ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି କାଳବୈଶାଖୀ ତାଣ୍ଡବ କରିଛି। ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ବିଶେଷ କ୍ଷତି ଘଟାଇଛି। ପ୍ରଚଣ୍ଡ ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ହେବା ସାଙ୍ଗକୁ ବଜ୍ରପାତ ଛାତି ଥରାଇ ଦେଇଛି।

କାଳବୈଶାଖୀର କରାଳ ରୂପ ଅନୁଭୂତ ହୋଇଛି ରାଜନଗର ବ୍ଲକର କୁରୁଣ୍ଟି ଗାଁରେ। ବଜ୍ରପାତ ଯୋଗୁଁ ଶିଶିର ପରିଡାଙ୍କର ୪ ବଖରା ଚାଳ ଛପର ଘର ଓ ଏକ କୁକୁଡା ଫାର୍ମରେ ନିଆଁ ଲାଗି ଛାରଖାର ହୋଇ ଯାଇଛି। ଏହି କୁକୁଡା ଫାର୍ମରେ ପ୍ରାୟ ୨୦୦୦ କୁକୁଡା ଥିଲେ। ଏହାଛଡା ଶିଶିରଙ୍କ ଘରେ ଥିବା ଆସବାବପତ୍ର ଓ ନଗଦ ୨୨ ହଜାର ଟଙ୍କା ଜଳି ଯାଇଛି।

ରାଜକନିକା ବ୍ଲକର ବର୍ତ୍ତନୀ ଗାଁରେ ବଜ୍ରପାତରେ ପ୍ରମୋଦ ସିଂହଙ୍କ ୩ଟି ନଡ଼ିଆଗଛ ଜଳି ଯାଇଛି। ପ୍ରମୋଦଙ୍କ ଚାଳଘରେ ଲାଗିଥିବା ନିଆଁକୁ ଲିଭାଇ ଦେବାକୁ ସକ୍ଷମ ହୋଇଥିଲେ ସ୍ଥାନୀୟ ଲୋକମାନେ।

ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଗାଁରେ ଯଜ୍ଞ ଉତ୍ସବ ହେଉଥିବା ସ୍ଥାନରେ ବହୁ ଉଠା ଦୋକାନ ଘର ଗୁଡ଼ିକୁ ଉଡାଇ ନେଇଛି ଝଡ଼। ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଛି। ଗଛ ଡାଳ ପଡ଼ି ଦୁଇଟି ବାଇକ ଭାଙ୍ଗି ଯାଇଛି।

ଆଳି ବ୍ଲକର ମାଣିକପାଟଣା ଗାଁରେ ଅନେକ ଚାଳଛପର ଘର ଉଡ଼ି ଯାଇଛି। ବିଦ୍ୟୁତ ତାର ଛିଡିଯିବାରୁ ଅନେକ ଗାଁ ଅନ୍ଧାରରେ ରହିଛି। ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନରେ କୁଆପଥର ବୃଷ୍ଟି ଯୋଗୁ ମୁଗ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

Comment