି କ୍ରିସ୍, ସ୍ପାଇଡର ମ୍ୟାନ, ଭୂତ ପ୍ରଭୃତିର ମୁଖାର ଦାମ ରହିଛି ୨୦ରୁ ୫୦ ଟଙ୍କା ମଧ୍ୟରେ। ଏହାଛଡ଼ା ବିଭିନ୍ନ ପ୍ରକାରର ପିଚିକାରୀର ଦାମ୍ ୨୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ମଧ୍ୟରେ ରହିଛି। ସେହିପରି ବିଭିନ୍ନ ପ୍ରକାର କଲର ହେୟାରର ଦାମ ୯୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ଏହାଛଡ଼ା ବଜାରରେ ବିଭିନ୍ନ ପ୍ରକାରର ପଗଡି ମଧ୍ୟ ଉପଲବ୍ଧ ହେଉଛି। ସେଗୁଡ଼ିକ ମଧ୍ୟରେ ରାଜସ୍ଥାନୀ ପଗଡ଼ି ଓ ମୋଦି ପଗଡ଼ିର ବେଶ୍ ଚାହିଦା ରହିଛି। ଏହି ପଗଡ଼ିଗୁଡିକର ଦାମ୍ ୧୦୦ ଟଙ୍କାରୁ ଆରମ୍ଭ କରି ଦେଢ଼ଶହ ଟଙ୍କା ମଧ୍ୟରେ ରହିଛି। ସେହିପରି ରଙ୍ଗ ଖେଳ ସମୟରେ ଚକ୍ଷୁକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ଚଷମା ମଧ୍ୟ ବଜାରରେ ମିଳୁଛି। ଫ୍ରୁଟ ଚଷମା, ଷ୍ଟାର ଚଷମା ଓ ଏଲିଅନ ଚଷମାର ଚଳିତବର୍ଷ ବହୁତ ଚାହିଦା ରହିଛି। ଏହି ଚଷମାଗୁଡିକର ଦାମ୍ ୪୦ରୁ ୨୦୦ ଟଙ୍କା ଭିତରେ ରହିଛି।

ପୂର୍ବବର୍ଷ ଭଳି ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀର ଦର ବିଶେଷ ବୃଦ୍ଧି ପାଇନଥିବାରୁ ଚଳିତବର୍ଷ ବ୍ୟବସାୟ ଭଲ ହେବ ବୋଲି ନନ୍ଦୀ ସାହିର ପୁରୁଖା ବ୍ୟବସାୟୀ କିଶନଲାଲ ପୋଦ୍ଦାର କହିଛନ୍ତି।

Comment